ଜନନୀଙ୍କ ପାଇଁ ଅଣ୍ଟା ଭିଡ଼ିଲେ ଜନନୀ ; ପ୍ରସୂତିଙ୍କୁ କାନ୍ଧରେ ବୋହିଲେ ୫ କିମି

0

ଦଶମନ୍ତପୁର : ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡିସିଲ ଗ୍ରାମରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ମହିଳା ଧନୀତା ଦିଶାରୀ ଏକ ମୃତ ଛୁଆ ଜନ୍ମ ଦେଇଥିଲେ। ପରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବାର ଆବଶ୍ୟକତା ପଡ଼ିଥିଲା। ପକ୍କା ରାସ୍ତା ଅଭାବରୁ ଗାଡ଼ି ମଧ୍ୟ ଗାଁରେ ପହଞ୍ଚିପାରୁ ନ ଥିଲା। ଏଭଳି ସ୍ଥିତିରେ ଏହି ଅସହାୟ ମହିଳାଙ୍କ ପାଇଁ ଅଣ୍ଟା ଭିଡ଼ିଥିଲେ ଆଉ କିଛି ଜନନୀ। କାନ୍ଧକୁ କାନ୍ଧ ମିଶାଇ ଗ୍ରାମର କିଛି ମହିଳା ଦୁଇଟି ନାଳ ଡେଇଁ ୫ କିମି ବୋହି ଆଣିଥିଲେ ଏହି ପ୍ରସୂତି ଓ ମୃତ ଶିଶୁକୁ। ୫ କିମି ଦୂରରେ ପୂର୍ବରୁ ଛିଡ଼ା ହୋଇଥିବା ଆମ୍ବୁଲାନ୍ସରେ ସେମାନେ ଧନୀତାଙ୍କୁ ନେଇ ଡାକ୍ତରଖାନା ପହଞ୍ଚାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସାହାସୀ ମହିଳାଙ୍କ ପ୍ରତି ପ୍ରଶଂସା ଛୁଅ ଛୁଟିଛି।
ଧନୀତି ପଞ୍ଚାୟତ ନିକଟସ୍ଥ ମକାକନ ଗ୍ରାମର ଅନନ୍ତ ଦିଶାରୀଙ୍କୁ ଦୁଇବର୍ଷ ପୂର୍ବେ ବାହା ହୋଇଥିଲେ। ତେବେ ଧନୀତିଙ୍କ ସାତ ମାସର ଗର୍ଭବତୀ ହୋଇଥିବାବେଳେ ଗତ ଶୁକ୍ରବାର ସ୍ୱାମୀ ଘରରୁ ମା’ଘର ଭଣ୍ଡିସିଲକୁ ଯାଇଥିଲେ। ସୋମବାର ସକାଳେ ହଠାତ୍‍ ପେଟରେ ଯନ୍ତ୍ରଣା ହେବା ସହ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଖବର ପାଇବା ପରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ୧୦୮ଆମ୍ବୁଲାନ୍ସକୁ ଡକାଇଥିଲେ, କିନ୍ତୁ ଆମ୍ବୁଲାନ୍ସଟି ଭଣ୍ଡିସିଲରୁ ପାଞ୍ଚ କିମି ଦୂର ମରିଚିଗୁଡ଼ା ଗ୍ରାମରେ ଅଟକିଯାଇଥିଲା। ଭିଣ୍ଡିସିଲ ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିକ ନ ଥିବାବେଳେ ବାଟରେ ଦୁଇଟି ନାଳ ପଡିଥାଏ। ଉକ୍ତ ଘଟଣା ସୋମବାର ଘଟିଥିଲା।

Leave A Reply