ଯାଁଳାରେ ଗହଣା ଦୋକାନୀକୁ ଗୁଳି ମାଡ଼ ଘଟଣା ; ଘଟଣା ସ୍ଥଳ ଯାଞ୍ଚ କରୁଛି ପୁଲିସ ଓ ବୈଜ୍ଞାନିକ ଦଳ

ଅପରାଧିଙ୍କ ପତ୍ତା ମିଳିନି

ଖଣ୍ଡଗିରି :  ରବିବାର ରାତି ୯.୩୦ମିନିଟ ସମୟରେ ଦୁବୃର୍ତ୍ତ ମାନେ ଗହଣା ଦୋକାନୀ ପୁଅକୁ ଗୁଳିକରି ଫେରାର ହୋଇଗଲେ। ଗହଣା ଦୋକାନୀ ପୁଅ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ଲୋକଙ୍କୁ ଭୟଭୀତ କରିବା ପାଇଁ ୬ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ପୁଲିସ କେବଳ ଘଟଣା ସ୍ଥଳକୁ ଯାଞ୍ଚ କରୁଥିବା ବେଳେ ଅପରାଧୀ ମାନଙ୍କ ବାବଦରେ ସାମାନ୍ୟତମ ସୁରାକ ପାଇପାରି ନାହିଁ। ଘଟଣା ସ୍ଥଳରୁ ମିଳିଥିବା ମୋବାଇଲ ଫୋନର କଲ ରେକର୍ଡ ଯାଞ୍ଚ କରୁଥିବା ପୁଲିସ କହୁଛି । ଆବଶ୍ୟକ ସ୍ଥଳେ ଟାୱାର ଡମ୍ପର ସାହାଯ୍ୟ ନିଆଯିବ ବୋଲି ଜଣାପଡିଛି। ଆଜି ସ୍ଥାନୀୟ ଅଞ୍ଚଳର ରାଜପଥ ଉପରେ ଥିବା ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ ଯନ୍ତ୍ର ଯାଞ୍ଚ କରିଛି । କିନ୍ତୁ ସବୁ ସତ୍ତ୍ବେ ଅପରାଧୀ ମାନଙ୍କ ଟେର ପାଇନଥିବା ଜଣାପଡିଛି । ଦୁବୃର୍ତ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ସ୍ବତନ୍ତ୍ର ଦଳ ସହ ୩ଟି ଦଳ ଗଠନ କରାଯାଇଛି।
ଗହଣା ଦୋକାନୀ ଭଗବାନ ସୁବୁଦ୍ଧିଙ୍କ ପୁଅ ଲୋକନାଥଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଅଛି । ସୋମବାର ଅସ୍ତ୍ରୋପଚାର କରି ଗୋଡରୁ ଗୁଳି ବାହାର କରିବାର ଥିଲା କିନ୍ତୁ ଏମ୍ସ ଡାକ୍ତର ଅସ୍ତ୍ରୋପଚାର କରି ନଥିବା ଜଣାପଡ଼ିଛି । ଆଜି ସକାଳୁ ପୁଲିସ ବୈଜ୍ଞାନିକ ଦଳ ସହ ଗୁଳିକାଣ୍ଡ ଘଟିଥିବା ସ୍ଥାନରେ ଛାନଭିନ କରିଥିଲା।ଘଟଣା ସ୍ଥଳରେ ପଡିଥିବା ରକ୍ତ ନମୁନା ସଂଗ୍ରହ କରିବା ସହ ଅନ୍ୟାନ୍ୟ ବସ୍ତୁର ନମୁନା ସଂଗ୍ରହ କରିଥିଲା । ଏହା ସହ ଯାଁଳା ବଜାରର ସ୍ବାତୀ ଜୁଏଲାରୀ ଚିତ୍ର ଉତ୍ତୋଳନ ଯନ୍ତ୍ରରୁ ପୁଲିସ କିଛି ଫୁଟେଜ ସଂଗ୍ରହ କରିଛି । ଗୁଳି କାଣ୍ଡର କିଛି ସମୟ ପୂର୍ବରୁ ଦୋକାନ ସମ୍ମୁଖରେ ଜଣେ ସନ୍ଦିଗ୍ଧ ବୁଲୁଥିବା ଫୁଟେଜ ରହିଛି । ଗୁଳିକରି ପରେ ଏକ ମଟରସାଇକେଲ ଯୋଗେ ଯାଉଥିବା ୩ ଜଣଙ୍କ ମଧ୍ୟରେ ସେହି ସନ୍ଦିଗ୍ଧ ଥିବା ଅନୁମାନ କରାଯାଇଛି । ଦୁବୃର୍ତ୍ତ ମାନେ ଖୋର୍ଦ୍ଧା ଦିଗରେ ଫେରାର ହୋଇଯାଇଥିଲେ। ଗତ ମାସ ୧୬ ତାରିଖରେ ଭଗବାନ ସୁବୁଦ୍ଧିଙ୍କ ଭାଇ କବିରାଜଙ୍କ ସାଗରିକା ଜୁଏଲାରୀରୁ ଗୁଳିମାଡ଼ କରି ଲୁଟିଥିବା ଲୁଟିଆ ମାନେ ମଧ୍ୟ ଖୋର୍ଦ୍ଧା ଦିଗରେ ଫେରାର ହୋଇଯାଇଥିଲେ। ସାଗରିକା ଜୁଏଲାରୀ ଲୁଟ ମାମଲାରେ ଲୁଟିଆ ମାନେ ଗୋଟିଏ ମଟରସାଇକେଲ ଛାଡ଼ି ଯାଇଥିବା ବେଳେ ଏହି ସ୍ବାତୀ ଜୁଏଲାରୀ ଲୁଟ ମାମଲାରେ ଦୁବୃର୍ତ୍ତ ମାନେ ମୋବାଇଲ ଛାଡ଼ି ଯାଇଛନ୍ତି । ପୁଲିସ ଗତଥର ମଟରସାଇକେଲରୁ ଲୁଟିଆ ମାନଙ୍କ ପାଖରେ ପହଁଞ୍ଚିବ ବୋଲି ଆଶା କରିଥିଲା। ମଟରସାଇକେଲ କାଗଜପତ୍ର ଯାଞ୍ଚ କରି ପୁଲିସ ଗଞ୍ଜାମ ଜିଲ୍ଲା ଆସ୍କା ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଶେଷରେ ନିରାଶ ହେବାକୁ ପଡିଲା। ଗାଡିଟି ଏକ ଚୋରା ଗାଡି ବୋଲି ଜଣାପଡିବା ପରେ ପୁଲିସ ହାତ ବାନ୍ଧି ବସିଲା। ଏଥର ପୁଲିସକୁ ମୋବାଇଲ ମିଳିଛି। ସେଥିରେ ଦୁଇ ଦୁଇଟି ସିମ କାର୍ଡ ଅଛି । ତେଣୁ ପୁଲିସ ଦୁବୃର୍ତ୍ତ ମାନଙ୍କ ପାଖରେ ପହଁଞ୍ଚିବ ବୋଲି ଆଶା ବାନ୍ଧିଛି।
ସୂଚନା ଯୋଗ୍ୟ କି ଗତକାଲି ରାତିରେ ଭଗବାନ ଓ ତାଙ୍କ ପୁଅ ଲୋକନାଥ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଆଗରୁ ଯୋଜନାବଦ୍ଧ ଭାବେ ରାଜପଥର ୫୦ମିଟର ଦୂରରେ ମୁଣ୍ଡମୁହାଣ ପୋଷ୍ଟ ଅଫିସ ରାସ୍ତାରେ ପ୍ରାୟ ୪/୫ ଜଣ ଦୁବୃର୍ତ୍ତ ଛକି ବସିଥିଲେ। ଗହଣା ଲୁଟ କରିବା ଉଦ୍ଦେଶ୍ୟରେ ଦୁବୃର୍ତ୍ତ ମାନେ ଲୋକନାଥଙ୍କୁ ଅଟକାଇ ଥିଲେ। ଲୋକନାଥ ଓ ତାଙ୍କ ବାପା ସାଙ୍ଗ ହୋଇ ଦୋକାନ ବନ୍ଦ କରି ବାହାରି ଥିଲେ ମଧ୍ୟ ଗସଣା ବ୍ୟାଗ୍ ତାଙ୍କ ବାପା ଆଗେ ଆଗେ ଗାଡ଼ିରେ ନେଇ ଯାଇଥିଲେ। କିନ୍ତୁ ଦୁବୃର୍ତ୍ତ ମାନେ ଲୋକନାଥଙ୍କ ଗାଡ଼ିରେ ଗହଣା ବ୍ୟାଗ୍ ଥିବା ଭାବି ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ  ଲୋକନାଥଙ୍କ ହାତରୁ ଖସିଯିବା ପାଇଁ ଗୁଳି ଚଳାଇଥିଲେ । ଶବ୍ଦ ଶୁଣି ଲୋକନାଥଙ୍କ ବାପା ପୁଣି ପଛକୁ ଫେରି ପୁଅ ଦେହରେ ଗୁଳି ବାଜିଥିବା ଦେଖିଥିଲେ। ମୋ ପୁଅକୁ ମାରିଦେଲେ ମାରିଦେଲେ ବୋଲି ଚିତ୍କାର କରିଥିଲେ। ଗୁଳି ଶବ୍ଦ ଏତେ ଭୟଙ୍କର ଥିଲା ଯେ ପାଖ ପାଖରେ ଥିବା ଘର ଲୋକ ଭୟରେ ଘର ଭିତରକୁ ଦୌଡ଼ି ଥିଲେ । ଗହଣା ଦୋକାନୀ ଭଗବାନଙ୍କ କହିବା କଥା ଲୁଟିଆ ମାନେ ଲୁଟ୍ କରିବା ପୂର୍ବ ଦିନ ତାଙ୍କ ଘର ଆଗରେ ଚକ୍କର କାଟିଥିଲେ। ତେଣୁ ଲୁଟିଆ ମାନେ ଗହଣା ଲୁଟ କରିବି ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ଗତ ମାସରେ ଭଗବାନଙ୍କ ଭାଇ ଦୋକାନ ଲୁଟ୍ ବେଳେ ମଧ୍ୟ ଲୋକନାଥ ଲୁଟିଆ ମାନଙ୍କୁ ପିଛା କରିଥିଲେ। ଲୁଟିଆ ମାନେ ମଧ୍ୟ ଲୋକନାଥ ଉପରକୁ ଗୁଳି ଚଳାଇଥିଲେ । ତେଣୁ ଏସବୁ ଦିଗକୁ ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି । ତେଣୁ ଏକ ମାସ ମଧ୍ୟରେ ଯାଁଳା ବଜାର ଉପରେ ଲୁଟ ପାଇଁ ଦୁଇ ଦୁଇ ଥର ଗୁଳିକାଣ୍ଡ ଲୋକମାନଙ୍କୁ ଆତଙ୍କିତ କରିଛି।

