ଈର୍ଷା ଓ ଛଦ୍ମ ସମ୍ଭ୍ରାନ୍ତ ଓଡ଼ିଶାର ପ୍ରଧାନ ଶତ୍ରୁ

ପ୍ରମୋଦ କୁମାର ପଣ୍ଡା

ସାଧାରଣତଃ ବ୍ୟକ୍ତି ବା ରାଷ୍ଟ୍ର ନିଜର କର୍ତ୍ତବ୍ୟ ବଳରେ ଉନ୍ନତିର ସୋପାନ ଚଢେ ଓ ଶୀର୍ଷ ସ୍ଥାନରେ ପହଞ୍ଚେ । ମାତ୍ର ବ୍ୟକ୍ତି ବା ରାଷ୍ଟ୍ରର ପ୍ରଗତିଶୀଳ ଜୀବନଚର୍ଯ୍ୟା ସମୟରେ ଯଦି ବିଭିନ୍ନ ଶତ୍ରୁ ତା’ର ଗତିରୋଧ କରନ୍ତି, ତା ହେଲେ ତାଙ୍କର ପ୍ରଗତିରେ ବାଧା ଉପୁଜିବା ସୁନିଶ୍ଚିତ । ତେଣୁ ବାଧା ବିହୀନ ପ୍ରଗତି ପାଇଁ ବ୍ୟକ୍ତି ବା ରାଷ୍ଟ୍ର ଜୀବନରେ ପ୍ରଥମ କର୍ତ୍ତବ୍ୟ ହେଲା ଶତ୍ରୁମାନଙ୍କୁ ଠିକ ରୂପେ ଚିହ୍ନିବା ଓ ସେମାନଙ୍କର ମୂଳୋତ୍ପାଟନ କରିବା । ଆମେ ଯଦି ଆମର ଶତ୍ରୁମାନଙ୍କୁ ସଠିକ ରୂପେ ଚିହ୍ନି ନ ପାରିବା ଓ ସେମାନଙ୍କର ବିନାଶ ପାଇଁ ଚେଷ୍ଟା ନ କରିବା, ଆମର ପ୍ରଗତି ପ୍ରତିହତ ହେବା ସୁନିଶ୍ଚିତ । ମାତ୍ର ଆମେ ଯେତେବେଳେ ଓଡ଼ିଶାର ଦୁରବସ୍ଥାର କାରଣ ବିଷୟରେ ବିଶ୍ଳେଷଣ କରନ୍ତି, ସେତେବେଳେ ସାଧାରଣତଃ ଚିରାଚରିତ ପ୍ରତିବନ୍ଧକୁ ଅଧିକ ମହତ୍ତ୍ବ ଦିଅନ୍ତି । ଯେପରି କି ଆମେ କହନ୍ତି ବାତ୍ୟା,ବନ୍ୟା, ମରୁଡି ଆଦି ଆମର ମୁଖ୍ୟ ପ୍ରତିବନ୍ଧକ । ମାତ୍ର ଆମଠୁ ଅଧିକ ବାତ୍ୟା, ବନ୍ୟା ସାମନା କରୁଥିବା ବାଂଲାଦେଶ କିପରି ଆମର ମୋଟ ଘରୋଇ ଉତ୍ପାଦନର ୩ ଗୁଣା ହିସାବରେ ନିଜର ଘରୋଇ ଉତ୍ପାଦକୁ ବଢାଇ ପାରୁଛି । ସେହିପରି ଯଦି ଆମେ ବର୍ଷକୁ ୧୫୦୦ ମିଲିମିଟର ବୃଷ୍ଟିପାତ ପାଇ ମରୁଡିକୁ ଆମର ପ୍ରତିବନ୍ଧକ ମାନିବା, ତା’ ହେଲେ ମାତ୍ର ୪୯୪ ମିଲିମିଟର ବାର୍ଷିକ ବୃଷ୍ଟିପାତ ହେଉଥିବା ରାଜସ୍ଥାନର ସ୍ଥିତି କ’ଣ ହେବ, ତାହା ସହଜରେ ଅନୁମେୟ । ଯଦି ଆମେ ୭୪ ପ୍ରତିଶତ ସାକ୍ଷରତା ସହିତ ନିରକ୍ଷରତା ଆମର ମୁଖ୍ୟ ପ୍ରତିବନ୍ଧ ବୋଲି ମାନିବା, ତା’ ହେଲେ ଆନ୍ଧ୍ରପ୍ରଦେଶ ୬୬ ପ୍ରତିଶତ ସାକ୍ଷରତା ସହିତ କିପରି ଆମଠୁ ଅଧିକ ଆର୍ଥିକ ଓ ସାମାଜିକ ପ୍ରଗତି ଲାଭ କରିପାରିଲା । ତେଣୁ ପୁସ୍ତକଗତ ଚିରାଚରିତ ପ୍ରତିବନ୍ଧକୁ ଛାଡି ମୁଖ୍ୟ ପ୍ରତିବନ୍ଧକୁ ଚିହ୍ନିବାକୁ ପଡିବ ଓ ସେଗୁଡିକର ମୂଳୋତ୍ପାଟନ କଲେ ଯାଇ ଆମେ ଆମର ପ୍ରଗତିକୁ ସୁନିଶ୍ଚିତ କରିପାରିବା । ରାଜ୍ୟ ବା ରାଷ୍ଟ୍ରର ପ୍ରଗତି ପାଇଁ ସେଠାକାର ନାଗରିକ ମାନଙ୍କର ସହଯୋଗ ଓ ସହଭାଗିତା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଚେନ୍‌ର ମହତ୍ତ୍ବ ସେତେବେଳେ ବଢେ ବା ତାହା କ​‌େ​‌ର୍ମାପଯୋଗୀ ହୁଏ, ଯେତେବେଳେ ଚେନ୍‌ଟିରେ ଥିବା ପ୍ରତି ଲୁହା କଡିଗୁଡିକ ସଶକ୍ତ ଥାଆନ୍ତି । ବର୍ତ୍ତମାନ ସମାଜରେ ଯେ କୌଣସି କାର୍ଯ୍ୟ କରିବାକୁ ହେଲେ, ଆମେ ବ୍ୟକ୍ତିଗତ ସ୍ତରରେ ସବୁକିଛି କରିପାରିବା ନାହିଁ । ଆମକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡିବ ; ମାତ୍ର ଯଦି ଆମେ ଅନ୍ୟର ସହଯୋଗ ନ ନିଅନ୍ତି ବା ଅନ୍ୟକୁ ସହଯୋଗ ନ କରନ୍ତି, ତା ହେଲେ କାର୍ଯ୍ୟଟି ଅଧାରୁ ଅଟକିଯିବ। ସେହିପରି କାହାରିକୁ ନ ଠକି ବିଶ୍ବାସଭାଜନ ହେବା ଗୁଣ ମଧ୍ୟ ବିଭିନ୍ନ କାର୍ଯ୍ୟ ଶୃଙ୍ଖଳକୁ ଅଗ୍ରସର କରାଇବାରେ ସହାୟକ ହୋଇଥାଏ । ଏହି କ୍ରମରେ ଯଦି ଆମେ ଭଲଭାବେ ଓଡିଆଙ୍କ ବର୍ତ୍ତମାନର ଗତିବିଧିକୁ ବିଶ୍ଳେଷଣ କରିବା, ଦେଖାଯିବ ଯେ ଆମର ପ୍ରଧାନ ଶତ୍ରୁ ଈର୍ଷା ଓ ଛଦ୍ମ ସମ୍ଭ୍ରାନ୍ତ । ଭାରତବର୍ଷର ପ୍ରଥମ ବାଣିଜ୍ୟିକ ଜାତି ହେଉଛି ଓଡିଆ । ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ପୂର୍ବରୁ ଆମେ ବିଭିନ୍ନ ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କର ସହଭାଗିତା ଥିଲା । ନୌକା ଚାଳନା, ରୋଷେୟା, ବ୍ୟବସାୟୀ, ନୌକା ମିସ୍ତ୍ରି, ବିକ୍ରିକରିବା ବ୍ୟକ୍ତି, ମାଲିକ ଇତ୍ୟାଦି ଇତ୍ୟାଦି । ସମସ୍ତଙ୍କର ନିଷ୍ଠାପର ସହଯୋଗରେ ପୁରାତନ ଭାରତରେ କଳିଙ୍ଗ ଏକ ସମୃଦ୍ଧ ରାଷ୍ଟ୍ର ହିସାବରେ ଖ୍ୟାତିଲାଭ କରିଥିଲା । ଏପରି କି ମଧ୍ୟ ଯୁଗୀୟ ଭାରତରେ ମଧ୍ୟ ଆମ ସହଯୋଗ ଓ ସହଭାଗିତା ଦ୍ବାରା ଉତ୍କଳର ପ୍ରଭୂତ ଉନ୍ନତି ପରିଲକ୍ଷିତ ହୋଇଥିଲା କପିଳେନ୍ଦ୍ରଦେବ ଓ ପୁରୁଷୋତ୍ତମଦେବଙ୍କ ସମୟରେ । ମାତ୍ର ବର୍ତ୍ତମାନ ଆମ ଜାତୀୟ ଚରିତ୍ରରେ ଅବନତି ଦେଖାଯାଇଛି । ଆମେ ଈର୍ଷାପରାୟଣ ହୋଇ ଯାଇଛୁ । ଆମେ ଆମର ପଡୋଶୀର ଅର୍ଥନୈତିକ, ସାମାଜିକ, ଧାର୍ମିକ, ବୌଧିକ, ରାଜନୈତିକ, ବ୍ୟାବସାୟିକ ପ୍ରଗତିକୁ ସହିପାରୁ ନାହୁଁ । ଆମେ ଈର୍ଷାରେ ଜଳିଯାଉଛୁ । ପଡୋଶୀର ପ୍ରଗତିରୁ ଶିକ୍ଷା ଲାଭ କରି ଆମେ ବଢିପାରୁ ନାହୁଁ । ଯେଉଁମାନେ ପ୍ରଗତିର ଶୀର୍ଷରେ ପହଞ୍ଚିଛନ୍ତି, କାଳେ ଅନ୍ୟମାନେ ସେ ଅବସ୍ଥାରେ ପହଞ୍ଚିଯିବେ, ସେଥିପାଇଁ ଅନ୍ୟ ଭାଇକୁ ବିଜୟ ରାସ୍ତା ବତାଉ ନାହାନ୍ତି । ପାଠକବନ୍ଧୁ ! ଦେଖନ୍ତୁ ମାରୱାଡି, ବଙ୍ଗାଳି, ପଞ୍ଜାବୀମାନଙ୍କୁ, ସେମାନଙ୍କ ମଧ୍ୟରେ ଏକତା ଅଛି, ସହଯୋଗିତା ମନୋଭାବ ରହିଛି । ସେଥିପାଇଁ ସେମାନେ ପ୍ରଗତିର ଶୀର୍ଷରେ ପହଞ୍ଚିଛନ୍ତି। ଆନ୍ଧ୍ର ପ୍ରଦେଶରେ ଚାଷୀ ପୋଖରୀରୁ ମାଛ ଚୋରି ହେଉନାହିଁ, ତାମିଲନାଡୁ ଚାଷୀର କଦଳୀ ବାଡିରୁ କଦଳୀ ଚୋରି ହେଉନାହିଁ, କାଶ୍ମୀର ଚାଷୀର ସେଓ ବଗିଚାରୁ ସେଓ ଚୋରି ହେଉନାହିଁ, ମହାରାଷ୍ଟ୍ର ଚାଷୀ ବଗିଚାରୁ ଅଙ୍ଗୁର ଚୋରି ହେଉନାହିଁ, ମାତ୍ର ଓଡିଶାର ଚାଷୀ ପୋଖରୀରୁ ମାଛ ଚୋରି ହେବ, କଦଳୀ ଚୋରି ହେବ, ଅମୃତଭଣ୍ଡା ଚୋରି ହେବ । ଯଦି ଚୋରି ନ କରି ପାରିଲା, ତା’ ହେଲେ ରାତିରେ ଏକ ଶିଶି ବିଷ ପୋଖରୀରେ ପକାଇ ମାଛ ମାରିଦେବ । ଏହା ଆମ ଆତ୍ମ ସମ୍ମାନକୁ କ୍ଷୁଣ୍ଣ କରୁଛି ଓ ଆମର ପ୍ରଗତିରେ ବାଧା ପହଞ୍ଚାଉଛି । ତେଣୁ ଆମେ ଓଡିଶାବାସୀଙ୍କୁ ଈର୍ଷା ପରିତ୍ୟାଗ କରି ସବୁ ଓଡିଶାବାସୀଙ୍କୁ ହୃଦୟ ଦେଇ ଭଲ ପାଇବାକୁ ପଡିବ। ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଓଡିଆ ମାନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଆଗକୁ ଆଣିବାକୁ ହେବ। ନ ହେଲେ ଆମେ କେବେ ବି ବିକଶିତ ଓଡ଼ିଶାକୁ ହାସଲ କରିପାରିବା ନାହିଁ, ଏହା କେବଳ ସ୍ବପ୍ନରେ ସୀମିତ ହୋଇ ରହିଯିବ । ଆମ ଓଡିଆ ମାନଙ୍କର ଆଉ ଏକ ପ୍ରଧାନ ପ୍ରତିବନ୍ଧକ ହେଲା ଛଦ୍ମ ସମ୍ଭ୍ରାନ୍ତ । ସବୁ କାର୍ଯ୍ୟ ସମାନ ଓ ସେମାନଙ୍କର ସମାନ ମହତ୍ତ୍ବ ରହିଛି । କୌଣସି କାର୍ଯ୍ୟ ବଡ କିମ୍ବା ଛୋଟ ନୁହେଁ । ଆମ ଶରୀରରେ ହାତ କିମ୍ବା ଆଖିର ଯେତେ ମହତ୍ତ୍ବ ରହିଛି, ମଳଦ୍ବାର କିମ୍ବା ମୂତ୍ରଦ୍ବାରର ମଧ୍ୟ ସେତିକି ଗୁରୁତ୍ବ ରହିଛି। କମ୍‌ ମହତ୍ତ୍ବ ବାଲା ଅଙ୍ଗଟି ଯଦି ଖରାପ ହୋଇଯାଏ, ବଞ୍ଚିବା ଦୁର୍ବିସହ ହୋଇପଡେ ଓ କେତେକାଂଶରେ ସମାଜ ଯାହାକୁ ଛୋଟ ଭାବେ, ପ୍ରକୃତ ପକ୍ଷେ ସେଗୁଡିକର ଗୁରୁତ୍ବ ଅଧିକ ଥାଏ ।
ଯେ କୌଣସି କାର୍ଯ୍ୟକୁ ନିଷ୍ଠାର ସହିତ କରି ସତ୍‌ ଉପାୟରେ ଅର୍ଥ ଉର୍ପାଜନ ଦ୍ବାରା ଆମେ ଗର୍ବ ଅନୁଭବ କରିବା ଉଚିତ ; ମାତ୍ର ତାହା ହେଉ ନାହିଁ । ଆମେ ଖାଲି ସରକାରୀ ସ୍ତରର ବଡ ବଡ ଚାକିରି କରିବାକୁ ପ୍ରାଧାନ୍ୟ ଦେଉଛନ୍ତି । ଲାଞ୍ଚ ମିଛ କିମ୍ବା ଧରାଧରିରେ କିପରି ସରକାରୀ ଚାକିରିଟିଏ ପାଇବୁ ସେଥି ପାଇଁ ସମସ୍ତେ ବ୍ୟସ୍ତ । ସମୟ ବଦଳିଛି, ରୋଜଗାରର ମାଧ୍ୟମ ମଧ୍ୟ ବଦଳିଛି, ସରକାରୀ ହେଉ କିମ୍ବା ବେସରକାରୀ ହେଉ କିମ୍ବା ବ୍ୟବସାୟ ହେଉ କିଛି ବି ସ୍ଥାନରେ ସତ୍‌ ଉପାୟରେ ରୋଜଗାର କରିବା ଉଚିତ । ଛଦ୍ମ ସମ୍ଭ୍ରାନ୍ତର ଅର୍ଥ ହେଲା, ଆମେ ସମ୍ଭ୍ରାନ୍ତ ନୁହେଁ, ମାତ୍ର ଅନ୍ୟ ପାଖରେ ସମ୍ଭ୍ରାନ୍ତଗିରି ଦେଖାଉ । ଯାହାଦ୍ୱାରା ମାନସିକ ସ୍ତରରେ ଆମେ ଛୋଟ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁନାହୁଁ । ଏହି ମାନସିକତା ଆମ ସାମାଜିକ ଜୀବନରେ ପ୍ରଚଳିତ ଥିବାରୁ, ଆମ ଜନ ସାଧାରଣ ଅନ୍ୟ ରାଜ୍ୟ କିମ୍ବା ସହରରେ ଛୋଟକାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ମାତ୍ର ନିଜ ଗାଁ, ସହର କିମ୍ବା ରାଜ୍ୟରେ ସେହି କାର୍ଯ୍ୟ କରିବାକୁ ସମ୍ମାନଜନକ ବୋଧ କରନ୍ତି ନାହିଁ । ଯାହା ଫଳରେ ପ୍ରତିବର୍ଷ ଆମ ରାଜ୍ୟରୁ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଅନ୍ୟ ରାଜ୍ୟକୁ ଛୋଟ ଛୋଟ କାମ କରିବାକୁ ଯାଉଛନ୍ତି । ସେଠାରେ ଅପରିଷ୍କାର ପରିବେଶରେ ସେମାନେ କାଳାତିପାତ କରୁଛନ୍ତି ଓ ବହୁ ସମୟରେ ଶ୍ରମିକ ଦଲାଲମାନଙ୍କର ଶୋଷଣର ଶିକାର ହେଉଛନ୍ତି । ଏହି ଭୟଙ୍କର ମହାମାରୀକୁ (ଛଦ୍ମ ସମ୍ଭ୍ରାନ୍ତ) ଆମ ସମାଜରୁ ଦୂର କରିବାକୁ ପଡିବ । ସେଥିପାଇଁ ଓଡିଆ ଭାଇମାନେ ଜୋତା ସିଲାଇ, ରାସ୍ତାକଡ ବ୍ୟବସାୟ, ଅନ୍ୟାନ୍ୟ କାରିଗରୀ, କୃଷି, ପଶୁପାଳନ ଓ ମାଛ ଚାଷ ଇତ୍ୟାଦି କାମରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ବାହାର ରାଜ୍ୟ ଯଥା ଆନ୍ଧ୍ର, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗର ବହୁ ଲୋକ ଆସି ଆମ ରାଜ୍ୟର ବିଭିନ୍ନ ସହରରେ ବାଣିଜ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି ଓ ଭଲ ପଇସା ରୋଜଗାର କରୁଛନ୍ତି। ଆମେ ସେତେଟା ରୋଜଗାର କରିପାରୁନାହୁଁ । ମାଗଣା ଜିନିଷ ପାଇବାର ମାନସିକତା ଆମ ଓଡିଆଙ୍କୁ ବଞ୍ଚିବାକୁ ସାହାଯ୍ୟ କରିପାରେ, ମାତ୍ର ସମୃଦ୍ଧି ହାସଲ କରାଇବାରେ କେବେ ବି ସାହାଯ୍ୟ କରିପାରିବ ନାହିଁ । ଅତି ସୂକ୍ଷ୍ମ ଚକ୍ଷୁରେ ନିରୀକ୍ଷଣ କାଲେ ଦେଖାଯିବ ଯେ ବର୍ତ୍ତମାନ ଓଡିଆ ଓ ଓଡିଶାର ମୁଖ୍ୟ ଦୁଇଟି ଶତ୍ରୁ ହେଉଛନ୍ତି ଈର୍ଷା ଓ ଛଦ୍ମ ସମ୍ଭ୍ରାନ୍ତ ମନୋଭାବ । ମୁଁ ଆମର ବୁଦ୍ଧିଜୀବୀ, ପ୍ରଶାସକ, ପ୍ରାଧ୍ୟାପକ, ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ଓ ସମାଜର ପ୍ରତିଷ୍ଠିତ ନାଗରିକ ସମସ୍ତଙ୍କୁ ଆହ୍ବାନ କରୁଛି, ଆସନ୍ତୁ ଆମେ ସମସ୍ତେ ମିଶି ଆମ ରାଜ୍ୟ ଓଡିଶାରୁ ଏହି ଦୁଇ ପ୍ରଧାନ ଶତ୍ରୁକୁ ସମୂଳ ନିପାତ ପାଇଁ ସଙ୍କଳ୍ପବଦ୍ଧ ହେବା ଓ କାର୍ଯ୍ୟ କରିବା ।

Comments
Loading...