ଜୀବନ ଏକ ନାଟକ, ଲୋକଙ୍କ ହୃଦୟରେ ଘର କରିଛନ୍ତି କାଳୀପ୍ରସାଦ

ବଲାଙ୍ଗିର: ଜନ୍ମ ସତ୍ୟ, ମୃତ୍ୟୁ ବି ଧୃବ ସତ୍ୟ। ହେଲେ ଏହାରି ଭିତରେ କିଛି ଲୋକ ଜୀବନର ଭିଡ ଭିତରୁ ବାହାରି ଛିଡ଼ା ହୁଅନ୍ତି। ଜୀବନ ସହ ଜୁଝନ୍ତି। ବାରି ହେଇଯାଆନ୍ତି ଭିଡ଼ ଭିତରୁ। ତାଙ୍କ କର୍ମ ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜେ। ଟଙ୍କା କେବଳ ଜୀବନର ମାପଦଣ୍ଡ ହୋଇ ରହେ ନାହିଁ। ମୁହଁରେ ରଙ୍ଗ ମାଖନ୍ତି, ଅଭିନୟ କରନ୍ତି। ଗୀତର ତାଳେ ତାଳେ ଝୁମନ୍ତି ବି ମତୁଆଲା ହୋଇ। ଆଉ ରଙ୍ଗ,କଲମର କଥା ପଡିଲେ ସେମାନେ କାଗଜରେ ଆଙ୍କି ଦିଅନ୍ତି ତାଙ୍କ ଶ୍ରେଷ୍ଠତ୍ୱ। ଦୁଃଖ ଓ ସୁଖର ଜୀବନକୁ ଉପଭୋଗ କରନ୍ତି। ଏମିତି କିଛି ବ୍ୟକ୍ତିତ୍ୱଙ୍କ କାହାଣୀକୁ ନେଇ ଆମର ଉପସ୍ଥାପନା ଜୀବନ ଏକ ନାଟକ…।

‘ବାଏର୍‍ ତରେ ତରେ ଗଲାରେ ଭାଲୁ ଖସ୍‍ ଖସ୍‍…’। ଆଜି ବି ଏହି ଗୀତ ଲୋକଙ୍କ ସ୍ୱରରେ ଗୁଞ୍ଜରିତ ହୁଏ। ସେ ସମୟରେ ଡିଜିଟାଲ ଯୁଗ ନଥିଲା। ପୁରପଲ୍ଲୀରେ ବେଶ ପରିଚିତି ପାଇଥିଲା ଏ ଗୀତ। ଆଉ ଏହି ଗୀତର କଣ୍ଠଶିଳ୍ପୀଙ୍କୁ ଲୋକେ ଦେଖି ନଥିଲେ ହେଁ ହୃଦୟରେ ସଙ୍ଗୀତଜ୍ଞ କାଳୀ ପ୍ରସାଦ ଷଡଙ୍ଗୀ ଜାଗା ଦେଇଛନ୍ତି ସଙ୍ଗୀତ ପ୍ରେମୀ। କେବଳ ସେହି ଗୋଟେ ଗୀତ ନୁହେଁ, ଭାଲା ଚହଟ ମଲି…, ଗେହ୍ଲେଇ ରାନୀ ଯିବା ଶାଶୁଘର, ରସବତୀ ବିଲାସ, ଚିକିଚାକେ ଧନ ଯାଉଛ ଭୁଲି-ମୋର୍‍ କାଇଁଚ ମାଲି, ଛଇଲିରେ ଛଇଲି ମୋର୍‍ କଲାବତୀ ନିଆଁଲି, ଆ ଆରେ ଚୋପ୍‍ କାଁଡିଆ ପାସ୍‍କେ ଘାଏଁ ମୋର ଆ…ଏହି ଗୀତ ଗୁଡିକ ରେକର୍ଡ ସୃଷ୍ଟି କରିଛି।

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ଅବିଭକ୍ତ ତରଭାରେ ୧୯୪୨ ମସିହା ଜୁନ ୧ ତାରିଖରେ ଏ ଅଞ୍ଚଳର ସୁନାମଧନ୍ୟ କଳା ସାଧକ ସ୍ୱର୍ଗତ ନଟବର ଷଡଙ୍ଗୀ ଓ ଗୋଲାପୀ ଷଡଙ୍ଗୀ କୋଳ ମଣ୍ଡନ କରିଥିଲେ ସଙ୍ଗୀତଜ୍ଞ କାଳୀପ୍ରସାଦ। ତାଙ୍କ ପିତା ସ୍ୱର୍ଗତ ଷଡଙ୍ଗୀ ସେତେବେଳେ କୋଲକାତାର ଏଚ୍‍ଏମ୍‍ଭି କମ୍ପାନୀ ଦ୍ୱାରା ପଶ୍ଚିମ ଓଡିଶାର ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ଓ ପ୍ରାୟୋଜିତ ଲୋକଗୀତ ‘ରଜା ଇନୁ ତୁଇ ଫିରିଯା’କୁ ପ୍ରଥମ ଥର ପାଇଁ ତାଙ୍କ ସୁଲଳିତ କଣ୍ଠରେ ପରିବେଷଣ କରିବା ସୌଭାଗ୍ୟ ଅର୍ଜନ କରିଥିଲେ। ସେହିଦିନ ଠାରୁ ଏହି ସୁମଧୁର ଲୋକ ସଙ୍ଗୀତ ଶୈଳୀକୁ ପ୍ରଥମ ଥର ପାଇଁ ପ୍ରଚାର ପ୍ରସାର କରିବା ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଥିଲା। ପିତାଙ୍କ କୋଳରୁ ହିଁ ସଙ୍ଗୀତିକ ଧ୍ୱନୀରେ କାଳୀପ୍ରସାଦ ଲାଳିତ ପାଳିତ ହୋଇଥିଲେ। ବାଲ୍ୟକାଳରୁ ସଙ୍ଗୀତ ପ୍ରତି ପ୍ରେରଣା ପାଇ ପିତୃଦତ୍ତ ପ୍ରତିଭା ଦ୍ୱାରା ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ।

