ଜେଟ୍‌ ଏୟାରୱେଜ୍‌ ସଙ୍କଟ : ପ୍ରଧାନମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ କର୍ମଚାରୀ

ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରୱେଜ୍‌ର କର୍ମଚାରୀଙ୍କ ପରିସ୍ଥିତି ଏବେ ଦିନକୁ ଦିନଶୋଚନୀୟ ହେବାରେ ଲାଗିଛି।  ନିଯୁକ୍ତି ହରାଇବା ଏବଂ ବକେୟା ଦରମା ନ ପାଇବା ଚିନ୍ତା ଏବେ କର୍ମଚାରୀଙ୍କୁ ଘାରିବାରେ ଲାଗିଛି । ବକେୟା ପାଉଣା ଲାଗି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​ମୋଦୀଙ୍କ ହସ୍ତକ୍ଷେପ ଲୋଡିଥିବା ଜେଟ୍‌ ଏୟାରୱେଜ୍‌ କର୍ମଚାରୀମାନେ ଏବେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ଚଳିତମାସ ୧୭ରୁ ସାମୟିକ ଭାବେ ଜେଟ୍‌ ଏୟାରୱେଜ୍‌ ଏହାର ବିମାନ ଉଡାଣ ବାତିଲ କରିଥିବା​ ବେଳେ ‌ଅନ୍ତରୀଣ ସମୟ ପାଇଁ ଜରୁରୀକାଳୀନ ଭାବେ ପାଣ୍ଠି ଯୋଗାଣକୁ ତ୍ବରିତ କରିବାକୁ କର୍ମଚାରୀମାନେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଜେଟ୍‌ ଏୟାରୱେଜ୍‌ର ସମ୍ପ୍ରୟତି ପାଖାପାଖି ୨୩୦୦୦ କର୍ମଚାରୀ ରହିଛନ୍ତି। ବିମାନ କମ୍ପାନୀ ପାଇଲଟ୍‌ଙ୍କ ସମେତ କର୍ମଚାରୀଙ୍କ ବେତନ ପ୍ରଦାନ ବିଳମ୍ବିତ କରିଛିା ଭବି​‌ଷ୍ୟତକୁ ନେଇ ସନ୍ଧିହାନ ହୋଇପଡିଥିବା ଜେଟ୍‌ ଏୟାରୱେଜ୍‌ର ଦୁଇଟି କର୍ମଚାରୀ ସଂଘ ସୋସାଇଟି ଫର ୱେଲଫେୟାର ଅଫ୍‌ ଇଣ୍ଡିଆନ୍‌ ପାଇଲଟ୍‌ (ସ୍ବିପ୍‌) ଏବଂ ଜେଟ୍‌ ଏୟାରୱେଜ୍‌ ମେଣ୍ଟନାନ୍ସ ଇଞ୍ଜିନିୟର୍ସ ସଂଘ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛି । ପ୍ରଭାବିତ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ପ୍ରକ୍ରିୟା ତ୍ବରିତ କରିବାକୁ ପତ୍ରରେ ଅନୁରୋଧ କରାଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଜେଟ୍‌ ଏୟାରୱେଜ୍‌ର କେତେକ କର୍ମଚାରୀ ଦୀର୍ଘ ୭ ମାସ ହେବ ଦରମା​‌ ପାଇନାହାଁନ୍ତି। ଏହି ସ୍ଥିତି ସମ୍ପର୍କରେ ଗତ ମାର୍ଚରେ କର୍ମଚାରୀ ସଂଘ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟ ଏକ ଘଟଣାକ୍ରମେ ଖୁବ୍‌ ଶୀଘ୍ର ଜେଟ୍‌ ଏୟାରୱେଜ୍‌ର ସମସ୍ତ କର୍ମଚାରୀଙ୍କୁ ଚାକିରି ମିଳିଯିବ ବୋଲି ଆଜି କେନ୍ଦ୍ର ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ା

Comments are closed.