୫୦ବର୍ଷ ପରେ ଯବାନଙ୍କ ମୃତଦେହ ଉଦ୍ଧାର

0

ନୂଆଦିଲ୍ଲୀ : ଦୀର୍ଘ ପାଞ୍ଚ ଦଶନ୍ଧି ପରେ ବିମାନ ଦୁର୍ଘଟଣାରେ ନିହତ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଯବାନଙ୍କ ଶରୀର ବରଫ ତଳେ ଚାପି ହୋଇରହିଥିଲା। ଏଥିସହିତ ଦୁର୍ଘଟଣାଗ୍ରସ୍ତ ବିମାନର ବିଖଣ୍ଡିତ ଅଂଶ ମଧ୍ୟ ଠାବ ହୋଇଛି। ୧୯୬୮ ଫେବୃଆରୀ ୭ରେ ୯୮ଯାତ୍ରୀଙ୍କୁ ନେଇ ଚଣ୍ଡିଗଡ଼ରୁ ଲେହ ଯାଉଥିବା ଭାରତୀୟ ବିମାନ ବାହିନୀର ଏଏନ୍‍-୧୨ ବିମାନ ଖରାପ ପାଣିପାଗ ଯୋଗୁଁ ହିମାଚଳ ପ୍ରଦେଶର ଲାହାଉଲ ଉପତ୍ୟକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ଜଣ ବିମାନ କର୍ମଚାରୀ ଥିଲେ। ଦୁର୍ଘଟଣା ପରେ କାହାରି ପତ୍ତା ମିଳି ନଥିଲା। ସମ୍ପ୍ରତି ‘ଚନ୍ଦ୍ରଭାଗା-୧୩’ ଅଭିଯାନରେ ବାହାରିଥିବା କିଛି ପର୍ବତାରୋହୀ ସମୁଦ୍ର ପତନଠାରୁ ୬୨୦୦ମିଟର ଉଚ୍ଚ ଢ଼ାକା ଗ୍ଲାସିୟର ନିକଟରେ ଜୁଲାଇ ୧୧ରେ ବିମାନର ଭଗ୍ନାବଶେଷ ଓ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
ପର୍ବତାରୋହୀ ଦଳର ମୁଖ୍ୟ ରାଜୀବ ରାୱତଙ୍କ କହିବାନୁଯାୟୀ, ସେମାନେ ଜଣେ ଯବାନଙ୍କ ମୃତଦେହ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯବାନଙ୍କ ମୁଣ୍ଡ ତଳମୁହାଁ ହୋଇ ରହିଥିଲାବେଳେ ହାତ ଓ ଚୁଟି ଭଲ ଅବସ୍ଥାରେ ଥିଲା। ଏତେ ବର୍ଷ ଧରି ଶରୀର ନଷ୍ଟ ହୋଇ ନଥିବା ନେଇ ମଧ୍ୟ ସେମାନେ ବିସ୍ମୟ ପ୍ରକାଶ କରିଥିଲେ। ସେମାନେ ଏହାର ଫଟୋ ଆଣି ସେନାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଅନୁସନ୍ଧାନରୁ ବାସ୍ତବ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ମୃତଦେହଗୁଡ଼ିକ ୨ରୁ ଅଢ଼େଇ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ହୋଇପଡ଼ିଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ୨୦୦୩ରେ ମାନାଲିର ଏକ ପର୍ବତାରୋହୀ ଦଳ ଏଭଳି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ଏହା ଯବାନ ବେଲି ରାମଙ୍କର ବୋଲି ଚିହ୍ନଟ ହୋଇଥିଲା। ସେହିଭଳି ୨୦୦୭ରେ ୩ଟି ମୃତଦେହ ସମ୍ପୃକ୍ତ ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ଏଭଳି ଭାବେ ଦୁର୍ଘଟଣାଗ୍ରସ୍ତ ବିମାନର ହତଭାଗ୍ୟ ଯାତ୍ରୀଙ୍କ ମଧ୍ୟରୁ ଅଦ୍ୟାବଧି ମାତ୍ର ୫ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରିଥିବା ଜଣାପଡ଼ିଛି।

Leave A Reply