ଅବପାତ ରୂପ ନେଲା ଜୱାଦ : ଆଜି ରାତିରୁ ବର୍ଷା

ଭୁବନେଶ୍ବର : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗୁରୁବାର ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଅବପାତର ରୂପ ନେଇଛି। ଏହା ପଶ୍ଚିମ, ପଶ୍ଚିମ-ପୂର୍ବରେ ବିଶାଖାପାଟଣା ଠାରୁ ୯୬୦ କି.ମି., ଗୋପାଳପୁର ଠାରୁ ୧୦୨୦ କି.ମି. ଓ ପାରାଦ୍ବୀପ ଠାରୁ ୧୦୬୦ କି.ମି. ଦୂରରେ ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଆସନ୍ତାକାଲି ଏହାର ଗତିପଥ ସ୍ପଷ୍ଟ ହେବ। ଏହାର ପ୍ରଭାବରେ ଆସନ୍ତାକାଲି ରାତିରୁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଭଳି କେତେକ ଉପକୂଳ ଜିଲାରେ ବର୍ଷା ଆରମ୍ଭ ହୋଇଯିବ। ଏହି ସାମୁଦ୍ରିକ ଝଡ ‘ଜୱାଦ’ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ନିକଟ ସମୁଦ୍ରରେ କେନ୍ଦ୍ରୀଭୂତ ହେବ। ବାତ୍ୟା ଏଠାରୁ ଦିଗ ପରିବର୍ତ୍ତନ କରି ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିପାରେ।
ଏହା କେଉଁ ଦିଗରେ ମୁହାଁଇବ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଆକଳନ କରାଯାଇନାହିଁ। ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ସାମୁଦ୍ରିକ ଝଡ ଦାଉରୁ ଧନ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଉଚ୍ଚପଦସ୍ତ ଅଧିକାରୀ, ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତଙ୍କୁ ନେଇ ବୈଠକ ସହ ପ୍ରସ୍ତୁତ ରହିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଅାଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରିବା ଏ­ବଂ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସୂଚନା ଦିଆଯିବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କାର୍ଯ୍ୟାଳୟରେ କର୍ମଚାରୀମାନେ ଉପସ୍ଥିତ ରହିବାକୁ କୁହାଯାଇଛି। ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବା ଜିଲା ଗୁଡିକୁ ୬୦ଟି ଓଡ୍ରାଫ, ୧୭ଟି ଏନଡିଆରଏଫ ଦଳ ଯିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି । ୧୭୨ଟି ଅଗ୍ନିଶମ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଏଭଳି ଭାବେ ବାତ୍ୟା ମୁକାବିଲା ପାଇଁ ମୋଟ ୨୨୫ଟି ଦଳ ଜାଗତିଆର ଥିବା ସୂଚନା ଦିଆଯାଇଛି। ଆଶ୍ରୟସ୍ଥଳୀରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ବ ଦେବାକୁ ଏସଆରସି ଶ୍ରୀ ଜେନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି(ଶୁକ୍ରବାର) ମଧ୍ୟରାତିରୁ ବର୍ଷା ଆରମ୍ଭ ହୋଇଯିବ। ପ୍ରଥମେ ଦକ୍ଷିଣ ଓଡ଼ିଶା ପରେ ଉତ୍ତର ଓଡ଼ିଶାରେ ବର୍ଷିବ। ମଧ୍ୟରାତିରୁ ପବନର ବେଗ ବଢ଼ିବ। ଭୋରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ବହିପାରେ। ଝଟକା ପବନ ଘଣ୍ଟା ପ୍ରତି ୮୫ କିମି ବହିବାର ସମ୍ଭାବନା ରହିଛି। ୪ ତାରିଖ ସକାଳରୁ ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ତତ୍‌ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୯୦ କିମିରୁ ୧୦୦ କିମି ପବନର ବେଗ ରହିବ। ଝଟକା ପବନ ୧୧୦ କିମି ଛୁଇଁପାରେ। ୩ରେ ଓଡ଼ିଶା ଉପକୂଳ-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫ କିମି ବହିବ। ଝଟକା ପବନ ୬୫ କିମି ଛୁଇଁପାରେ। ୪ ତାରିଖ ଅପରାହ୍ଣରୁ ପରବର୍ତ୍ତୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବାକୁ ଥିବାବେଳେ ସ୍ଥଳବିଶେଷରେ ଝଟକ ପବନ ୯୦ କିମି ରହିବାର ସମ୍ଭାବନା ରହିଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଗଜପତି ଏବଂ ଗଞ୍ଜାମ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, ରାୟଗଡା ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲାଗୁଡିକୁ ହଳଦିଆ ସତର୍କ (ୟେଲୋ ୱାର୍ଣ୍ଣିଂ) ସୂଚନା ଜାରି ହୋଇଛି। ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଉକ୍ତ ୪ ଜିଲାକୁ ନାଲି ସତର୍କ (ରେଡ ୱାର୍ଣ୍ଣିଂ) ସୂଚନା ଜାରି କରାଯାଇଛି। ଏଥିସହିତ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଓ କୋରାପୁଟକୁ କମଳା ସତର୍କ (ଅରେଞ୍ଜ ୱାର୍ଣ୍ଣିଂ) ଏବଂ ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବାତ୍ୟା ପାଇଁ ଆସନ୍ତାକାଲି ଠାରୁ ୫ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

Comments are closed.