ନୃତ୍ୟ ସମର୍ପିତା ସାବିତ୍ରୀ

ନିଜ ସ୍ବପ୍ନ ଏବଂ ଲକ୍ଷ୍ୟକୁ ପାଥେୟ କରି ଚାଲିଲେ, ସାମ୍ନାରେ ଯେତେ ବାଧକ ଆସିଲେ ସୁଦ୍ଧା ଅତିକ୍ରମ କରିବା କଷ୍ଟକର ହୁଏନି। ବୟସ ବଢ଼ିଲେ, କାମର ଚାପ କମ୍ ହେବା ଦରକାର ବୋଲି ବିଶେଷଜ୍ଞ ଦଳ ମତ ଦେଉଛନ୍ତି। ସେପରିସ୍ଥଳେ ୭୭ବର୍ଷୀୟା ଜଣେ ବୃଦ୍ଧା ନିଜ ନୃତ୍ୟ ପାରଙ୍ଗମତାରେ ସମସ୍ତଙ୍କୁ ଚକିତ କରିଛନ୍ତି। ସଫଳତା ପାଇଁ ବୟସ ବାଧକ ନୁହେଁ ଏବଂ ନାରୀ ନିଜ ଦୃଢ ମନୋବଳ ଦ୍ବାରା ସମସ୍ତ ଅସାଧ୍ୟ ସାଧନ କରିପାରିବ ବୋଲି ପ୍ରମାଣିତ କରିଛନ୍ତି ସାବିତ୍ରୀ।
ବୟସ ବଢ଼ିବା ପରେ ଘରେ ମୁରବୀପଣିଆ ଜାହିର୍ କରିବା ପରିବର୍ତ୍ତେ ନିଜ ଲକ୍ଷ୍ୟ ପଥରେ ଆଗେଇ ଦୀର୍ଘଦିନର ସ୍ବପ୍ନ ପୂରଣ କରିବାକୁ ଉଚିତ୍ ମଣିଥିଲେ ସାବିତ୍ରୀ ରାଓ। ମାଙ୍ଗାଲୁରୁ ବାସିନ୍ଦା ସାବିତ୍ରୀଙ୍କୁ ଏବେ ୭୭ବର୍ଷ। ତାଙ୍କର ସ୍ବତନ୍ତ୍ର ପରିଚୟ ହେଉଛି ସେ ଭାରତର ବୟୋଜ୍ୟେଷ୍ଠା ଯକ୍ଷଗାନ ନୃତ୍ୟଶିଳ୍ପୀ (କର୍ଣ୍ଣାଟକ, କେରଳରେ ଯକ୍ଷଗାନ ଏକ ପାରମ୍ପରିକ ନୃତ୍ୟକଳା)। ୨୦୧୮ ମେ’ରେ ସାବିତ୍ରୀ ନିଜର ୧୦୦ତମ ଯକ୍ଷଗାନ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରି ଭାବବିହ୍ବଳ ହୋଇପଡ଼ିଥିଲେ। ଷ୍ଟେଜ୍ ଉପରେ ନୃତ୍ୟ ପ୍ରତି ତାଙ୍କର ସମର୍ପଣ ଭାବ ଦେଖିଲେ, ମନେହୁଏ ଦୃଢ ମନୋବଳ ଆଗରେ ବୟସ କିଛି ପ୍ରଭାବ ପକାଇପାରେନି। ତାଙ୍କର ବର୍ଦ୍ଧିତ ବୟସ କେବଳ ଦୁଇ ଯୋଡ଼ା ସଂଖ୍ୟାର ସମାହାର କହି ଚେନାଏ ହସିଦିଅନ୍ତି ସାବିତ୍ରୀ। ସବୁଠାରୁ ବଡ଼ କଥା, ସେ ଯକ୍ଷଗାନ ଅଭ୍ୟାସ ଆରମ୍ଭ କରିବା ବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇସାରିଥିଲା।
ପିଲାଦିନରୁ ଯକ୍ଷଗାନ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା। ସେ ସମୟରେ ଗଛ ଡାଳ, ବାହୁଙ୍ଗା ଭାଙ୍ଗି ସାଙ୍ଗସାଥିଙ୍କ ମେଳରେ ଗାଁ ଦାଣ୍ଡରେ ତାଙ୍କ ଅଭିନୟ, ନୃତ୍ୟ ଚାଲିଥିଲା। ଯକ୍ଷଗାନ ନୃତ୍ୟରେ ଶିଳ୍ପୀଙ୍କ ମୁହଁରେ ବିଭିନ୍ନ ରଙ୍ଗର ସମାହାର ଦେଖିବାକୁ ମିଳେ। ସାବିତ୍ରୀ ସେସବୁ ରଙ୍ଗ ନପାଇ ଘରୁ ପାଉଁଶ ଲୁଚାଇ ଆଣି ସେଇଥିରେ ମୁହଁରେ ରଙ୍ଗ ମାଖୁଥିଲେ। ସାଥିଙ୍କ ମେଳରେ ମଞ୍ଚ ଉପରେ ଅଭିନୟ କଲା ପରି ସାବିତ୍ରୀଙ୍କ ନୃତ୍ୟ ଆରମ୍ଭ ହୋଇଯାଉଥିଲା। ପିଲାଙ୍କ ତାଳିମାଡ଼ରେ ସେ ନିଜକୁ ଶ୍ରେଷ୍ଠ ଯକ୍ଷଗାନ ଶିଳ୍ପୀ ମନେକରୁଥିଲେ। ଟିକିଏ ବଡ଼ ହେବା ପରେ ନିଜ ଚିହ୍ନାପରିଚିତଙ୍କ ସହାୟତାରେ ଯକ୍ଷଗାନ ଶିଖିବାକୁ ଚାହିଁଲେ ସାବିତ୍ରୀ। ତେବେ ସେ ସମୟେର ଝିଅମାନଙ୍କୁ ନାଚ, ଗୀତରେ ସାମିଲ କରିବାକୁ ଠିକ୍ ଧରାଯାଉନଥିଲା।
