ପରିବାର ନେଉନାହାନ୍ତି ଶବ; ୬୮ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରି ସାରିଲେଣି ବିଷ୍ଣୁ

ଜୟପୁର: କରୋନା ବଦଳାଇ ଦେଇଛି ମୃତ୍ୟୁର ପରିଭାଷା । କରୋନା ମୃତ୍ୟୁ ପରେ ପରିବାର ଲୋକ  ନିଜ ଆତ୍ମୀୟଙ୍କୁ ଛୁଇଁବା ତ ଦୂରର କଥା ଦେଖିବାକୁ ବି ଭୂଲି ଯାଉଛନ୍ତି । କରୋନା ଭୟ ଅପେକ୍ଷା ମୃତ୍ୟୁ ଭୟ ବେଶୀ ଲୋକଙ୍କୁ ଘାରିଛି । ହେଲେ ଏପରି ଏକ ଅସମୟରେ ଦେବଦୂତ ସମ ଉଭା ହୋଇଛନ୍ତି ବିଷ୍ଣୁ । ସେ ଓ ତାଙ୍କର ସହଯୋଗୀମାନେ ଏ ପର୍ଯ୍ୟନ୍ତ ୬୮ କରୋନା ମୃତକଙ୍କ ଶବର ଅନ୍ତିମ ସଂସ୍କାର କରିଛନ୍ତି । କାହାକୁ ପୋତିଛନ୍ତି ତ କାହାକୁ ପୋଡ଼ିଛନ୍ତି । ମୃତକଙ୍କ ଧର୍ମ ଅନୁସାରେ ସେମାନଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ସେଥିପାଇଁ ରାଜସ୍ଥାନ ସରକାର ବିଷ୍ଣୁଙ୍କୁ ‘କରୋନା ଯୋଦ୍ଧା’ର ମାନ୍ୟତା ଦେଇଛନ୍ତି ।

କୋଭିଡ୍-୧୯ ଲଢେଇରେ ସ୍ବାସ୍ଥ୍ୟକର୍ମୀ, ପୁଲିସକର୍ମୀ, ସଫେଇକର୍ମୀଙ୍କୁ କରୋନା ଯୋଦ୍ଧା କୁହାଯାଉଛି। ମାତ୍ର ଏମାନଙ୍କଠାରୁ ବିଷ୍ଣୁଙ୍କ କାର୍ଯ୍ୟଟି ସବୁଠୁ କଠିନ । ଯେଉଁ ପରିସ୍ଥିତିରେ ମୃତକଙ୍କ ନିକଟରେ ପରିବାର ଲୋକ ଠିଆ ହେଉ ନାହାନ୍ତି । ଶବ ନେବାକୁ ମନା କରି ଦେଉଛନ୍ତି ସେପରି ସମୟରେ ବିଷ୍ଣୁ ସେହି କାର୍ଯ୍ୟଟି କରିବାକୁ ଆଗେଇ ଆସିଛନ୍ତି ।  ବିଷ୍ଣୁଙ୍କ ସହିତ ତାଙ୍କର ପୂରା ଦଳ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସେମାନଙ୍କର ଅନ୍ତିମ ସଂସ୍କାର କାମ କରୁଛନ୍ତି। ବିଷ୍ଣୁ ଓ ତାଙ୍କ ସହଯୋଗୀମାନେ ଜାତି, ଧର୍ମର ଉର୍ଧ୍ବକୁ ଯାଇ ଏହି କାର୍ଯ୍ୟ କରି ଆସୁଛନ୍ତି ।

କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିବା ନିମନ୍ତେ ବିଷ୍ଣୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି । ସେ କହିଛନ୍ତି ଯେ ଅନ୍ତିମ ସଂସ୍କାର କାର୍ଯ୍ୟ କରିବା ସବୁଠୁ ମହାନ କାର୍ଯ୍ୟ ଓ ବଡ଼ ଧର୍ମ । କରୋନା ମାତିବା ‌ ପୂର୍ବରୁ ସେ କେବେ ବି ଶ୍ମଶାନ ପର୍ଯ୍ୟନ୍ତ ଯାଇ ନ ଥିଲେ। ଏବେ କିନ୍ତୁ ସେ ଓ ତାଙ୍କ ସହଯୋଗୀମାନେ ନିୟମିତ ଶ୍ମଶାନ ଯାଉଛନ୍ତି ଓ ଅନ୍ତିମ ସଂସ୍କାର କରୁଛନ୍ତି । ଗୋଟିଏ ଗୋଟିଏ ଦିନରେ ଏକାଧିକ ଶବର ଅନ୍ତିମ ସଂସ୍କାର କରିବାକୁ ପଡ଼ୁଛି ବୋଲି ବିଷ୍ଣୁ କହିଛନ୍ତି। ସୂଚନାଯୋଗ୍ୟ ଯେ ରାଜସ୍ଥାନରେ ଏଯାଏ ୬୭୦୦ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୧୬୦ ମୃତ୍ୟୁବରଣ କରିଛନ୍ତି ।

 

Comments are closed.