ପୁଣି ଦେବଦୂତ ସାଜିଲେ ଯବାନ

0

କୋଣ୍ଡାଗାଓ : ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ। ଯନ୍ତ୍ରଣାରେ ପୀଡ଼ିତ ଜଣେ ଆଦିବାସୀ ମହିଳାଙ୍କୁ ଭାରରେ ବୋହି ଦୀର୍ଘ ୧୦ କିଲୋମିଟର କାଦୁଅ ପଚପଚ ରାସ୍ତା ଅତିକ୍ରମ କଲେ ଆଇ.ଟି.ବି.ପି ଯବାନ । ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଓ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଆଉ ଏକ ମାନବିକତାର ପରିଚୟ । ଆଗକୁ ନକ୍ସଲଙ୍କ ସହିଦ ସପ୍ତାହ ରହିଥିବାରୁ ଆଜି ସକାଳେ କୋଣ୍ଡାଗାଓ ଜିଲ୍ଲା ଅନ୍ତର୍ଗତ ହାଡଲେ ଗାଁରେ ଥିବା ୪୧ ବାଟାଲିଅନ ଆଇ.ଟି.ବି.ପି କ୍ୟାମ୍ପର ଯବାନମାନେ ଅପରେସନ ଲାଗି ହାଡଲି ଜଙ୍ଗଲକୁ ଯାଉଥିବା ବେଳେ ଆଠ ଦିନ ତଳେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବା ସରସ୍ବତୀ ଯାଦବ ନାମକ ଜଣେ ଆଦିବାସୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିଥିଲେ। ଯବାନ ମାନେ ଏହା ଦେଖି ତୁରନ୍ତ ନକ୍ସଲ ଅପରେସନ ବନ୍ଦ କରି ଆରମ୍ଭ କରିଥିଲେ ମହିଳାଙ୍କ ଜୀବନ ବଞ୍ଚାଅ ଅପରେସନ । ରାସ୍ତାରେ ଲ୍ୟାଣ୍ଡମାଇନ ଲାଗିଥିବାର ଭୟ ନକରି ଯବାନମାନେ ମହିଳାଙ୍କୁ ଆଣ୍ଠୁଏ କାଦୁଅରେ ଭାରରେ ବୋହି ବୋହି ଆଇ.ଟି.ବି.ପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଯବାନଙ୍କ ଲାଗି ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ଠିକ ସମୟରେ ଡାକ୍ତର ପାଖରେ ପହଞ୍ଚି ପାରିଥିବାରୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି । ଗତ ୧୩ ତାରିଖ ଦିନ ମଧ୍ୟ ଆଇ.ଟି.ବି.ପିର ଏହି ଯବାନମାନେ ଖୋର୍ସାନାଡ ଜଙ୍ଗଲକୁ ଯାଉଥିବା ବେଳେ ଜଣଙ୍କୁ ଛଟପଟ ହେବାର ଦେଖି ତୁରନ୍ତ ଭାରରେ ବୋହି ହାଡଲେ ପୁଲିସ କ୍ୟାମ୍ପକୁ ଆଣିଥିଲେ । ସେଠାରେ ମଧ୍ୟ ଯବାନଙ୍କ ଲାଗି ଜଣଙ୍କ ଜୀବନ ବଞ୍ଚିଯାଇଥିଲା ।

Leave A Reply