ଯଶୱନ୍ତ ସିହ୍ନାଙ୍କ ଅଭିଯୋଗ ; ପିଏମ୍‍ଓ ନେଉଛି ମନ୍ତ୍ରୀସ୍ତରୀୟ ସମସ୍ତ ନିଷ୍ପତ୍ତି

0

ମୁମ୍ବଇ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‍ଓ) ନିଜେ ମନ୍ତ୍ରୀ ସ୍ତରୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରୁଛି। କେନ୍ଦ୍ର ସରକାର ଅଧୀନ ସମସ୍ତ ମନ୍ତ୍ରଣାଳୟ ଏଦିଗରେ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛନ୍ତି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଏବଂ ଅରୁଣ ସୌରୀ ଅଭିଯୋଗ କରିଛନ୍ତି। ମୁମ୍ବାଇଠାରେ ଅନୁଷ୍ଠିତ ‘ଗଣତନ୍ତ୍ରର ସୁରକ୍ଷା-ସମ୍ବିଧାନର ସୁରକ୍ଷା’ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ବେଳେ ମୋଦୀଙ୍କୁ କ୍ରମାଗତ ଭାବେ ସମାଲୋଚନା କରିଆସୁଥିବା ଯଶୱନ୍ତ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପରେ ଦ୍ୱୀତିୟ ସର୍ବୋଚ୍ଚ ପଦ ଲାଭ କରିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଏମ୍‍ଓର ଏହି ନିଷ୍ପତ୍ତି ସମ୍ବନ୍ଧରେ ଅବଗତ ନ ଥାଆନ୍ତି। ଜାମ୍ମୁ-କାଶ୍ମୀରରେ ପିଡିପିଠାରୁ ସମର୍ଥନ ପ୍ରତ୍ୟାହାର ସମ୍ବନ୍ଧରେ ରାଜନାଥ ଅବଗତ ନ ଥିଲେ।
ସେହିଭଳି ପ୍ରଧାନମନ୍ତ୍ରୀ ବିମୁଦ୍ରାୟନ ଘୋଷଣା କରିବାକୁ ଯାଉଛନ୍ତି ବୋଲି ସ୍ୱୟଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ମଧ୍ୟ ଅବଗତ ନ ଥିଲେ ବୋଲି ମୋଦୀଙ୍କୁ କ୍ରମାଗତ ଭାବେ ସମାଲୋଚନା କରିଆସୁଥିବା ଯଶୱନ୍ତ ଦର୍ଶାଇଛନ୍ତି। ସୌରି କହିଛନ୍ତି ମୋଦୀ ସରକାରଙ୍କ ନେତୃତ୍ୱରେ ସମ୍ବିଧାନ ଏବଂ ଗଣତନ୍ତ୍ର ବିପଦରେ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୨ଟି ଗୋଷ୍ଠୀବଦ୍ଧ ଆକ୍ରମଣ ଜନିତ ମୃତ୍ୟୁ ଘଟଣା ଘଟିଛି। ସୋରାବୁଦ୍ଦିନ ଏନ୍‍କାଉଣ୍ଟର ମାମଲାରେ ୫୪ ଜଣ ସାକ୍ଷୀ ନିଜ ବୟାନରୁ ଓହରିଯାଇଥିବା ବେଳେ ସିବିଆଇର ଅନୁଚିତ୍‍ ଉପଯୋଗ କରାଯାଇଛି। ଗଣମାଧ୍ୟମ ନିୟନ୍ତ୍ରଣ ପ୍ରସଙ୍ଗରେ ବରିଷ୍ଠ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଅବସରରେ ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ମଧ୍ୟ ପୁନଃ ନିଜ ଦଳର ନେତାଙ୍କୁ ସମାଲୋଚନା କରିଥିଲେ। ୩୫,୦୦୦ କୋଟି ଟଙ୍କାର ରାଫେଲ୍‍ ବିମାନ ଦୁର୍ନୀତି ୬୪,୦୦୦ କୋଟି ଟଙ୍କାର ବୋଫର୍ସ ଦୁର୍ନୀତିଠାରୁ ଖୁବ୍‍ ବଡ଼ ବୋଲି ନିକଟରେ ଯଶୱନ୍ତ କହିଥିଲେ।

Leave A Reply