ଓଡ଼ିଆ ବିଦ୍ୟାଳୟ ଉଚ୍ଛେଦ କଲା ଆନ୍ଧ୍ର

ଜେମାଦେଇପେଣ୍ଠ: ଗୋଟିଏ ପଟେ ଓଡ଼ିଶାର ଭୌଗୋଳିକ ମାନଚିତ୍ରକୁ ଖଣ୍ଡ ବିଖଣ୍ଡିତ କରିବାର ଷଡ଼ଯନ୍ତ୍ର, ଜମି, ଜଳ, ଜଙ୍ଗଲ ସବୁଥିରେ ବିବାଦ ଛିଣ୍ଡୁ ନ ଥିବାବେଳେ ଏବେ ସୀମାନ୍ତରେ ମାତୃଭା​‌ଷା ଉପରେ ପଡ଼ିଶାର ଲୋଲୁପ ନଜର। ସୀମାନ୍ତରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଦଳି ସୀମାରେ କର୍ତ୍ତୃତ୍ବ ଜାହିର କରିବାର ଅଭିପ୍ରାୟ। ସର୍ବଦା ବୈମାତୃକ ମନୋଭାବ ପୋଷଣ କରୁଥିବା ଆନ୍ଧ୍ର ନୂଆ କରି ସୃଷ୍ଟି କରିଥିବା ମାନ୍ୟମ ଜିଲାରୁ ଓଡ଼ିଆ ଭାଷା ତଥା ବିଦ୍ୟାଳୟକୁ ଉଚ୍ଛେଦ କରିବା ଆରମ୍ଭ କରିଛି। କିଛିଦିନ ତଳେ ଉଭୟ ରାଜ୍ୟର ନିଜର ଭାଷା ସଂସ୍କୃତିକୁ ସୀମାନ୍ତରେ ସମ୍ମାନ ଦେବା ସହ ବଞ୍ଚାଇ ରଖିବାକୁ ଚୁକ୍ତି କରିଥିଲେ ମଧ୍ୟ ନିଜ ପ୍ରତିଶ୍ରୁତିକୁ ଭୁଲିଯାଇଛି ଆନ୍ଧ୍ର। ସୀମାନ୍ତରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଉଭୟ ରାଜ୍ୟ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ପାଠ୍ୟପୁସ୍ତକ ଯୋଗାଣ ପାଇଁ ସଚିବ ସ୍ତରରେ କଥାବାର୍ତ୍ତା ହୋଇଥିଲା।

ଓଡ଼ିଶା ପ୍ରଶାସନ ତେଲୁଗୁ ଭାଷା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ସହ ଅଧ୍ୟୟନ କରୁଥିବା ତେଲୁଗୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ନିମନ୍ତେ ସୀମାନ୍ତ ଅଞ୍ଚଳରେ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ତେଲୁଗୁ ପାଠ୍ୟ ପୁସ୍ତକ ବାଣ୍ଟିବା ଆରମ୍ଭ କରିଛି ା ଶିକ୍ଷା ବର୍ଷ ଆରମ୍ଭରେ ଓଡ଼ିଶା ପ୍ରତିଶ୍ରୁତି ରଖିଥିଲାବେଳେ ଆନ୍ଧ୍ର ପ୍ରତିଶ୍ରୁତି ପାଳନ କରିବ କ’ଣ; ପାଲଟା ଓଡ଼ିଆ ଭାଷାର ପାଠ୍ୟ ପୁସ୍ତକ ବାଣ୍ଟିବା ତ ଦୂରର କଥା ନିଯୁକ୍ତି ପାଇଥିବା ଓଡ଼ିଆ ଶିକ୍ଷକ କିମ୍ବା ଅବସର ପରେ ଖାଲି ପଡ଼ିଥିବା ସ୍ଥାନରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତ ନ ଦେଇ ତେଲୁଗୁ କିମ୍ବା ହିନ୍ଦୀ ଭାଷାର ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦେଉଛି। ସୀମାନ୍ତ ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ୧୪ ଜଣ ତେଲୁଗୁ ଭାଷା ଶିକ୍ଷକ ଭିନ୍ନ ଭିନ୍ନ ବିଦ୍ୟାଳୟ ରେ ନିଯୁକ୍ତି ପାଇଥିଲାବେଳେ ଆନ୍ଧ୍ରରେ ଓଡ଼ିଆ ବିଦ୍ୟାଳୟ କିମ୍ବା ବହୁ ଭାଷୀ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନାହାନ୍ତି।

