ଜାନୁଆରୀ ମାର୍ଗଦର୍ଶିକା : ବଣଭୋଜି ମନା, ସାନ୍ଧ୍ୟଆଇନ କଡ଼ା

ଭୁବନେଶ୍ୱର : ଦୈନିକ କରୋନା ସଂକ୍ରମଣ ବୃଦ୍ଧି ସହ ନୂଆ ପ୍ରଜାତି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଛୁଇଁବା ପରେ ଓଡ଼ିଶା ସରକାର ଜାନୁଆରୀ ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି। ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା ମାର୍ଗଦର୍ଶିକାରେ ପରିବର୍ତ୍ତନ କରିଛନ୍ତି। ଜାନୁଆରୀ ମାସରେ କୌଣସି ସ୍ଥାନରେ ବଣଭୋଜି କରାଯିବା ଉପରେ କଟକଣା ଲଗାଯାଇଛି। ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ସ୍ଥାନରେ ବଣଭୋଜି କରାଯାଇ ପାରିବ ନାହିଁ। ଏପରିକି କୌଣସି ଶିକ୍ଷାନୁଷ୍ଠାନ ବଣଭୋଜି କରିବାକୁ ଯାଇପାରିବେ ନାହିଁ।
ରାଜ୍ୟର ସମସ୍ତ ସହରାଞ୍ଚଳରେ ସାନ୍ଧ୍ୟ ଆଇନ ଲାଗୁ ହେବ। ଏହି ସମୟରେ ଜରୁରୀକାଳୀନ କିମ୍ବା ସଠିକ କାରଣ ଦର୍ଶାଇ ଯାନବାହନ ଚଳାଚଳ କରିପାରିବ। ସାନ୍ଧ୍ୟ ଆଇନ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ପୂର୍ବଭଳି ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ବଜାର
ଖୋଲା ରହିବ। ସେହିପରି ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ମନା କରାଯାଇଛି। ରାଜନୈତିକ ସମାବେଶ ପାଇଁ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା,ଏକ୍ସପୋ, ମେଳା ଆୟୋଜନକୁ ମଧ୍ୟ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । ବାର୍ଷିକ ଉତ୍ସବ ପାଳନ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି।
ରାଜ୍ୟ ସରକାର ଯାତ୍ରା, ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଛନ୍ତି। କରୋନା ମାର୍ଗଦର୍ଶିକା ପାଳନ ପୂର୍ବକ ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରାଯାଇପାରିବ। ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଚାଲିବ। ଦୁଇ ପାନ ଟିକା କିମ୍ବା କରୋନା ପରୀକ୍ଷା ବିବରଣୀ ପ୍ରମାଣ ପତ୍ର ଦେଇ ଦର୍ଶକ ଯାଇପାରିବେ। ବାହାଘର, ଅ‌େ‌ନ୍ତ୍ୟଷ୍ଟିକ୍ରିୟା ଏବଂ ବ୍ରତଘର ପୂର୍ବ ପରି ୨୫୦ ଲୋକଙ୍କୁ ନେଇ ଏବଂ ବରଯାତ୍ରୀ ଶୋଭାଯାତ୍ରା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ପୂର୍ବକ ବର ସମେତ ୫୦ ଲୋକଙ୍କୁ ନେଇ କରାଯାଇପାରିବ ବୋଲି କୁହାଯାଇଛି।
ନିୟମ ଉଲ୍ଲଘଂନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ରହିଛି। କୌଣସିଠାରେ କରୋନା ମାର୍ଗଦର୍ଶିକା ଉଲ୍ଲଘଂନ ନ ହୁଏ ସେଥିପ୍ରତି ଗୁରୁତ୍ବ ଦେବାକୁ ଏସଆରସି ସମସ୍ତ ଜିଲାପାଳ, ପୁଲିସ ଆୟୁକ୍ତ, ଏଡିଏମ, ସିଡିଏମଓ ପିଏଚଓ, ଡିସିପି, ଉପଜିଲାପାଳ, ତହସିଲଦାର, ବିଡିଓ, ପୌର ଆୟୁକ୍ତଙ୍କୁ ଅବଗତ କରାଇଛନ୍ତି।..

Comments are closed.