ପିତାଙ୍କ ଠାରୁ ଶିକ୍ଷା ଗ୍ରହଣ ପରେ ପଶ୍ଚିମ ଓଡିଶାର ସର୍ବପୁରାତନ ସାଂସ୍କୃତିକ କେନ୍ଦ୍ର କୋଶଳ କଳାମଣ୍ଡଳ ଠାରେ ଯୋଗଦାନ କରି ତତ୍କାଳୀନ ସଙ୍ଗୀତ ବିଦ୍ୱାନଙ୍କ ଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୬୧ ମସିହାରେ ମାଟ୍ରିକ ପାସ୍‍ କରିବା ପରେ ମହାରାଷ୍ଟ୍ରର ପୁଣେ ସ୍ଥିତ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳର ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଭାଗରେ ଯୋଗଦେଇଥିଲେ। ପ୍ରଖ୍ୟାତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଗୁରୁ ପଣ୍ଡିତ ସ୍ୱର୍ଗତ କେଶବ ବୁଆ ଇଙ୍ଗଲେଙ୍କ ଠାରୁ ଶିକ୍ଷା ଲାଭ କରି ମଧ୍ୟମା ପାସ୍‍ କରିଥିଲେ। ଏହି ଶିକ୍ଷା ଗ୍ରହଣ ସମୟରେ ତତ୍କାଳୀନ ବଲାଙ୍ଗିର ଜିଲାପାଳଙ୍କ ମଞ୍ଜୁରୀ କ୍ରମେ ସୋନପୁର ଟ୍ରଷ୍ଟ ଫଣ୍ଡରୁ କାଳୀପ୍ରସାଦଙ୍କ ସଙ୍ଗୀତ ଅଧ୍ୟୟନର ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା। କିନ୍ତୁ ତାଙ୍କ ମା’ଙ୍କ ବିୟୋଗ ଯୋଗୁଁ ସେଠାରେ ଅଧିକ ଶିକ୍ଷାଲାଭ କରିବା ତାଙ୍କ ପାଇଁ ସମ୍ଭବ ହେଲା ନାହିଁ। ସଙ୍ଗୀତ ସାଧନାର ନିଶା ବସା ବାନ୍ଧିଥିବା ଯୋଗୁଁ ପୁଣେରୁ ଫେରିଆସି ବଲାଙ୍ଗିର ଠାରେ ସ୍ଥାୟୀ ଭାବେ ରହିଥିଲେ। ଦୀର୍ଘ ୫୫ ବର୍ଷ ହେଲା ନିଜର କଳାସାଧନା ଜାରି ରଖିବା ସହ ପାରମ୍ପରିକ କଳାର ପ୍ରଚାର ପ୍ରସାର କରି ଆସୁଛନ୍ତି ଶ୍ରୀ ଷଡଙ୍ଗୀ।

ସମ୍ବଲପୁର ଆକାଶବାଣୀ ଲୋକ ସଙ୍ଗୀତ ବିଭାଗରେ ସମ୍ମାନସ୍ପଦ ବି ହାଇଗ୍ରେଡ ମାନ୍ୟତାପ୍ରାପ୍ତ କଣ୍ଠଶିଳ୍ପୀ ଭାବରେ ବହୁ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଟଦାନ କରିଛନ୍ତି। ଏହି ବର୍ଷିଆନ ସଙ୍ଗୀତ ସାଧକ ନିଜର ସ୍ନେହୀ ଛାତ୍ରଛାତ୍ରୀ ତଥା ଅବିଭାବକଙ୍କ ଅନୁରୋଧରେ କାଳୀପ୍ରସାଦ ଷଡଙ୍ଗୀ ଲୋକସଙ୍ଗୀତ, ନୃତ୍ୟ, ଗୀତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ସେହି ଗବେଷଣା କେନ୍ଦ୍ର ମାଧ୍ୟମରେ ପାରମ୍ପରିକ ସଙ୍ଗୀତ ସଂରକ୍ଷଣ କରି ବହୁବିଧ ପ୍ରୟାସ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, ଗବେଷଣା କେନ୍ଦ୍ର କଳାକାରମାନଙ୍କୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ପ୍ରତିଷ୍ଠିତ ମଞ୍ଚରେ ପରିବେଷଣ କରିଛନ୍ତି। ଏହା ସହ ଅନେକ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଠାରୁ ଶ୍ରୀ ଷଡଙ୍ଗୀ ସମ୍ମାନିତ ହେବା ସହ ସ୍ୱୀକୃତି ଲାଭ କରିଛନ୍ତି।

Comments
Loading...