ଶୀତଳ ଷଷ୍ଠୀ ଯାତ୍ରାର ମହତ୍ୱ ହେଉଛି ସହଯୋଗ

ସ୍ମୃତିରେ ଶୀତଳ ଷଷ୍ଠୀ..

ସମ୍ବଲପୁର 🙁ବିରାଜ କୁମାର ମିଶ୍ର)ପୁରାଣ ବର୍ଣ୍ଣିତ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ କାର୍ଯ୍ୟକୁ ସମ୍ବଲପୁର ଠାରେ ପ୍ରାୟ ୪ ଶହ ବର୍ଷ ହେବ ପାଳନ କରାଯିବା ସହିତ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା କରାଯାଇ ଏହାକୁ ଏକ ଭବ୍ୟ ରୂପ ପ୍ରଦାନ କରାଯାଇ ଆସୁଛି। ପ୍ରଥମେ ନନ୍ଦପଡା ଏବଂ ପରେ ଝାଡୁଆପଡା ନାମକ ସମ୍ବଲପୁରର ଦୁଇ ପୁରାତନ ବସ୍ତିରୁ ଆରମ୍ଭ ହୋଇଥିବା ଏହି ଧାର୍ମିକ ଓ ସାଂସ୍କୃତିକ ସମାରୋହ ଏବେ ବିଭିନ୍ନ ଅଞ୍ଚଳକୁ ବ୍ୟାପ୍ତ ହେବା ସହିତ ଆକାର ଓ ପ୍ରକାର ବେଶ ବୃଦ୍ଧି ପାଇଛି। ଏହି ଦେବ ବିବାହ ଉତ୍ସବ ଶୀତଳ ଷଷ୍ଠୀ ସମୟର ସହିତ ତାଳ ଦେଇ ବହୁ ଉତ୍ତଥାନ ଓ ପତନ ମଧ୍ୟରେ ଗତି କରି ଆସିଛି ଏବଂ ଏବେ ମଧ୍ୟ ତାର ଭବ୍ୟତା ବଜାୟ ରଖିଛି।

ତେବେ ସମୟର ସହିତ ତାଳ ଦେଇ ଏହି ଧାର୍ମିକ ଉତ୍ସବକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଇଥିବା କିଛି ପୁରାତନ ସ୍ୱେଚ୍ଛାସେବୀ ମାନଙ୍କ ମୁହଁରୁ ସ୍ମୃତିରେ ଷଷ୍ଠୀ …..

