ତେଲେନପାଲି-ପୁଟକେଲଚୁଆଁ ରାସ୍ତା ଶୋଚନୀୟ, ରାଜ୍ୟପାଳଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବେ ଅଞ୍ଚଳବାସୀ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକର ତେଲେନପାଲି-ପୁଟକେଲଚୁଆଁ ରାସ୍ତା। ଦୀର୍ଘଦିନ ହେଲା ରାସ୍ତାର ଅବସ୍ଥା ଶୋଚନୀୟ। ମରାମତି ଅଭାବରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି। ଏହି ରାସ୍ତାଟି ଦିନକୁ ଦିନ ଖରାପ ହେଉଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁ ନଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିଙ୍କ ସହିତ ସାଧାରଣ ଜନତା ଏହି ରାସ୍ତାକୁ ନେଇ ଏକାଠି ହୋଇଛନ୍ତି। ସେମାନେ ଓଡିଶାର ରାଜ୍ୟପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିବାକୁ ସଜବାଜ ହେଉଥିବା ଜଣାପଡିଛି।

ଖପ୍ରାଖୋଲ ବ୍ଲକର ତେଲେନପାଲି-ପୁଟକେଲଚୁଆଁ ଏକ ପ୍ରମୁଖ ରାସ୍ତା। ରାସ୍ତା ଉପରେ ତେଲେନପାଲି, କର୍ଲାମାଲ, ବଲିଆବାହାଲ, ଡୁଡୁକିପଦର, ଖୁରିପାଣି, ବେହେରାପାଣି, ସାପମୁଣ୍ଡ, ନାଗଡେରା, ରେଙ୍ଗାଲୀ, କୁଲିହାମୁଣ୍ଡା, ଘୁଚାପାଲି, ଅଣ୍ଡାଲମୁଣ୍ଡି, ପୁଟକେଲଚୁଆଁ ଆଦି ଗାଁର ଲୋକେ ନିର୍ଭର କରନ୍ତି। ସବୁ ଦିନ ଜନସାଧାରଣଙ୍କ ସମେତ ଶହ ଶହ ଗାଡ଼ିମଟର ରାସ୍ତାରେ ଯାତାୟତ କରିଥାନ୍ତି। ବର୍ଷା ଦିନରେ ରାସ୍ତା କାଦୁଅ ସର ସର ହୋଇ ପାଣି ଜମି ରହୁଥିବାରୁ ଜନସାଧାରଣ ଡରି ଡରି ଯିବା ଆସିବା କରିଥାନ୍ତି। ଏଥିସହିତ ଆମ୍ବୁଲାନ୍ସ, ଦମକଳ, କଲେଜ ଛାତ୍ରଛାତ୍ରୀ, ଗର୍ଭବତୀ, ପ୍ରସୂତୀ ମହିଳା, ରୋଗଙ୍କ ଯିବାଆସିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ରାସ୍ତାଟି ଶୋଚନୀୟ ହୋଇଥିବା ପ୍ରଶାସନଠାରୁ ରାଜନେତା ସମସ୍ତେ ଦେଖୁଥିଲେ ହେଁ କେହି ଏହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ପ୍ରତି ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି। ନିର୍ବାଚନ ସରିଗଲେ ପ୍ରତିଶ୍ରୁତିକୁ ଭୁଲି ଯାଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
୨୦୦୧ରୁ ଏହି ରାସ୍ତାର ଉନ୍ନତିକରଣ ପାଇଁ ଦାବି ହୋଇ ଆସୁଛି। ତତ୍କାଳୀନ ବଲାଙ୍ଗିର ଜିଲାପାଳ ନାରାୟଣ ଜେନା ଓ ତତ୍କାଳୀନ ବିଡିଓ ସୁବାଦ ଦାଶଙ୍କ ସମୟରେ ଯାହା ରାସ୍ତକାମ ହୋଇଥିଲା। ଇତିମଧ୍ୟରେ ୧୯ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାମ କରାଯାଇ ନାହିଁ। ଏହି ରାସ୍ତାକୁ ପ୍ରଧାମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘଦିନ ଧରି ଅଂଚଳବାସୀ ଦାବି କରୁଛନ୍ତି। ଏହି ରାସ୍ତାର ଉନ୍ନତିକରଣ ସହିତ ଏହାକୁ ପକ୍କା ରାସ୍ତାରେ ପରିଣତ କରିବାକୁ ତେଲେନପାଲି ସରପଞ୍ଚ କୁନ୍ତଳା ମାଝୀ, ସମିତି ସଭ୍ୟା ଖୁଲଣା ଧରୁଆ, ଜିଲା ପରିଷଦ ସଭ୍ୟ ବିପ୍ର ବିଶି, ୱାର୍ଡ ସଭ୍ୟ ସୁନ୍ଦର ନାଏକ, ବେଲମତୀ ମାଝୀ, ମାଧବୀ କୁମ୍ଭାର, ସମାଜିକ କର୍ମୀ ମହେନ୍ଦ୍ର ଭୋଇ, ହେମସାଗର ମାଝୀ, ସୁଖିରାମ ଷାଣ୍ଢ, ଗୋଲାପ ପୋଡ, ମନ ଭୋଇ, ନକୁଲ ବେହେରା, ଅମୃତ ପୁଞ୍ଜି , ବଂଶୀଧର ବେହେରା ପ୍ରମୁଖ ଦାବି କରିଛନ୍ତି।

Comments are closed.