ସମସ୍ତ ବିମାନ ବାତିଲ କଲା ଜେଟ୍‌ ଏୟାରୱେଜ୍‌

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ିଥିବା ଜେଟ୍‌ ଏୟାରୱେଜ୍‌ ଶେଷରେ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ବୁଧବାର ରାତିରୁ ସବୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଥିବା ଜେଟ୍‌ ଏୟାରୱେଜ୍‌ ପକ୍ଷରୁ କୁହାଯାଇଛି। ବିମାନ ଉଡ଼ାଣ ପାଇଁ ଆବଶ୍ୟକ ଜରୁରିକାଳୀନ ସହାୟତା ରାଶି ନ ମିଳିବାରୁ ସଂସ୍ଥା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ଜେଟ୍‌ ଏୟାରୱେଜକୁ ଋଣ ମୁକ୍ତ ହେବା ଲାଗି ୮୦୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ସଂସ୍ଥାକୁ ଏହି ଋଣ ଦେଇଥିଲେ। ସେଥିମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କର ଋଣ ଅଂଶ ସର୍ବାଧିକ ରହିଛି। ବିମାନ ଉଡ଼ାଣ ଜାରି ରଖିବା ଲାଗି ଜେଟ୍‌ ପକ୍ଷରୁ ୪୦୦ କୋଟି ଟଙ୍କାର ଜରୁରିକାଳୀନ ପାଣ୍ଠି ଯୋଗାଇଦେବାକୁ ଏସବିଆଇ ନେତୃତ୍ଵାଧୀନ ବ୍ୟାଙ୍କର୍ସ କନ୍‌ସର୍ଟିୟମକୁ ଅନୁରୋଧ କରାଯାଇଥିଲା। କିନ୍ତୁ ଟଙ୍କା ଦେବାକୁ କନ୍‌ସର୍ଟିୟମ ପକ୍ଷରୁ ମନା କରିଦିଆଯାଇଥିଲା।

ଅନ୍ୟପେଟ ଜେଟ୍‌ ଏୟାରୱେଜ୍‌ର ନିଲାମ ଲାଗି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିଲାମ ଶେଷ ପରେ ସଂସ୍ଥାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇପାରେ ବୋଲି ସଂସ୍ଥା ଆଶା ରଖିଛି।

Comments are closed.