ରହିଲା କରୋନା କଟକଣା ; ସମ୍ପନ୍ନ ହେଲା ଝାମୁଯାତ୍ରା

ଭକ୍ତଶୂନ୍ୟରେ ସମ୍ପନ୍ନ ହେଲା ଲୋକ ବିଶ୍ୱାସର ପ୍ରତୀକ ଓ ଅନନ୍ୟ ପରମ୍ପରା ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ପ୍ରସିଦ୍ଧ ଭୈରବଦେବ ପୀଠରେ ଝାମୁଯାତ୍ରା ପାଳିତ ହୋଇଯାଇଛି। ପ୍ରଥା ଅନୁଯାୟୀ ଲାଞ୍ଜିଗଡ଼ର ଦଶମୀ ନୂଆଖାଇ ପରେ ତ୍ରୟୋଦଶୀ ଦିନ ଭୈରବ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରାଯାଇ ସ୍ଥାନୀୟ ରାଜ ଉଆସକୁ ନିଆଯାଇଥିଲା ଓ ସେଠାରେ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ ଖଣ୍ଡା, ବାଲି ଭୈରବଙ୍କ ଗୋଟିଏ ଖଣ୍ଡା ଓ ବୁଢା ଭୈରବଙ୍କ ଦୁଇଟି ଖଣ୍ଡାକୁ ବାଲି ଘରକୁ ନିଆଯାଇଥିଲା। ସ୍ଥାନୀୟ ଶୁକ୍ଲିନାଳକୁ ପୂଜକମାନେ ଯାଇ ନଅଟି ଚାଙ୍ଗୁଡିରେ ବାଲି ଭର୍ତ୍ତି କରି ଆଣିବା ସହିତ ଲୋକଙ୍କ ଘରୁ ନଅ ପ୍ରକାର ଶସ୍ୟ ସଂଗ୍ରହ କରି ତାକୁ ବାଲି ଘରେ ରଖି ସାତଦିନ ଧରି ପୂଜାର୍ଚ୍ଚନା ଜାରି ରଖିଥିଲେ। ଏହା ପରେ ଆଜି ତିନି ଭୈରବଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଯିବା ସହିତ ସେଠାରୁ ଆଜ୍ଞାମାଳ ଆଣିବା ପରେ ନିଆଁରେ ତିଆରି ଖନ୍ଦା(ଝାମି)କୁ ତିନିଥର ପ୍ରଦକ୍ଷିଣ କରି ସାରିବା ପରେ ଠାକୁରାଣୀ ଗୁଡି଼(ମନ୍ଦିର)କୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ ଜଣାଇଥିଲେ। ଏହି ସମୟରେ ଚାରୋଟି କଟା କଦଳୀ ଗଛକୁ ଧଳା କପଡା ଘୋଡାଇ ପ୍ରସ୍ତୁତ କରାଯାଇଥିଲା ଗଉରୀଘର। ଯେଉଁଠି ପାରା ବଳି ଦେବା ପରେ ଝାମୁଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ବାଲି  ଭୈରବ ଓ ଅଗ୍ନି  ଭୈରବଙ୍କ କାଳେସୀ  ନିଆଁ ଉପରେ ଚାଲିଥିଲେ। ସେହିପରି ଝାମେରା କଣ୍ଟାରେ ତିଆରି ଦୋଳିରେ ଭୈରବଙ୍କ କାଳେସୀ  ବସିଥିଲେ। ଏହା ପୂର୍ବରୁ କାଳେସୀ ଝାମୁଯାତ୍ରା ପୂର୍ବଦିନ ଏକ କଞ୍ଚା ମାଠିଆରେ ବସି ସୀମିତ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମନ୍ଦିର ପୂଜକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପର୍ବ ମହାସମାରୋହରେ ପାଳିତ ହୋଇଥିବାବେଳେ ଏହି ଝାମୁଯାତ୍ରାକୁ ସଫଳ କରିବା ପାଇଁ ଭୈରବ ମନ୍ଦିର ପୂଜା କମଟି ଓ ଲାଞ୍ଜିଗଡ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ସେହିପରି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଅନୁଷ୍ଠିତ ଝାମୁଯାତ୍ରା ବିଧିରକ୍ଷା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ବନ୍ଧପାରି ଓ ବଳଭଦ୍ରପୁରଠାରେ ମଧ୍ୟ ଝାମୁଯାତ୍ରା ପାଳିତ ହୋଇଯାଇଛି। ତେବେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ସମାଗମ ବେଶ୍ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା।

Comments are closed.