ନୃତ୍ୟଶିଳ୍ପୀ ହେବାର ସ୍ବପ୍ନକୁ ମନରେ ଚାପି ଯଥାସମୟରେ ବିବାହ କରି ଘରସଂସାରରେ ବାନ୍ଧି ହୋଇଗଲେ ସାବିତ୍ରୀ। ବିବାହ ପରେ ସ୍ବାମୀ ଶ୍ରୀନିବାସ ରାଓଙ୍କ ସହଯୋଗରେ ଶିକ୍ଷକତାରେ ପାଦ ଥାପିଲେ। ଏଥିରେ ମଧ୍ୟ ସେ ଶୀର୍ଷରେ ରହିଲେ। ୧୯୮୭ରେ ଭାରତୀୟ ଶିଶୁ ଶିକ୍ଷା ପରିଷଦ ପକ୍ଷରୁ ସାବିତ୍ରୀ ‘ଶ୍ରେଷ୍ଠ ଶିକ୍ଷୟିତ୍ରୀ’ ସମ୍ମାନ ପାଇଲେ। ୧୯୯୦ରେ ଅବସର ନେବା ପରେ କନ୍ନଡ ଭାଷାରେ ଶିଶୁମାନଙ୍କ ସାହିତ୍ୟିକ ପ୍ରତିଭାର ବିକାଶ କରିବା ଲାଗି ସ୍ବାମୀଙ୍କ ସହ ମକ୍କଲ ସାହିତ୍ୟ ସଙ୍ଗମ ନାମକ ଏକ ସଂଗଠନ ପରିଚାଳନା କଲେ ସେ, କିନ୍ତୁ ମନରୁ ଯକ୍ଷଗାନ ନୃତ୍ୟଶିଳ୍ପୀ ହେବାର ନିଶା ଅପସରି ନଥାଏ। ସ୍ବାମୀ ମଧ୍ୟ ଯକ୍ଷଗାନର ପ୍ରଶଂସକ ହୋଇଥିବାରୁ ଦୁହେଁ ଅନେକ ସମୟରେ ମାଙ୍ଗାଲୁରୁ ଟାଉନ୍ହଲରେ ହେଉଥିବା ଏହି କାର୍ଯ୍ୟକ୍ରମ ଦେଖିବାକୁ ଯାଆନ୍ତି। ୨୦୦୯ ବେଳକୁ ତାଙ୍କର ଜଣେ ପଡ଼ୋଶୀ ଭାବେ ରହିବାକୁ ଆସିଲେ ସୁମଙ୍ଗଲା ରତ୍ନାକର। ସେ ଜଣେ ଯକ୍ଷଗାନ ଗୁରୁ ଏବଂ ଯକ୍ଷ ଆରାଧନା କଳା କେନ୍ଦ୍ରର ନିର୍ଦେଶିକା। ହଜିଲା ଜିନିଷ ପାଇଲା ପରି ଅନୁଭବ କଲେ ସାବିତ୍ରୀ। ସ୍ବାମୀ ଶ୍ରୀନିବାସ ମଧ୍ୟ ଉତ୍ସାହିତ କଲେ, ତାଙ୍କଠାରୁ ଯକ୍ଷଗାନ ଶିଖିବା ଲାଗି। ୬୬ବର୍ଷ ବୟସରେ ପାଚିଲା କେଶରେ ପ୍ରଶିକ୍ଷଣ ଆରମ୍ଭ କରି ମାସ କେଇଟାରେ ଧୂରୀଣ ହୋଇଗଲେ ସାବିତ୍ରୀ। ମାଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ହେଉଥିବା ଯକ୍ଷଗାନ ନୃତ୍ୟ ଆୟୋଜନରେ ସେ ଭାଗ ନେଲେ ଏବଂ ଦର୍ଶକଙ୍କୁ ମଧ୍ୟ ଚକିତ କରିପାରିଲେ।
କେବଳ ମଞ୍ଚରେ ନୃତ୍ୟ ପରିବେଷଣ ସମୟରେ ନୁହେଁ, ପରଦା ପଛରେ ମଧ୍ୟ ତାଙ୍କ ଧୈର୍ଯ୍ୟ ପ୍ରଶଂସନୀୟ। ଜଣେ ବୟସ୍କା ମହିଳା ନୃତ୍ୟର ୩-୪ ଘଣ୍ଟା ପୂର୍ବରୁ ମେକଅପ୍ ନେଇ ଓଜନିଆ ପୋଷାକ ଓ ଗହଣା ପିନ୍ଧି ବସିବା ସହଜ କଥା ନଥିଲା। ଗତ କିଛିବର୍ଷ ମଧ୍ୟରେ ରାମାୟଣ, ମହାଭାରତର ସଂଖ୍ୟାଧିକ ଚରିତ୍ରମାନଙ୍କୁ ଚିତ୍ରାୟଣ କରି ସାବିତ୍ରୀ ନିଜ ଲକ୍ଷ୍ୟରେ ପରିପୂର୍ଣ୍ଣ ହୋଇପାରିଛନ୍ତି। n