ଗାଁ ପିଲାଏ କହୁଛନ୍ତି ଜାପାନୀ ଭାଷା

ଆମ ଗାଁଗହଳିର ପିଲା ମଧ୍ୟ କୌଣସି ଗୁଣରେ କମ୍ ନାହାନ୍ତି। କେବଳ ଇଂରାଜୀ ଭାଷାରେ ପାରଙ୍ଗମତା ନୁହେଁ, ବରଂ ସ୍ପେନ୍, ଜାପାନ, ରୁଷିଆ ଭାଷାରେ ମଧ୍ୟ ସେମାନେ ଦକ୍ଷ ହୋଇଗଲେଣି। ସହରର ପିଲା ଅନ୍-ଲାଇନ୍‌ କ୍ଲାସ୍ ଜରିଆରେ ଏସବୁ ବିଦେଶୀ ଭାଷାର ତାଲିମ ନେଉଥିବାବେଳେ ଗାଁ ପିଲା କିନ୍ତୁ ବହି ସହାୟତା ନେଇ ଏସବୁ ଶିଖୁଥିବାର ପ୍ରକାଶ। ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାର ଗାଡିୱାଟ୍‌ସ୍ଥିତ ଜିଲା ପରିଷଦ ବିଦ୍ୟାଳୟ। ବିଦ୍ୟାଳୟର ପଞ୍ଚମ ଶ୍ରେଣୀରୁ ପିଲାଙ୍କୁ ଜାପାନୀ ଭାଷା ଶିକ୍ଷା ତାଲିମ ଦିଆଯାଉଥିବାବେଳେ ସେମାନେ ମଧ୍ୟ ଏହି ଭାଷା ଶିଖିବାରେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି। ସ୍ଥାନୀୟ ଅଞ୍ଚର ଜିଲା ଶିକ୍ଷା ଅଧିକାରୀ ସୁରଜ୍ ପ୍ରସାଦ ଜୈସ୍ବାଲ୍‌ଙ୍କ ମତରେ ଜାପାନୀ ଭାଷା ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବା ପଛରେ ଯଥା କାରଣ ରହିଛି। ଏହି ଜିଲାକୁ ପ୍ରତି ବର୍ଷ ସଂଖ୍ୟାଧିକ ଜାପାନୀ ପର୍ଯ୍ୟଟକ ଅଜନ୍ତା, ଏଲୋରା ଗୁମ୍ଫା ଦେଖିବାକୁ ଆସିଥାନ୍ତି। ଛାତ୍ରଛାତ୍ରୀ ଜାପାନୀ ପର୍ଯ୍ୟଟକଙ୍କ ଗାଇଡ୍ ଭାବେ ଦାୟିତ୍ବ ତୁଲାଇପାରିବେ। ଭାରତୀୟ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିଦେଶୀଙ୍କ ସମ୍ମୁଖରେ ପ୍ରମାଣିତ ହୋଇପାରିବ। ଏହା ସହ ଛାତ୍ରଛାତ୍ରୀଙ୍କ ଉତ୍ସାହ ମଧ୍ୟ ବଢ଼ିବ। ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଜାପାନୀ ଭାଷା କହିବାରେ ଦକ୍ଷ। ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀ ସୁନିଧି କହିଛନ୍ତି, ଜାପାନ ଭାଷା ଶିଖିବାରେ ମଜା ଲାଗୁଛି। ଏହା ଦ୍ବାରା ସେମାନେ ଏକ ବିଦେଶୀ ରାଷ୍ଟ୍ରର କଳା, ସ୍ଥାପତ୍ୟ, ସେମାନଙ୍କ ଜୀବନଶୈଳୀ ବାବଦରେ ଜାଣିବାକୁ ପାଇଲେ। ଭବିଷ୍ୟତରେ ଉଚ୍ଚଶିକ୍ଷା ପାଇଁ କିମ୍ବା ଚାକିରି ନିମନ୍ତେ ଜାପାନ ଯାତ୍ରା କଲେ, ସେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ବୋଲି ନିଶ୍ଚିତ। ବିଦ୍ୟାଳୟର ଶିକ୍ଷକଙ୍କ କହିବାନୁସାରେ ଆଗ୍ରହ ଥିଲେ ସବୁ କିଛି କରିବା ସମ୍ଭବପର। ଅନ୍-ଲାଇନ୍‌ରେ ଅଭିଭାବକ ହଜାରହଜାର ଟଙ୍କା ଖର୍ଚ୍ଚ କରି ବିଦେଶୀ ଭାଷାର ତାଲିମ ପିଲାଙ୍କୁ ଦେଉଥିବାବେଳେ ଗାଡିୱାଟ୍ ଗ୍ରାମର ଛାତ୍ରଛାତ୍ରୀ, କିନ୍ତୁ ପୁସ୍ତକ ଜରିଆରେ ଜାପାନୀ ଭାଷା କହିବା ଶିଖିପାରିଛନ୍ତି।

Comments are closed.