ଜେଲରୁ ବାହାରିଲେ ଜୟନାରାୟଣ

0

ସୋହେଲା: ସୋହେଲା ଥାନା ବନବିରା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ମାର୍ଚ୍ଚରୁ ଜେଲ୍‍ରେ ଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ମୁକୁଳିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ପୁଲିସ ଜୟନାରାୟଣ ମିଶ୍ରଙ୍କ ସମ୍ବଲପୁରସ୍ଥିତ ବାସଭବନ ଉପରେ ଚଢ଼ଉ କରି ଶ୍ରୀ ମିଶ୍ରଙ୍କ ସମେତ ଶିବ କୁମାର ଦେବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସୋହେଲା ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସୋହେଲା କୋର୍ଟଙ୍କ ଆଦେଶକ୍ରମେ ତାଙ୍କୁ ଏପ୍ରିଲ ୨୧ରେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇଲା ପରେ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଦିଲ୍ଲୀରୁ ଫେରିବା ପରେ ଅନ୍ତରୀଣ ଜାମିନ ଆଦେଶ ଅନୁସାରେ ଜୁନ ୨୯ରେ ସେ ବରଗଡ଼ ଏସଡିଜେଏମଙ୍କ ଅଦାଲତରେ ହାଜର ହୋଇଥିଲେ। କୋର୍ଟ ଶ୍ରୀ ମିଶ୍ରଙ୍କୁ ସୋହେଲା ଜେଲ ହାଜତକୁ ପଠାଇ ଦେଇଥିଲେ। ପରେ ଶ୍ରୀ ମିଶ୍ରଙ୍କ ନିୟମିତ ଜାମିନ ପାଇଁ ଆଗତ ମାମଲାର ୧୭ ତାରିଖ ଶୁଣାଣି ହୋଇଥିଲା। ହାଇକୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ଦୁଇଜଣ ଜାମିନଦାର ଦେବା ସହିତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

Leave A Reply