ନୂଆରୂପରେ ଝଲସିବ ଜୟଦେବ ପୀଠ

ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର ହୋଇଛି ୩ କୋଟି ୫୬ ଲକ୍ଷ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅନ୍ତର୍ଗତ କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠରେ ପୁଣି ଗୁଞ୍ଜରିତ ହେବ ଗୀତଗୋବିନ୍ଦର ମଧୁର ମୂର୍ଚ୍ଛନା। ‘ଫଣି’ ବାତ୍ୟାରେ କ୍ଷତିଗ୍ରସ୍ତ ପୀଠର ପୁନରୁଦ୍ଧାର ପାଇଁ ସରକାରୀସ୍ତରରେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପୀଠରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ଏବଂ ମ୍ୟୁଜିୟମ୍‍ ନିର୍ମାଣ ହେବ। ବିକାଶ କାର୍ଯ୍ୟ ପାଇଁ ୨୦୧୮-୧୯ ବର୍ଷରେ ୭କୋଟି ୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ସେଥିମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ପର୍ୟ୍ୟାୟରେ ୩ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।


ପୂର୍ବତନ ବିଧାୟକ ଶଶିଭୂଷଣ ବେହେରାଙ୍କ ସମୟରେ ସରକାର ବ୍ୟୟ ଅଟକଳ କରିଥିଲେ। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଏହାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏଥିରେ ଜୟଦେବ ସରପଞ୍ଚ ପ୍ରଜ୍ଞାପାରମିତା ଜେନାମଣି, ଜିଲାପରିଷଦ ସଭ୍ୟସଭ୍ୟା, ଭାଗ୍ୟଲକ୍ଷ୍ମୀ ମିଶ୍ର, ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଭିଙ୍ଗାରପୁର ସରପଞ୍ଚ ଜୟଶ୍ରୀ ନାୟକ, ସମିତି ସଭ୍ୟ ​ତ୍ରୈଲୋକ୍ୟ ମଙ୍ଗରାଜ, ବିଧାୟକ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କାହାରିକୁ ଦେଖିବାକୁ ମିଳିନଥିଲା। ଦୀର୍ଘଦିନ ହେବ ଉନ୍ନୟନ କାର୍ଯ୍ୟ ହୋଇପାରୁନଥିବା ବିଧାୟକ କହିବା ସହ ଖୁବ୍‍ଶ୍ରୀଘ୍ର କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ବିଧାୟକ ବେଣ୍ଟପୁର ପଞ୍ଚାୟତ ଖମଙ୍ଗଶାସନ-ବ୍ରାହ୍ମଣ ଷଡ଼ଙ୍ଗୀ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ଉନ୍ନତି ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏହି ଅବସରରେ ସରପଞ୍ଚ ମୁରଲୀଧର ସାହୁ, ସମିତି ସଭ୍ୟ, ଜିଲାପରିଷଦ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

Comments are closed.