ହୋଇପାରୁନି ଜମି ଅଧିଗ୍ରହଣ : ଅଟକିଛି ବାଇପାସ୍‍, ବଢ଼ୁଛି ସମସ୍ୟା

ଜୟପୁର : ଜୟୁପର ବାରିଣିପୁଟରୁ ଉମୁରୀ ଜାତୀୟ ରାଜପଥ ୨୬ର ବାଇପାସ୍‍ ରୋଡ କାର୍ଯ୍ୟ ପାଇଁ ବିଭାଗ ଓ ପ୍ରଶାସନ ତତ୍ପର ଦେଖାଦେଉ ନ ଥିବା ଅଭିଯୋଗ ହେଉଛି। ଜମି ଅଧିଗ୍ରହଣ ହୋଇପାରୁ ନ ଥିବାବେଳେ ବାଇପାସ୍‍ କାମ ଅଟକି ରହିଛି। ଅନ୍ୟପକ୍ଷରେ କ୍ରମବର୍ଦ୍ଧିଷ୍ଣୁ ଜୟପୁର ସହରରେ ଦିନକୁ ଦିନ ଟ୍ରାଫିକ୍‍ ସମସ୍ୟା ଅଣାୟତ୍ତ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଏହି ରାସ୍ତା ପାଇଁ ଜୁନ୍‍ ୨୦୧୯ରେ ସର୍ଭେ କାର୍ଯ୍ୟ ସରିଥିବା ବେଳେ ଜମି ଅଧିଗ୍ରହଣ ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ଏଥି ଯୋଗୁଁ ସହର ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥରେ ଦିନକୁ ଦିନ ଟ୍ରାଫିକ୍‍ ସମସ୍ୟା ବଢୁଥିବା ବେଳେ ଉକ୍ତ ରାସ୍ତା ଦେଇ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସ୍କୁଲର ପିଲାଙ୍କ ଜୀବନ ବାଜିରେ ଲାଗୁଛି। ଗତ ୧ ବର୍ଷ ପୂର୍ବରୁ ୩ଡି କାର୍ଯ୍ୟରେ ଖାତା ନମ୍ବର ଓ ପ୍ଲଟ୍‍ ନମ୍ବର ବାହାର କାରାଯାଇଥଲା। ପୁଣି ଜୁନ୍‍ ୨୦୧୯ରେ ୩ଜି କାର୍ଯ୍ୟ ଆରମ୍ଭ କରାଯାଇ ସର୍ଭେ କାର୍ଯ୍ୟ କରାଯାଇ କେଉଁ ଲୋକଙ୍କ କେତେ ଜମି ଅଧିଗ୍ରହଣ ହେବ ସେ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା।

ଏଥିସହ ହିତାଧିକାରୀଙ୍କ ଜମିରେ ଖୁଣ୍ଟ ପୋତି ଚିହ୍ନଟ ମଧ୍ୟ କରାଯାଇଛି। ଏହାପରେ ଏକ ଉଚ୍ଚସ୍ତରୀୟ କମିଟି ଆସି ଏହି କାର୍ଯ୍ୟ ପାଇଁ କେତେ ବ୍ୟୟ ହେବ ସେ ନେଇ ଆକଳନ କର କେଉଁ ହିତାଧିକାରୀଙ୍କୁ କେତେ କ୍ଷତିପୁରଣ ଦିଆଯିବ ସେ ନେଇ ଆକଳନ କାର୍ଯ୍ୟ କରାଯିବାକୁ ବାକି ରହିଛି। ଉକ୍ତ କାର୍ଯ୍ୟ କୋରାପୁଟ ଜମି ଅଧଗ୍ରହଣ ବିଭାଗକୁ ଏବେ ଏନଏଚ ବିଭାଗ ହସ୍ତାନ୍ତର କରିଥିବା ବେଳେ ଏହି କାର୍ଯ୍ୟ କୌଣସି କାରଣରୁ ହୋଇ ନ ଥିବା ଜଣାଯାଇଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ ୨୬ ଯାଇଥିବା ହେତୁ ଏହି ରାସ୍ତାରେ ଟ୍ରାଫିକ୍‍ ସମସ୍ୟା ଅଧିକ ଦେଖାଦେଉଛି। ଏଥିସହ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ୨୬କୁ ବାରିଣିପୁଟ ବନ ବିଭାଗ କାର୍ଯ୍ୟାଳୟ ନିକଟରୁ ଉମୁରୀ ଯାଏଁ ଏକ ୪ଥାକିଆ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ବ୍ଲୁପ୍ରିଣ୍ଟ ତିଆରି କରାଯାଇଥିଲା। ବାରିଣୀପୁଟ ଠାରୁ ଏହି ରାସ୍ତା ବାହାରି ଜୟପୁର ମୌଜାର ଗେଟ୍‍ଗୁଡା, ସତସଙ୍ଗ ବିହାର ନିକଟ, ଦୁବୁଲି ଗ୍ରାମ, ମକାପୁଟ ଦେଇ ଉମୁରୀ ଦେଇ ଏନ୍‍ଏଚ୍‍ ୨୬କୁ ସଂଯୋଗ କରିବା ଯୋଜନା ରହିଛି। ଏହି ୪.୯୨ କିମି ରାସ୍ତା ବର୍ତ୍ତମାନକୁ ଚାରିଥାକିଆ ବିଶିଷ୍ଟ ହେବାକୁ ଥିବାବେଳେ ଆଗକୁ ବଢିପାରିବ ସେଥିପାଇଁ ଦରକାର ପଡୁଥିବା ସେତିକି ଜମି ଅଧିଗ୍ରହଣ କରିବାକୁ ସ୍ଥିର କରାଯାଇଥିବା ଜଣାଯାଇଛି। ଏହି ରାସ୍ତାରେ କେନାଲ ଓ ନଦୀ ଉପରେ ପୋଲ ନିର୍ମାଣ କରାଯିବାକୁ ରହିଛି।

