ଭାବମୂର୍ତ୍ତି ସଜାଡିବାକୁ ଜୟନ୍ତ ସିହ୍ନାଙ୍କ ଉଦ୍ୟମ

0

ରାଞ୍ଚି/ନୂଆଦିଲ୍ଲୀ : ଗୋମାଂସ ଚାଲାଣକାରୀଙ୍କୁ ହତ୍ୟା ସମ୍ବନ୍ଧୀୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ୮ ଜଣ ଲୋକଙ୍କୁ ସମ୍ବର୍ଦ୍ଧିତ କରି ସମାଲୋଚିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ଏବେ ନିଜ ଭାବମୂର୍ତ୍ତି ସଜାଡିବାକୁ ଉଦ୍ୟମ କରିଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣଙ୍କ ଆଜୀବନ କରାଦଣ୍ଡାଦେଶକୁ ହାଇକୋର୍ଟ କୋହଳ କରିବା ପରେ ଏମାନଙ୍କ ମଧ୍ୟରୁ ୮ ଜଣ ଶୁକ୍ରବାର ସିହ୍ନାଙ୍କ ବାସଭବନକୁ ଯାଇଥିଲେ। ସିହ୍ନା ସେମାନଙ୍କୁ ସ୍ୱାଗତ କରିବା ସହିତ ଫୁଲ ମାଳ ପିନ୍ଧାଇଥିଲେ। ଏହି ଘଟଣାର ଫଟୋ ସାର୍ବଜନୀନ ହେବା ପରେ ସିହ୍ନାଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି। ମାତ୍ର ସିହ୍ନା ଶନିବାର କହିଛନ୍ତି, ଏଭଳି କରି ସେ ବାସ୍ତବରେ କୋର୍ଟଙ୍କ ରାୟକୁ ସମ୍ମାନ ଦେଇଛନ୍ତି। ତାଙ୍କର ଏହି କାର୍ଯ୍ୟର ଭୁଲ୍‍ ଅର୍ଥ ବାହାର କରି ରାଜନୈତିକ ମହଲରେ ଦାୟିତ୍ୱହୀନ ମନ୍ତବ୍ୟ ଦିଆଯାଇଛି। ଦୋଷୀକୁ ଦଣ୍ଡ ମିଳିବା ଉଚିତ ଏବଂ ନିର୍ଦୋଷ ମୁକ୍ତ ହେବା ଆବଶ୍ୟକ। ଆଇନ ତା’ କାର୍ଯ୍ୟ କରିବ। ବିଚାରବ୍ୟବସ୍ଥା ଉପରେ ତାଙ୍କର ବିଶ୍ୱାସ ରହିଛି।
ଝାଡ଼ଖଣ୍ଡର ରାମଗଡ଼ଠାରେ ଗତ ବର୍ଷ ଗୋମାଂସ ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ କିଛି ଗ୍ରାମବାସୀ ପିଟିପିଟି ମାରିଦେଇଥିଲେ। ଏହି ଘଟଣାରେ ପୁଲିସ ୧୧ ଜଣଙ୍କୁ ଗିରଫ କରିଥିଲା। ଫାଷ୍ଟ-ଟ୍ରାକ୍‍-କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ; ମାତ୍ର ହାଇକୋର୍ଟ ତାହାକୁ ରଦ୍ଦ କରିଦେବା ସହ ଦୋଷୀମାନଙ୍କୁ ଜାମିନରେ ମୁକ୍ତ କରିଥିଲେ। ଫାଷ୍ଟ-ଟ୍ରାକ୍‍-କୋର୍ଟ କୌଣସି ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡାଦେଶ ଦେବାକୁ ନେଇ ସେ ସର୍ବଦା ନିଜର ମତ ପ୍ରକାଶ କରିଆସିଛନ୍ତି। ଏହି ମାମଲାରେ ହାଇକୋର୍ଟ ଦୋଷୀମାନଙ୍କ ଦଣ୍ଡାଦେଶ ରଦ୍ଦ କରି ପୁନଃ ଶୁଣାଣି ପାଇଁ ମାମଲାଟିକୁ ଗ୍ରହଣ କରିଥିବାରୁ ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave A Reply