ଜାପାନ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ

ଟୋକିଓ : ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୬୫ ବର୍ଷ ବୟସ୍କ ଆବେ ଦୀର୍ଘ ଦିନ ଧରି ପେଟ ରୋଗ ସହ ସଂଘର୍ଷ କରିଆସୁଥିଲେ। ସେ ଗତ ୧୭ ଏବଂ ୨୪ ତାରିଖରେ ଦୁଇଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ଜାପାନ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥିଲା। ଅନ୍ତନଳୀ ରୋଗ ସତ୍ତ୍ବେ ନିୟମିତ ଚିକିତ୍ସା ମାଧ୍ୟମରେ ସେ ରୋଗକୁ ନିୟନ୍ତ୍ରଣରେ ରଖଥିଲେ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସରକାରଙ୍କ କାର୍ଯ୍ୟ ଉପରେ ତାଙ୍କ ସ୍ୱାସ୍ଥ୍ୟର କୌଣସି ପ୍ରଭାବ ପଡୁ ବୋଲି ଆବେ ଚାହୁଁନାହାଁନ୍ତି। ଏଭଳି ପରିସ୍ଥିତିରେ ସେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ଇସ୍ତଫା ନେଇ ଘୋଷଣା କରିଛନ୍ତି। ଚଳିତ ମାସରେ, ଆବେ ପ୍ରଧାନମନ୍ତ୍ରୀ ଭାବରେ ସାତ ବର୍ଷ ଛଅ ମାସ ପୂରଣ କରିଛନ୍ତି।

ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ, ଆବେ ଗତ ୫୦ ଦିନ ଧରି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ଗତ ୨୪ ତାରିଖରେ, କ୍ୟାବିନେଟ ସଚିବ ୟୋସିହିଦା ସୁଗା, ସିଞ୍ଜୋଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଚାଲିଥିବା ଆଲୋଚନାକୁ ଖଣ୍ଡନ କରିଦେଇଥିଲେ। ସେ କହିଥିଲେ ଯେ ଆବେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ଆସୁଛନ୍ତି।

ତେବେ ଏହି ଅସୁସ୍ଥତା ହେତୁ ୨୦୦୭ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଆବେଙ୍କୁ ଏକ ବର୍ଷ ଇସ୍ତଫା ଦେବାକୁ ପଡିଲା।

Comments are closed.