ଗାଁ ବିକାଶରେ ରାସ୍ତା ବାଧକ ଅଧାରୁ ପାଠ ଛାଡୁଛନ୍ତି ପିଲା

୩ ଖଣ୍ଡ ଗଁାବାସୀ ମୌଳିକ ସୁବିଧାରୁ ବଞ୍ଚିତ

ଜୟପୁର: ଗାଁ ବିକାଶରେ ବାଧକ ସାଜିଛି ରାସ୍ତା। ଅଧାରୁ ପାଠ ଛାଡୁଛନ୍ତି ପିଲା। ୩ ଖଣ୍ଡ ଗାଁବାସୀ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ଏପରି ଚିତ୍ର କୋରାପୁଟ ଜିଲା ଜୟପୁର ବ୍ଲକ ବାରିଣୀପୁଟ ପଞ୍ଚାୟତର ୩ ଖଣ୍ଡ ଗଁାରେ ଦେଖିବାକୁ ମିଳିଛି। ବାରିଣୀପୁଟ ପଞ୍ଚାୟତର ବଡିଗୁଡା, କଦମଗୁଡା ଓ ପଟରାଗୁଡା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନି। ଲୋକେ ଯାତାୟାତ କରିବାରେ ଦହଗଞ୍ଜ ହେଉଛନ୍ତି। ପକ୍କା ରାସ୍ତା ପାଇଁ ପ୍ରଶାସନକୁ ଗ୍ରାମବାସୀ ଗୁହାରି କରିିଛନ୍ତି। କୌଣସି ସୁଫଳ ମିଳିନି। ସ୍ୱଳ୍ପ ଅର୍ଥରେ ପଞ୍ଚାୟତ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ କରାଯାଇପାରୁନି। ପଞ୍ଚାୟତ ତରଫରୁ ପରଜାଗୁଡାରୁ ବଡ଼ିଗୁଡ଼ା ଏବଂ ଶୁଣ୍ଡିଗୁଡ଼ାରୁ ପଟରାଗୁଡ଼ାର ଦୁଇ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଜିଲା ପ୍ରଶାସନକୁ ଜଣାଇ ଦିଆଯାଇଥିବା ବ୍ଲକ କର୍ତ୍ତୃପକ୍ଷ କହୁଛନ୍ତି। ବାରିଣୀପୁଟ ପଞ୍ଚାୟତର ଦୁଇ ରାସ୍ତା ମରଣଯନ୍ତା ପାଲଟିଛି। ପରଜାସାହିଠାରୁ ବଡିଗୁଡାକୁ ଯିବା ପାଇଁ ପ୍ରାୟ ୭ କିଲୋମିଟର ରାସ୍ତା ଏବଂ ଶୁଣ୍ଡିଗୁଡାରୁ ପଟରାଗୁଡା ଯାଏ ୫ କିମି ରାସ୍ତା ଖାଲଖମା ହୋଇଛି। ପଞ୍ଚାୟତ ତରଫରୁ ମନରେଗା କାମରେ ଗତ ଦୁଇ ବର୍ଷ ପୂର୍ବରୁ ଶୁଣ୍ଡିଗୁଡାଠାରୁ ପଟରାଗୁଡା ପର୍ଯ୍ୟନ୍ତ ୫ ଲକ୍ଷ ବ୍ୟୟରେ ମାଟି ରାସ୍ତା କରାଯାଇଛି। ପରଜାସାହିରୁ ବଡିଗୁଡା ପର୍ଯ୍ୟନ୍ତ ଆଜକୁ ୭ବର୍ଷ ହେଲାଣି ପଞ୍ଚାୟତ ତରଫରୁ ସେଭଳି ଆଖିଦୃଶିଆ କାମ କରାଯାଇନି। ବଡିଗୁଡାରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଲୋକ ରହୁଛନ୍ତି। କଦମଗୁଡାରେ ୩୦ ଓ ପଟାରାଗୁଡାରେ ପ୍ରାୟ ୬୦ ପରିବାର ରୁହନ୍ତି। ବଡିଗୁଡାରେ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଠାରେ ପଞ୍ଚମ ଶ୍ରେଣୀ ପାଠପଢି ଉତ୍ତୀର୍ଣ୍ଣ ହେଲା ପରେ ଷଷ୍ଠ ଶ୍ରେଣୀରେ ପାଠ ପଢିବାକୁ ବାରିଣୀପୁଟକୁ ଆସିବାକୁ ପଡୁଛି। ଦୁର୍ଗମ ରାସ୍ତା ପାଇଁ ପିଲାମାନେ ଆଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। କଦମଗୁଡା ଓ ପଟରାଗୁଡାର ଛାତ୍ରଛାତ୍ରୀ ଶୁଣ୍ଡିଗୁଡ଼ାକୁ ଆସି ପାଠ ପଢୁଛନ୍ତି। ୫ କିମି ଚାଲି ଚାଲି ଯିବା କଷ୍ଟକର ହୋଇପଡୁଛି।

 

ବିଦ୍ୟାଳୟ ମୁହାଁ ନ ହୋଇ ଘରେ ରହିବାକୁ ଛାତ୍ରଛାତ୍ରୀ ପସନ୍ଦ କରୁଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାରିଣୀପୁଟର ଦୁଇ ରାସ୍ତାରେ ଗୋରୁଗାଈ ଚାଲିବା କଷ୍ଟକର ହୋଇପଡୁଛି। କୁନି ପିଲା ପାଠ ପଢିବା ପାଇଁ ଯିବେ କିପରି, ବୃଦ୍ଧବୃଦ୍ଧା ଭତ୍ତା ପାଇଁ ପଞ୍ଚାୟତକୁ ଆସିବା କଷ୍ଟକର ବୋଲି ସ୍ଥାନୀୟ ଆଦିବାସୀ ନେତା ହରିଶ ମୁଦୁଲି କହିଛନ୍ତି। ଷୁଣ୍ଡିଗୁଡାରୁ ପଟରାଗୁଡା ରାସ୍ତା ଗତ ଦୁଇ ବର୍ଷ ପୂର୍ବରୁ ମରାମତି କରାଯାଇଥିଲା। ୫ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ସରିଥିଲା। ପାଞ୍ଚ ବର୍ଷରୁ ଊର୍ଦ୍ଧ୍ବ ହେବ ବଡିଗୁଡାର ରାସ୍ତା ନିର୍ମାଣ କାମ କରାଯାଇ ନ ଥିବା ବ୍ଲକ ଜିପିଓ କ୍ଷିତ୍ରୀଶ ଦାଶ ସୂଚନା ଦେଇଛନ୍ତି। ସ୍ୱଳ୍ପ ପାଣ୍ଠିରୁ ପକ୍କା ରାସ୍ତା ନିର୍ମାଣ ସମ୍ଭବ ହୋଇପାରୁନି ବୋଲି ସ୍ଥାନୀୟ ସରପଞ୍ଚ ଡାଳିମ୍ବ ଜାନୀ କହିଛନ୍ତି। ଗତ ଅଗଷ୍ଟରୁ ଦୁଇ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଞ୍ଚାୟତ ତରଫରୁ ହସ୍ତାନ୍ତର କରିବା ପାଇଁ କୋରାପୁଟ ପିଡିଡିଆରଡିଏଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି ବୋଲି ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.