ପ୍ରଶାନ୍ତ ଚନ୍ଦ୍ର ସୁପକାର (୮୦), ଝାଡୁଆପଡା

ମୁଁ ଝାଡୁଆପଡାର ମୂଳ ବାସିନ୍ଦା ହୋଇଥିବାରୁ ଛୋଟ ବେଳରୁ ଶୀତଳ ଷଷ୍ଠୀର ଭବ୍ୟ ଧାର୍ମିକ ପରମ୍ପରା ସହିତ ଜଡିତ ହେବାର ସୌଭାଗ୍ୟ ମିଳିଛି। ବର୍ଷର ଏହି ଉପରାନ୍ତ ସମୟରେ ମଧ୍ୟ ଶୀତଳଷଷ୍ଠୀ ସମୟ ଆସିବା ପରେ ଘରେ ରହି ନ ପାରି ପ୍ରାକ ପ୍ରସ୍ତୁତିସ୍ଥଳକୁ ଯିବାକୁ ନିଜକୁ ରୋକି ପାରେ ନାହିଁ। ପଡାର ଯାତ୍ରାକୁ ଆଗେଇ ନେଉଥିବା ଯୁବ ପିଢ଼ି ମଧ୍ୟ ଉତ୍ସାହର ସହିତ ମୋ ଭଳି ବରିଷ୍ଠ ସ୍ୱେଚ୍ଛାସେବୀ ମାନଙ୍କର ପରାମର୍ଶ ନିୟମିତ ନେଇ ଏହାକୁ ଦିନକୁ ଦିନ ଆହୁରୀ ଭବ୍ୟ ରୂପ ଦେଉଛନ୍ତି। ଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଚାନ୍ଦା ସଂଗ୍ରହ ଏକ ଅପୂର୍ବ ଅନୁଭୂତି ହୋଇଥିବା ବେଳେ ପଡାର ସମସ୍ତ ପରିବାରର ସଦସ୍ୟ ମାନେ ନିଜର ସାମର୍ଥ୍ୟ ମୁତାବକ ଏଥିରେ ସାମିଲ ହୋଇ ଆସୁଛନ୍ତି। ମୁଁ ଓ ମୋର ସାଥି ମାନେ ପ୍ରଚଣ୍ଡ ଖରାରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଯଥା ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ, ରାଉରକେଲା, ଝାରସୁଗୁଡା, କଳାହାଣ୍ଡି, ବରଗଡ ଆଦି ପ୍ରାୟତଃ ସମସ୍ତ ଜିଲାକୁ ଯାଇ ଚାନ୍ଦା ସଂଗ୍ରହ କରୁଥିଲେ। ଏପରିକି କଳାହାଣ୍ଡିର ରାଜଘର ମଧ୍ୟ ସେ ସମୟରେ ଏହି ଶୁଭ କାର୍ଯ୍ୟ ପାଇଁ ସହଯୋଗ ଅର୍ଥ ପ୍ରଦାନ କରୁଥିଲେ। ଲୋକେ ନିଜର ସାମର୍ଥ୍ୟ ମତେ ସହଯୋଗ ରାଶି ପ୍ରଦାନ କରୁଥିବା ବେଳେ ଅନେକ ଶ୍ରଦ୍ଧାଳୁ ଚାଉଳ, ଡାଲି, ପନିପରିବା ଆଦି ସାମଗ୍ରୀ ମଧ୍ୟ ଯାତ୍ରା କମିଟୀକୁ ଦାନ ଦେଉଥିଲେ। ବହୁ କମ ଅର୍ଥରେ ସମସ୍ତଙ୍କ ସ୍ୱତଃପ୍ରବୃତ୍ତ ସହଯୋଗରେ ଶୀତଳଷଷ୍ଠୀ ଆୟୋଜିତ ହେଉଥିଲା। ଏବେ ଚାନ୍ଦା ରାଶି ବହୁଗୁଣିତ ହୋଇଥିବା ବେଳେ ସହଯୋଗର ମନୋଭାବ ପୂର୍ବବତ ରହିଛି।