ମାନ୍ୟମ୍ ଜିଲାର ସଦର ମହକୁମା ପାର୍ବତୀପୁରମର ଜଗନ୍ନାଥପୁରରେ ଥିବା ଏକମାତ୍ର ଓଡ଼ିଆ ବିଦ୍ୟାଳୟ କୁ ଆନ୍ଧ୍ର ପ୍ରଶାସନ ବନ୍ଦ କରି ଦେଇଛି। ଏଠାରେ ଥିବା ଆନ୍ତଃ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଓଡ଼ିଆ ଅଧ୍ୟାପକ ପଦକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଛେଦ କରି ଦେଇଛନ୍ତି। ପୁଣି ଏହି କିଛିଦିନ ପୂର୍ବରୁ ସାଲୁରରେ ଥିବା ଆଉ ଏକ ଓଡ଼ିଆ ବିଦ୍ୟାଳୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଧ୍ର ସରକାର ବନ୍ଦ କରିଦେଇଛି ା ନୂଆ କରି ସୃଷ୍ଟି କରିଥିବା ମାନ୍ୟମ ଜିଲାରେ ଓଡ଼ିଆ ଭାଷା ଓ ବିଦ୍ୟାଳୟ କୁ ଆନ୍ଧ୍ର ଏକ ପ୍ରକାର ଉଚ୍ଛେଦ କରି ଦେଇଛି। ପୁଣି ବିଶାଖାପାଟଣା ଶ୍ରୀକାକୁଲମ ଓ ମାନ୍ୟମ ଜିଲାରେ ବହୁଭାଷୀ ତଥା ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ୨୦୦ ଓଡ଼ିଆ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟ ଗୁଡିକରେ ୬୦୦ ଶିକ୍ଷକ ପଦ ଖାଲି ପଡିଥିଲା ବେଳେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଅନେକ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଛନ୍ତି ା

ଅନେକ ବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡ଼ିଛି। ଏପଟେ ଓଡ଼ିଶାରେ ସୀମାନ୍ତ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସୀମାନ୍ତ ଜିଲା ଗୁଡ଼ିକରେ ୪୧ଟି ତେଲୁଗୁ ମାଧ୍ୟମ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ୧୩୯ଜଣ ଶିକ୍ଷକ ନିଯୁକ୍ତି ପାଇଥିଲା ବେଳେ ୧୭୮ଜଣ ସ୍ଥାୟୀ ଶିକ୍ଷକ ଭାବେ ଭିନ୍ନ ଭିନ୍ନ ବିଦ୍ୟାଳୟ ରେ ଶିକ୍ଷାଦାନ କରୁଛନ୍ତି। ସବୁ ଶ୍ରେଣୀ ଓ ସବୁ ବର୍ଗ ପାଇଁ ପ୍ରଶାସନ ଉଦ୍ୟମ ରେ ପାଠ୍ୟ ପୁସ୍ତକ ଯୋଗାଇ ଦେଉଥିଲାବେଳେ ଆନ୍ଧ୍ର ପ୍ରଶାସନ ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ସୀମାନ୍ତ ଓଡ଼ିଆ ପିଲାଙ୍କ ଭବିଷ୍ୟତ ଓ ଓଡ଼ିଆଙ୍କ ଭାବାବେଗ ସହ ଖେଳ ଖେଳିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ ହେଉଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ପ୍ରତିକ୍ରିୟା ନେବାରୁ ଭାଷା ଓ ସଂସ୍କୃତିକୁ ଉଭୟ ସୀମାନ୍ତ ରାଜ୍ୟ ସମ୍ମାନ ଦେବା କଥା। ଆନ୍ଧ୍ରରେ ଓଡ଼ିଆ ବିଦ୍ୟାଳୟ ବନ୍ଦ ହେବା ଓ ଶିକ୍ଷକ ନିଯୁକ୍ତିକୁ ସେଠାକାର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ନ ଦେବା ନିହାତି ଚିନ୍ତାଜନକ ା ତଥାପି ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି କିପରି ଆନ୍ଧ୍ର ସୀମାନ୍ତ ଜିଲାରେ ଥିବା ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ା

Comments are closed.