ବାଇପାସ୍‍ ରାସ୍ତା ନିର୍ମାଣ ପାଇଁ ବେସରକାରୀ ଓ ସରକାରୀ ଜମି ୨୦.୪୭୭ ହେକ୍ଟର ଦରକାର ପଡୁଥିବା ବେଳେ ୧୨୮ ଟି ପ୍ଲଟ୍‍ର ଜମି ଅଧିଗ୍ରହଣ କରିବାକୁ ରହିଛି। ଏଥିରେ ସରକାରୀ ଜମି ୨.୯୦୭ ହେକ୍ଟର ରହିଥିବା ବେଳେ ୧୨୧ଜଣଙ୍କ ବେସରକାରୀ ଜମି ୧୭.୫୭ ହେକ୍ଟର ରହିଥିବା ଜଣାଯାଇଛି। ଏହି ବେସରକରୀ ଜମିର ଟଙ୍କା ଆକଳନ କରାଯାଇନଥିବା ବେଳେ ଏହାକୁ ଏବେ ଆକଳନ ପ୍ରକ୍ରିୟା କରାଯାଇନାହିଁ। କାହାର କେତେ ଜମି ରାସ୍ତାରେ ପଡୁଛି ତାହାର ସର୍ଭେ ସରିଛି। ଏହାର ଆକଳନ ପରେ ଜମି ଅଧିଗ୍ରହଣ ପାଇଁ ଜମି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ଏକ ବିଜ୍ଞପ୍ତି ପ୍ରକାଶ ପାଇବ ଓ ଏହି ପ୍ରକ୍ରିୟା ପରେ ରାସ୍ତା କାମ ଆରମ୍ଭ ହେବ। ରାସ୍ତା ନିର୍ମାଣ ପାଇଁ ୨୭.୯୬ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କରାଯାଇଥିବାବେଳେ ଗତ ୧୫ ବର୍ଷ ହେବ ବ୍ଲୁ ପ୍ରିଣ୍ଟ ତିଆରି କରାଯାଉଛି, ୨୦୧୫ରେଜମି ଅଧିଗ୍ରହଣ କାର୍ଯ୍ୟପାଇଁ ବିଜ୍ଞପ୍ତି କରାଯାଇଛି। ପୁଣି ୨୦୧୮ରେ ବିଜ୍ଞପ୍ତି କରାଯାଇ ଲୋକଙ୍କ ଜମି ଏହି ରାସ୍ତାରେ ଯିବ ବୋଲି କୁହାଯାଇଥିଲା। ତେବେ ଏହାକୁ ତ୍ୱରାନ୍ୱିତ କରାଯାଇ ରାସ୍ତା ତିଆରି ହୋଇଥିଲେ ଜୟପୁର ସହ ଏହି ରାସ୍ତା ଦେଇ ବ୍ୟବସାୟ କରୁଥିବା ଆନ୍ଧ୍ର ଓ ଜଗଦଲପୁର ଏନ୍‍ଏମ୍‍ଡିସି ଓ ରାୟପୁରକୁର ବିଭିନ୍ନ ବଡ଼ ଅନୁଷ୍ଠାନ ଲାଭବାନ ହୋଇପାରିଥାନ୍ତେ ବୋଲି ମତପ୍ରକାଶ ପାଉଛି।

କୋରାପୁଟ ଜିଲାର ପ୍ରମୁଖ ସହର ଜୟପୁରର ଲୋକମାନେ ଏହି ରାସ୍ତା ତିଆରି ହୋଇଥିଲେ ସବୁଠାରୁ ଅଧିକ ଲାଭବାନ ହେବା ସହ ଦୁର୍ଘଟଣାରୁ ରକ୍ଷା ପାଇପାରନ୍ତେ ବୋଲି ଆଲୋଚନା ହେଉଛି। ଏଥିସହ ଉକ୍ତ ରାସ୍ତା ତିଆରି ହେଲେ ସହର ବଢିବାର ସୁଯୋଗ ମିଳିବ ଓ ଲୋକମାନେ ବ୍ୟବସାୟ କରିବାର ରାସ୍ତା ମଧ୍ୟ ପାଇପାରିବେ ବୋଲି କୁହାଯାଉଛି। ତେଣୁ ଏହି ରାସ୍ତାକୁ ଗୁରୁତ୍ୱ ଦେଇ ଜାତୀୟ ରାଜପଥ ବିଭାଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଏନଏଚ୍‍ ଯନ୍ତ୍ରୀ ଗୌତମ ପ୍ରକାଶ ବିଶ୍ୱାଳ ଜଣାଇଛନ୍ତି ଏହି ରାସ୍ତା ପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ସରିଛି। ଏବେ ଜମି ଅଧିଗ୍ରହଣ ହୋଇ ହିତାଧିକାରୀଙ୍କୁ ଟଙ୍କା ଦିଆସରିଲେ ରାସ୍ତା କାର୍ଯ୍ୟ ଆରମ୍ଭ ପାଇଁ ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.