ଯାତ୍ରାକୁ ମନୋରଞ୍ଜନ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ସେହି ଅଞ୍ଚଳର ସଂସ୍କୃତି ସହିତ ଜଡିତ ସାଂସ୍କୃତିକ ଦଳ ଗୁଡିକୁ ସାମିଲ କରାଯାଇ ଆସୁଛି। ଏହା ସହିତ ଦେଶର ବିଭିନ୍ନ ସହର ଗୁଡିକରୁ ମଧ୍ୟ ସାଂସ୍କୃତିକ ଦଳ ଗୁଡିକ ଯାତ୍ରାରେ ସାମିଲ ହେଉଥିଲେ। ଯାତ୍ରାରେ ସାମିଲ ହେବା ପାଇଁ ଆସୁଥିବା ସମସ୍ତ କଳାକାର ଦଳ ଗୁଡିକୁ କମିଟୀ ତରଫରୁ ରହିବା, ଖାଇବା, ପାଉଣା ଆଦିର ସୁବିଧା ଦିଆଯାଉଥିଲା। ପୂର୍ବରୁ ମହାପ୍ରଭୁ ଙ୍କ ସମେତ ଯାତ୍ରାରେ ସାମିଲ ହେଉଥିବା ବିଭିନ୍ନ ମେଢ଼ ଗୁଡିକୁ ଶ୍ରଦ୍ଧାଳୁ ଶ୍ରମିକ (ବିଗାଡି) ମାନେ କାନ୍ଧରେ ବୋହି ନେଇ ଯାଉଥିଲେ। ମହାଦେବ ଓ ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଏହି ବିଗାଡି ମାନେ ସମ୍ବଲପୁରର ଆଖପାଖ ଗ୍ରାମ ଯଥା ଧନକଉଡା, ଚାଉଁରପୁର ଆଦି ଅଞ୍ଚଳରୁ ଆସୁଥିଲେ। ତେବେ ୧୯୬୮ ମସିହାରେ ଖରାପ ପାଗ ହେବାରୁ କିଛି ବିଗାଡି ଯାତ୍ରାକୁ ଆସି ନ ପାରିବାରୁ କିଛିଟା ଅସୁବିଧା ସୃଷ୍ଟି ହୋଇଥିଲା। ଏଣୁ ସେ ସମୟର ପୁରୁଖା ମୁରବୀ ମାନେ ଯାତ୍ରାରେ ଚକ ଲଗା ଗାଡିର ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ଏହା ପର ଠାରୁ ଚକ ଲଗା ଗାଡି (ରଥ) ଗୁଡିକର ପର୍ଯ୍ୟାୟ କ୍ରମେ ନିର୍ମାଣ ସହିତ ବ୍ୟବହାର ଆରମ୍ଭ ହୋଇଥିଲା। ପ୍ରଥମେ ୧୯୭୦ ମସିହାରେ ଶ୍ରୀ ଲୋକନାଥ ବାବା ଓ ପାର୍ବତୀଙ୍କ ନଗର ପରିକ୍ରମା ପାଇଁ ଏକ ଗାଡିର ବ୍ୟବସ୍ଥା କରାଯାଇ ଆରମ୍ଭ କରାଯାଇଥିଲା। ଏଭଳି ଅନେକ ଅସୁବିଧା ସତ୍ୱେ ଯାତ୍ରାକୁ ସଫଳତାର ସହିତ ପିଢ଼ି ପରେ ପିଢ଼ି ଆଗେଇ ନିଆଯାଇ ଆସୁଛି।

ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ କମିଟୀ ହେବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହେବା ସହିତ ପ୍ରଶାସନ ଓ ଯାତ୍ରା କମିଟୀ ମାନଙ୍କ ମଧ୍ୟରେ ଭଲ ଭାବରେ ସମନ୍ୱୟ ରକ୍ଷା ହୋଇ ପାରୁଛି। ଯାତ୍ରାର ମହତ୍ୱ ହେଉଛି ସହଯୋଗ ଏବଂ ଆଗକୁ ବଢ଼ିବା। ଏହି ଆଗକୁ ବଢ଼ିବାର ସଂସ୍କୃତି ଓ ସହଯୋଗ ଯୋଗୁଁ ଯାତ୍ରା ଆଗକୁ ଆଗକୁ ବଢ଼ି ଚାଲିଛି। ଦିନକୁ ଦିନ ଯାତ୍ରା ମାର୍ଜିତ ହେଉଛି। ପୁରୁଖା ମାନଙ୍କର ପରାମର୍ଶ ସହିତ ଯୁବପିଢ଼ିର ବୁଦ୍ଧି ଓ ସକ୍ରିୟତାର ମିଶ୍ରଣ ଦ୍ୱାରା ଶୀତଳଷଷ୍ଠୀ ଯାତ୍ରା ଦିନକୁ ଦିନ ମାର୍ଜିିତ ହେବା ସହିତ ବିରାଟ ରୂପଧାରଣ କରିବା ସହିତ ଏହା ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ଏକ ବଡ ପ୍ଲାଟଫର୍ମ ସୃଷ୍ଟି କରିସାରିଛି।

 

Comments are closed.