୧୯୮୩ ବିଶ୍ବକପ୍‌ ବିଜେତା କ୍ରିକେଟର ଯଶପାଳଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୧୯୮୩ କ୍ରିକେଟ୍‌ ବିଶ୍ବକପ୍‌ ଚମ୍ପିଆନ୍ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଯଶପାଳ ଶର୍ମାଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ଯଶପାଳ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ପ୍ରତିଦିନ ପରି ମଙ୍ଗଳବାର ଯଶପାଳ ଚାଲିବାକୁ ଯାଇଥିଲେ ଏବଂ ସେଠାରୁ ଫେରି ନଇଡାସ୍ଥିତ ତାଙ୍କ ବାସଭବନରେ ବେହୋସ୍ ହୋଇ ଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯଶପାଳ ୧୯୮୩ ବିଶ୍ବକପ୍‌ ବିଜୟରେ ଭାରତର ଅନ୍ୟତମ ହିରୋ ଥିଲେ। ଏହି ବିଶ୍ବକପ୍‌ରେ ଯଶପାଳ ୩୪.୨୮ ଆଭ୍‌ରେଜରେ ୮ଟି ଇନିଂସରୁ ଦଳ ପାଇଁ ୨ୟ ସର୍ବାଧିକ ୨୪୦ ରନ୍ କରିଥିଲେ।

ଜଣେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଭାବେ ଯଶପାଳ ୧୯୭୩-୭୪ରୁ ପ୍ରଥମଶ୍ରେଣୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ। ସେ ୧୯୭୮ରେ ପାକିସ୍ତାନର ସିଆଲ୍‌କୋଟରେ ଦିନିକିଆ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ଷ ଲର୍ଡସରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ଯଶପାଳଙ୍କ ବ୍ୟାଟିଂ ଶୈଳୀ ସମ୍ପୂର୍ଣ୍ଣ କଳାତ୍ମକ ନ ଥିଲେ ମଧ୍ୟ ବେଶ୍ ପ୍ରଭାବଶାଳୀ ଥିଲା। ସମସ୍ତ ପ୍ରକାର ସଟ୍‌ ଖେଳିବାର ଦକ୍ଷତା ତାଙ୍କର ଥିଲା। ତେବେ ୧୯୮୩ ବିଶ୍ବକପ୍‌ରେ ଯଶପାଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ପୂର୍ବତନ ବିଶ୍ବ ଚମ୍ପିଆନ୍ ୱେଷ୍ଟଇଣ୍ଡିଜ ବିପକ୍ଷରେ ଲିଗ୍ ମ୍ୟାଚ୍‌ରେ ଯଶପାଳ ସର୍ବାଧିକ ୮୯ ରନ୍‌ କରିବାରୁ ଭାରତ ବିଜୟୀ ହୋଇଥିଲା। ଏହି ବିଜୟରୁ ଭାରତର ଆତ୍ମବିଶ୍ବାସ ବଢ଼ିଥିଲା। ଘରୋଇ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଯଶପାଳଙ୍କ ଧୈର୍ଯ୍ୟପୂର୍ଣ୍ଣ ୧୧୫ ବଲ୍‌ରୁ ୬୧ ରନ୍‌ ଯୋଗୁଁ ଭାରତ ବିଜୟୀ ହୋଇଥିଲା। ପ୍ରଥମେ ସେ ମହିନ୍ଦର ଅମରନାଥଙ୍କ ସହ ୯୨ ରନ୍‌ର ଭାଗିଦାରୀ କରିବା ପରେ ସନ୍ଦୀପ ପାଟିଲଙ୍କ ସହ ୬୩ ରନ୍‌ର ଭାଗିଦାରୀ କରିଥିଲେ। ଏହି ଇନିଂସରେ ଫାଷ୍ଟବୋଲର ପଲ୍‌ ଆଲଟ୍‌ଙ୍କୁ ସିଧା ଏବଂ ଇଂଲଣ୍ଡ ଅଧିନାୟକ ବବ୍ ୱିଲିସ୍‌ଙ୍କ ୟର୍କରକୁ ସ୍କୋୟାର ଲେଗ୍ ଉପରେ ଛକା ମାରିଥିଲେ; ଯାହା ଅଦ୍ୟାବଧି କ୍ରିକେଟପ୍ରେମୀଙ୍କ ମନରେ ଉଜ୍ଜୀବିତ ରହିଛି।

ଯଶପାଳ ଜଣେ ଚମତ୍କାର ଫିଲ୍‌ଡର ଥିଲେ। ଟେଷ୍ଟ କ୍ରିକେଟ୍‌ରେ ସେ କିଛି ସ୍ମରଣୀୟ ଇନିଂସ ଖେଳିଛନ୍ତି। ୨୦୦୩ ଓ ୨୦୦୮ରେ ଯଶପାଳ ଜାତୀୟ ସିନିୟର ମନୋନୟନ କମିଟିର ସଦସ୍ୟ ଥିଲେ। ସେ ଉତ୍ତର ପ୍ରଦେଶ ରଣଜୀ ଟ୍ରଫି ଦଳର ପ୍ରଶିକ୍ଷକ ଥିବା ସହ ଜଣେ ଆନ୍ତର୍ଜାତିକ ଅମ୍ପାୟାର ଭାବେ ୨ଟି ମହିଳା ଦିନିକିଆ ମ୍ୟାଚ୍‌ ପରିଚାଳନା କରିଛନ୍ତି। ଯଶପାଳଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟର ଦ୍ବାରା ଶୋକପ୍ରକାଶ କରିଛନ୍ତି। ଯଶପାଳଙ୍କ ଅକାଳ ଦେହାନ୍ତରେ ତାଙ୍କର ସାଥୀ ଖେଳାଳିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଯଶପାଳଙ୍କ କ୍ରିକେଟ୍‌ ଜୀବନ
ଯଶପାଳ ଶର୍ମା ଭାରତ ତରଫରୁ ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ୩୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ୧୬୦୬ ରନ୍‌ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୧୪୦। ସେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୯୭୮ରୁ ୧୯୮୫ ପର୍ଯ୍ୟନ୍ତ ୪୨ଟି ଦିନିକିଆ ମ୍ୟାଚ୍‌ ଖେଳି ୮୮୩ ରନ୍ କରିଥିଲେ। ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ୮୯ ରନ୍‌ ଥିବା ବେଳେ ଏଥିରେ ୪ଟି ଅର୍ଦ୍ଧଶତକ ରହିଛି। ଯଶପାଳ ୧୯୭୩ରୁ ୧୯୯୨ ପର୍ଯ୍ୟନ୍ତ ହରିୟାଣା, ପଞ୍ଜାବ ଓ ରେଳବାଇ ତରଫରୁ ମୋଟ୍‌ ୧୬୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୮୯୩୩ ରନ୍‌ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ଅପରାଜିତ ୨୦୧ ରନ୍‌। ଏଥିମଧ୍ୟରେ ୨୧ଟି ଶତକ ଓ ୪୬ଟି ଅର୍ଦ୍ଧଶତକ ରହିଛି। ସେ ୧୯୭୮ରୁ ୧୯୮୮ ପର୍ଯ୍ୟନ୍ତ ୭୪ଟି ଲିଷ୍ଟ ‘ଏ’ ମ୍ୟାଚ୍‌ ଖେଳି ୧୮୫୯ ରନ୍‌ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୯୧ ରନ୍‌ ହୋଇଥିବା ବେଳେ ସେ ୧୨ଟି ଅର୍ଦ୍ଧଶତକ ହାସଲ କରିଥିଲେ।

Comments are closed.