ସାକ୍ଷୀଗୋପାଳ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ସୁଆଣ୍ଡୋ : ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ସାକ୍ଷୀ ଗୋପୀନାଥଙ୍କ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ବୁଧବାରଠାରୁ ଆରମ୍ଭ ହୋଇଥିବା ୩ଦିନ ବ୍ୟାପୀ ଜନ୍ମାଷ୍ଟମୀ ପର୍ବ ସେବାୟତ ସଂଘ ପକ୍ଷରୁ ବିଶେଷ ଆଡମ୍ବର, ଉଲ୍ଲାସରେ ପାଳନ କରାଯାଇଛି । ସକାଳୁ ଠାକୁରଙ୍କ ମଙ୍ଗଳ ଆଳତି ଆଦି ଦୈନନ୍ଦିନ ନୀତିକାନ୍ତି କରାଯିବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି । ଶହଶହ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ବିଳମ୍ବିତ ରାତିରେ ଠାକୁରଙ୍କ ଜନ୍ମବିଧି ନୀତି ସେବାୟତମାନଙ୍କ ଦ୍ୱାରା କରାଯିବ। ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ହେଉଥିବା ଓ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ପୁରପଲ୍ଲୀରେ ଥିବା ମଠ ମନ୍ଦିର ଭାଗଗତ ଗାଦି ପୀଠଗୁଡିକରେ ଏହି ଉତ୍ସବ ପାଳନ କରାଯାଉଛି । ପୁଣ୍ୟାତ୍ମା ଗୋପବନ୍ଧୁଙ୍କ କୁଳଦେବତା ଶୀ ରାଧାବିନୋଦ ବିହାରୀ ଦେବଙ୍କ ପୀଠରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି।

Comments are closed.