ଲୁଟେରାଙ୍କ ଟାର୍ଗେଟରେ ଗହଣା ଦୋକାନୀ

ଡିସେମ୍ବର ୪ – ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲଟା ଛକରେ ଥିବା ଓମ୍ ପ୍ରକାଶ ସାହୁଙ୍କ ଲକ୍ଷ୍ମୀ ନାରାୟଣ ଜୁଏଲାରୀର ସଟର ତାଡି ଏକ କେଜି ସୁନା, ଦଶ କିଲୋ ରୁପା ଓ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ମୋଟ କୋଟିଏ ଟଙ୍କାର ଗହଣା ଚୋରି ହୋଇଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ ।

ମାର୍ଚ୍ଚ ୧୬ – ଦୁଇ ଜଣ ଦୁର୍ବୃତ୍ତ ଯାଁଳା ବଜାରରେ ଥିବା କବିରାଜ ସୁବୁଦ୍ଧିଙ୍କ ସାଗରିକା ଜୁଏଲାରୀରୁ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିଲେ । ଶ୍ରୀ ସୁବୁଦ୍ଧି ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେମାନେ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ । ଏନେଇ ଶ୍ରୀ ସୁବୁଦ୍ଧି ଇନଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ ।

୨୧ ଏପ୍ରିଲ – ଲକ୍ଷ୍ମୀ ନାରାୟଣ ଜୁଏଲାରୀର ମାଲିକ ଓମ୍ ପ୍ରକାଶ ସାହୁ ଗହଣା ଭର୍ତ୍ତି ବ୍ୟାଗ ଧରି ଘରକୁ ଫେରୁଥିବା ବେଳେ ଶତାବ୍ଦୀ ନଗର ରାସ୍ତାରେ ଲୁଟେରାଙ୍କ ହାବୁଡରେ ପଡିଥିଲେ । ଲୁଟେରା ମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

Comments are closed.