MEllora 950×100

ଆରପାରିରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ

ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ ସମ୍ପନ୍ନ

କଟକ : ଆରପାରିରେ ବର୍ଷିୟାନ ତଥା ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସ। ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡି ରୋଡ୍‌‌ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ କଳାକାର ତାଙ୍କର ଶେଷ ଦର୍ଶନ କରୁଛନ୍ତି। ଚଳଚ୍ଚିତ୍ର ଜଗତରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିତିବା ସହ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ଆକାଶବାଣୀ ଓ ଦୂରଦର୍ଶନ ସହ ମଧ୍ୟ ଜଡିତ ଥିଲେ। ସେ ମଲାଜହ୍ନ, ଅମଡା ବାଟ,ଅଦିନ ମେଘ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଝରଣା ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରିଛନ୍ତି। ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା। ଝରଣା ଦାସଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା । ଝରଣା ଦାସଙ୍କ ବିୟୋଗ ଓଡିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ ଜଗତରେ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

 

 

Comments are closed.