୫.୭୮ଲକ୍ଷରୁ ଊର୍ଦ୍ଧ୍ବ ହେକ୍ଟର ଫସଲ ନଷ୍ଟ

‘ଜୱାଦ’ ଉଜାଡ଼ିଲା ୧୩୧ ବ୍ଲକ କ୍ଷେତ

୭ଦିନ ମଧ୍ୟରେ ଦିଆଯିବ ବିବରଣୀ: କେନ୍ଦ୍ରୀୟ ପ୍ରତିନିଧି ଦଳ, ଅତ୍ୟଧିକ ବର୍ଷାରୁ ବ୍ୟାପକ ଫସଲ ନଷ୍ଟ : ସୌରଭ ରାୟ

ଭୁବନେଶ୍ବର :  ରାଜ୍ୟରେ ବାତ୍ୟା ‘ଜୱାଦ’ର ବିପଦ ଟଳି ଯାଇଥିଲେ ହେଁ ପ୍ରବଳ ବର୍ଷା ଯୋଗୁଁ ଚଳିତମାସ ୫ ଓ ୬ ତାରିଖରେ ୧୨ଟି ଜିଲାର ୧୩୧ଟି ବ୍ଲକରେ ୫.୭୮ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଗତ ଦୁଇଦିନ ଧରି କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ଆଖି ଦେଖା ଆକଳନ ଅନୁଯାୟୀ ଏହି ତଥ୍ୟ ମିଳିଥିବାବେଳେ ଏହାର କ୍ଷୟକ୍ଷତି ପରିମାଣ ଆଗକୁ ବଢ଼ିବ ବୋଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି। ବୈଠକର ସୂଚନା ଅନୁଯାୟୀ, ଜୱାଦ’ ବାତ୍ୟାର କ୍ଷୟକ୍ଷତି ଆକଳନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମସଚିବ ସୌରଭ ରାୟଙ୍କ ନେତୃତ୍ବରେ ଏକ ୬ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ପ୍ରତିନିଧି ଦଳ ଗତ ଦୁଇଦିନ ମଧ୍ୟରେ ତିନୋଟି ଭାଗରେ ବିଭକ୍ତ ହୋଇ ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, ଯାଜପୁର, ମୟୂରଭଞ୍ଜ ପ୍ରଭୃତି ଜିଲା ଗସ୍ତ କରିଥିଲେ। କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ଆଖି ଦେଖା ବିବରଣୀ ଅନୁଯାୟୀ ଏହିସବୁ ଜିଲାର ୧୩୧ଟି ବ୍ଲକରେ ‘ଜୱାଦ’ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୫.୭୮ ଲକ୍ଷ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି। ତୃଣମୂଳସ୍ତରରେ ଏହାର ବାସ୍ତବ ଆକଳନ କରାଯାଉଛି। ଆଉ କିଛିଦିନ ପରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯିବ। ବୈଠକରେ ଶ୍ରୀ ରାୟ କହିଥିଲେ ଯେ, ରାଜ୍ୟରେ ‘ଜୱାଦ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଚାଷୀମାନଙ୍କୁ ଫସଲଜନିତ କ୍ଷୟକ୍ଷତି ସହାୟତା ତୁରନ୍ତ ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।
ବୈଠକର ସୂଚନା ଅନୁଯାୟୀ ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ କରି ଆଣିବାକୁ ପୂର୍ବରୁ ପରାମର୍ଶ ଦିଆଯାଇଥିଲା। ଚାଷୀମାନେ ସେମାନଙ୍କ ଧାନ ଫସଲ ସଂଗ୍ରହ କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ। ମାତ୍ର ଡିସେମ୍ବରରେ ବର୍ଷା ହେବା ଯୋଗୁଁ, ଅଳ୍ପ ସମୟ ମଧ୍ୟରେ ସବୁ ଫସଲ ଘରକୁ ଆଣି ସୁରକ୍ଷିତ ରଖିବା ସମ୍ଭବ ହୋଇପାରିନାହିଁ। ଫଳରେ ବହୁ ପାଚିଲା ଧାନ ନଷ୍ଟ ହେବା ସହିତ ପନିପରିବା କ୍ଷତିଗ୍ରସ୍ତ ହୋଇଛି। ବୈଠକରେ କୃଷି ସଚିବ ସୁରେଶ ବଶିଷ୍ଠ କହିଥିଲେ ଯେ, ଧାନ ଫସଲ ସହିତ ବାଇଗଣ, କୋବି, ଟମାଟୋ, ବାଦାମ ଭଳି ଅର୍ଥକରୀ ଫସଲ କ୍ଷତିଗ୍ରସ୍ତ ହୋଇଛି। ଉନ୍ନୟନ ଆୟୁକ୍ତ ପ୍ରଦୀପ ଜେନା କହିଥିଲେ ଯେ ବିଲରେ ପାଣି ଜମି ରହିବା ଯୋଗୁଁ ରବି ଫସଲ ସମ୍ପୂର୍ଣ୍ଣ ବୁଡ଼ି ରହିଥିଲା। ଚାଷୀମାନେ ସେମାନଙ୍କ ବିହନ ପାଇବା ନେଇ ଆଶଙ୍କା ରହିଛି। ଫେବୃଆରୀ ମଧ୍ୟଭାଗରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ରବି ଋତୁରେ ବିଳମ୍ବିତ ଫସଲ ପାଇଁ ଓଡ଼ିଶା ଜଳବାୟୁ ସ୍ଥିତି ମଧ୍ୟ ଅନୁକୂଳ ନୁହେଁ। ବୈଠକରେ କୃଷିମନ୍ତ୍ରାଳୟର ଡ. ମାନ ସିଂହ, ମତ୍ସ୍ୟ ମନ୍ତ୍ରାଳୟର ଡା. କୁମାର ସିହ୍ନା, ଅର୍ଥ ମନ୍ତ୍ରାଳୟର ଆର. ବି. କାଉଲ, ପରିବହନ ମନ୍ତ୍ରାଳୟର ଶାଶ୍ବତ ମହାପାତ୍ର, ଶକ୍ତି ମନ୍ତ୍ରାଳୟର ପୁନମ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.