କଂଗ୍ରେସ-ଜେଏମଏମ-ଆରଜେଡି ମହାମେଣ୍ଟକୁ ବହୁମତ !

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଁ ଭାଁ ଅଳ୍ପ କିଛି ଆସନରେ ଗଣତି ବାକି ରହିଛି। ଏହି ସମୟ ମଧ୍ୟରେ ଫଳାଫଳ ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଅପରାହ୍ନ ସାଢ଼େ ଗୋଟାଏ ସୁଦ୍ଧା ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)-କଂଗ୍ରେସ ଓ ଆରଜେଡି ମହାମେଣ୍ଟକୁ ବହୁମତ ମିଳିଥିବା ଜଣାପଡ଼ିଛି। ରାଜ୍ୟରେ ସରକାର ଗଠନ ଲାଗି ମ୍ୟାଜିକ ନମ୍ବର ୪୧ର ଆବଶ୍ୟକତା ଥିବାବେଳେ ମହାମେଣ୍ଟ ୪୨ ଆସନରେ ଆଗୁଆ ଥିବା ଜଣାଯାଇଛି। ଜେଏମଏମ ୨୪, କଂଗ୍ରେସ ୧୪ ଏବଂ ଆରଜେଡି ୪ଟି ଆସନରେ ଆଗୁଆ ରହିଛନ୍ତି।

ଅନ୍ୟପଟେ  ବିଜେପି ୨୯ ଆସନରେ ଆଗୁଆ ରହିଛି। ଦଳ ଚଳିତ ନିର୍ବାଚନରେ ପରାଜୟ ବରଣ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ସେହିପରି ଅନ୍ୟ ଆଞ୍ଚଳିକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଭିଏମ) ୩ଟି, ଏଜେଏସୟୁ ୩ଟି, ଏନସିପି ୧ଟି, ସିପିଆଇଏମଏଲ ୧ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି। ଏହି ଫଳାଫଳ ଯଦି ଚୂଡ଼ାନ୍ତ ହୁଏ, ତେବେ ରାଜ୍ୟରେ କଂଗ୍ରେସ-ଜେଏମଏମ ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ। ଯଦି ଚୂଡ଼ାନ୍ତ ଫଳାଫଳରୁ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳେ, ତା’ହେଲେ ଜେଭିଏମ, ଏଜେଏସୟୁ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ମିଶି ସରକାର ଗଢ଼ିବା ଲାଗି ବିଜେପି ପାଇଁ ଏକ ବିକଳ୍ପ ରହିପାରେ। କିନ୍ତୁ ଏଭଳି ସମ୍ଭାବନା ଯଥେଷ୍ଟ କମ୍‌ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।

Comments are closed.