ଜୟଦେବବିହାରରୁ ପଟିଆ ଗ୍ରିନ୍‌ କରିଡର

ଭୁବନେଶ୍ବର: ଜୟଦେବବିହାରରୁ ପଟିଆ ପର୍ଯ୍ୟନ୍ତ ଯିବା ଓ ଫେରିବା ନାଁ ଧରିଲେ ପ୍ରଥମେ ମନକୁ ଚିନ୍ତା ଆସେ ଏହି ରାସ୍ତାର ଟ୍ରାଫିକ୍‌। କେତେ ସମୟ ଭିତରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ତାହା କହିବା ମୁସ୍କିଲ୍‌। ଦୁର୍ଗାପୂଜା ସମୟରେ ଏହି ରାସ୍ତାର ଟ୍ରାଫିକ୍‌ ଆହୁରି ସଙ୍ଗିନ ହୋଇପଡ଼ିଥିଲା। ତେଣୁ ଏହି ରାସ୍ତାରେ ଥିବା ବିଭିନ୍ନ ଛକରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ମାଧ୍ୟମରେ ଟ୍ରାଫିକ ସିଗ୍‌ନାଲ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଜୟଦେବ ବିହାରରୁ ପଟିଆ ପର୍ଯ୍ୟନ୍ତ ରାସ୍ତାର ଟ୍ରାଫିକ୍‌ ବ୍ୟବସ୍ଥାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ଲାଗି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ହାତକୁ ନିଆଯାଇଛି। ଯାନବାହାନ ଚଳାଚଳକୁ ଅବାଧ କରିବା ଲାଗି ଏକ ଗ୍ରିନ୍‌ କରିଡର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାସ୍ତାରେ ଏକାଧିକ ପ୍ରମୁଖ ବେସରକାରୀ ହସ୍ପିଟାଲ୍‌ ରହିଛି। ଆମ୍ବୁଲାନ୍ସ ଚଳାଚଳକୁ ମଧ୍ୟ ସୁଗମ କରିବାକୁ ଏଭଳି ଲକ୍ଷ୍ୟ ରହିଥିବା କହିଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ସବୁଠାରୁ କମ୍‌ ସମୟ ବ୍ୟବଧାନରେ କିଭଳି ଜଣେ ଗାଡ଼ି ଚାଳକ ବିଭିନ୍ନ ଟ୍ରାଫିକ୍‌ ଛକକୁ ଅତିକ୍ରମ କରିବ ଏହାକୁ ଦୃଷ୍ଟିରେ ରଖି ଏଭଳି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଉକ୍ତ ରାସ୍ତାର ପ୍ରତିଟି ସମୟରେ ଟ୍ରାଫିକ୍‌(ଯାନବାହନ) ଚଳାଚଳ ସଂଖ୍ୟାକୁ ତର୍ଜମା କରାଯାଉଛି। ଏହା ଫଳରେ ସମୟାନୁସାରେ ଗାଡ଼ିର ପ୍ରବାହକୁ ହିସାବକୁ ନିଆଯାଇ ଟ୍ରାଫିକ୍‌ ଛକଗଡ଼ିକର ସିଗ୍‌ନାଲ୍‌ ସମୟକୁ ପରିବର୍ତ୍ତନ କରାଯିବ। ଫଳରେ ପ୍ରତିଟି ଯାନବାହନ ଗୋଟିଏ ଛକ ଅତିକ୍ରମ କରିବା ପରେ ଅନ୍ୟ ଟ୍ରାଫିକ୍‌ ଛକ ନିକଟରେ ପହଞ୍ଚିବା ବେଳେ ସବୁଜ ସଙ୍କେତ ପାଇ ଅତିକମ୍‌ ସମୟ ମଧ୍ୟରେ ଯେପରି ଛକକୁ ଅତିକ୍ରମ କରିପାରିବ। ଏନେଇ ପ୍ରତି ଛକରେ ଥିବା ଟ୍ରାଫିକ କନଷ୍ଟେବଳ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସିଗ୍‌ନାଲ୍‌କୁ ସେହି ହିସାବରେ ପରିବର୍ତ୍ତନ କରିପାରିବେ। ଫଳରେ ଯାତାୟାତ ସମୟ ହ୍ରାସ ପାଇବ। ଗାଡ଼ିର ସଂଖ୍ୟାକୁ ଦୃଷ୍ଟିରେ ରଖି ସମୟ ପରିବର୍ତ୍ତନ କରାଯିବ। ଏହାଦ୍ବାରା ଯାନବାହନ ସ୍ବଳ୍ପ ସମୟରେ ସେମାନଙ୍କ ଦୂରତାକୁ ଅତିକ୍ରମ କରିପାରିବେ। ବହୁ ସମୟରେ ସିଗ୍‌ନାଲ୍‌କୁ ଦେଖି ଯାନବାହନ ଅଟକିବା ଦ୍ବାରା ଟ୍ରାଫିକ ଭିଡ଼ ବୃଦ୍ଧି ପାଇଥାଏ। ଏହିକ୍ରମରେ ଡମଣା ଓ ପଟିଆ ଛକରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଦ୍ବାରା ଟ୍ରାଫିକ୍‌ ପରିଚାଳନା କରାଯାଉଛି। ଏହାଫଳରେ ଗତ କିଛି ଦିନ ହେବ ଟ୍ରାଫିକରେ ଅନେକ ସୁଧାର ଆସିଛି ବୋଲି ଡିସିପି ଟ୍ରାଫିକ୍‌ କହିଛନ୍ତି। ଏହାକୁ କିଛି ଦିନ ଅନୁଧ୍ୟାନ କରାଯିବା ପରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ସେ ମତ ଦେଇଛନ୍ତି।

Comments are closed.