ସାହିତ୍ୟରେ ନୋବେଲ ପୁରସ୍କାର ବିବାଦ; ଆର୍ଣ୍ଣଲ୍ଟଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ

0

କୋପେନ୍‍ହାଗନ୍‍ : ନୋବେଲ ପୁରସ୍କାର ପ୍ରଦାନରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଉଠିଥିବା ଝଡ଼ ଏକରକମ ପ୍ରମାଣିତ ହୋଇଛି। ବିଶେଷକରି ସାହିତ୍ୟ ନୋବେଲ ପୁରସ୍କାରକୁ ନେଇ ଉଠିଥିବା ବିବାଦରେ ଜଣେ ସ୍ୱିଡିସ୍‍ ଏକାଡେମୀ ସଦସ୍ୟଙ୍କ ସ୍ୱାମୀ ଜେଲ୍‍ ଯାଇଛନ୍ତି। ଏଥିରେ ଦୋଷୀ ସାବ୍ୟସ୍ତ ଫରାସୀ ଫଟୋଗ୍ରାଫର ତଥା ସ୍ୱିଡେନ୍‍ର ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତିବିତ୍‍ ଜିନ୍‍ କ୍ଲଡ୍‍ ଆର୍ଣ୍ଣଲ୍ଟଙ୍କୁ ଦୁଇ ବର୍ଷ କାରାଣ୍ଡାଦେଶ ହୋଇଛି। ତାଙ୍କ ବିରୋଧରେ ନୋବେଲ ନୀତିନିୟମ ଉଲ୍ଲଙ୍ଘନ, ବଳାତ୍କାର ଓ ଦୁର୍ନୀତି ଅଭିଯୋଗ ହୋଇଥିଲା। ବଳାତ୍କାର ଓ ଯୌନ ନିର୍ଯାତନା ମାମଲାରେ ଆର୍ଣ୍ଣଲ୍ଟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ୧୯୯୬ରୁ ଅଦ୍ୟାବଧି ୭ ଥର ନୋବେଲ ସାହିତ୍ୟ ପୁରସ୍କାର ବିଜେତାଙ୍କ ନାମ ପ୍ରଘଟ କରିଥିବା କୁହାଯାଇଥିଲା। ଏହାଛଡ଼ା ୨୦୧୧ରେ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଷ୍ଟକ୍‍ହୋମ୍‍ ଜିଲା ବିଚାରପତି ଗୁଡ୍ରୁନ୍‍ ଆଣ୍ଟେମାର ସୋମବାର ଏହି ଦଣ୍ଡ ଘୋଷଣା କରିବା ପରେ ଆର୍ଣ୍ଣଲ୍ଟ ଜେଲ୍‍ ଯାଇଛନ୍ତି। ସ୍ୱିଡେନ୍‍ରେ ବଳାତ୍କାର ପାଇଁ ସର୍ବନିମ୍ନ ୨ବର୍ଷ ଓ ସର୍ବାଧିକ ୬ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି।
ଆର୍ଣ୍ଣଲ୍ଟ ନୋବେଲ ପୁରସ୍କାର ପ୍ରଦାନ କରୁଥିବା ସ୍ୱିଡିସ୍‍ ଏକାଡେମୀ ସଦସ୍ୟା ତଥା କବୟିତ୍ରୀ କାଟାରିନା ଫ୍ରଷ୍ଟେନ୍‍ସନ୍‍ଙ୍କୁ ବିବାହ କରିଛନ୍ତି। ଆର୍ଣ୍ଣଲ୍ଟଙ୍କୁ ନେଇ ବିବାଦ ସୃଷ୍ଟିହେବା ପରେ ଗତ ଏପ୍ରିଲରେ କାଟାରିନା ଓ ସ୍ୱିଡିସ୍‍ ଏକାଡେମୀର ସ୍ଥାୟୀ ସଚିବ ସାରା ଡେନିୟସ୍‍ଙ୍କ ସହ ୭ସଦସ୍ୟଙ୍କୁ ପଦ ହରାଇବାକୁ ପଡ଼ିଛି। ଏଥିସହିତ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାରକୁ ସ୍ଥଗିତ ରଖାଯାଇଛି। ଏଥିପାଇଁ ୭୨ବର୍ଷୀୟ ଆର୍ଣ୍ଣଲ୍ଟଙ୍କୁ ହିଁ ଦାୟୀ କରାଯାଇଛି।
ସ୍ୱିଡିସ୍‍ ଏକାଡେମୀରେ ୧୮ ଆଜୀବନ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥାଏ। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ବିରୋଧରେ କିଛି ମାସ ପୂର୍ବେ ବିଶ୍ୱାସଭଙ୍ଗ ଓ ପ୍ରିୟାପ୍ରୀତି ତୋଷଣର ଅଭିଯୋଗ ହୋଇଥିଲା। ଏମିତିକି ନୋବେଲ ପୁରସ୍କାର; ବିଶେଷକରି ସାହିତ୍ୟରେ ପୁରସ୍କାର ବିଜେତାଙ୍କ ଚୟନରେ ଦୁର୍ନୀତି ହୋଇଥିଲା। ଗତ ବର୍ଷ ନଭେମ୍ବରରେ ୧୮ଜଣ ବିଶିଷ୍ଟ ମହିଳା ଏ ସମ୍ପର୍କରେ ସ୍ୱିଡେନ୍‍ ଗଣମାଧ୍ୟମକୁ ସୂଚନା ଦେବା ପରେ ଦୁର୍ନୀତି ସମ୍ପର୍କରେ ବିସ୍ଥଅତ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ଝଡ଼ ସୃଷ୍ଟି କରିଥିଲା। ବିଶେଷ ଭାବେ ଆର୍ଣ୍ଣଲ୍ଟଙ୍କ ପ୍ରତି ସମ୍ପୃକ୍ତ ମହିଳାମାନେ ଅଙ୍ଗୁଳି ନିର୍ଦେଶ କରିଥିଲେ। ଦୁଇ ଜଣ ମହିଳା ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବାବେଳେ ଗୋଟିକରେ ଏହା ପ୍ରମାଣିତ ହୋଇ ନଥିଲା। ଗତ ଏପ୍ରିଲରେ ସ୍ୱିଡିସ୍‍ ଏକାଡେମୀ ଘଟଣାର ତଦନ୍ତ କରିଥିଲା; ଯେଉଁଥିରେ ଉପରୋକ୍ତ ଅଭିଯୋଗ ପ୍ରମାଣିତ ହୋଇଥିଲା। ପରେ ମାମଲା ପୁଲିସକୁ ହସ୍ତାନ୍ତର ହୋଇଥିଲା।

Leave A Reply