ବଦଳୁନି ’ଜନନୀ’ର ଦୁଃଖ: କାଶୀପୁରରେ ଏବେ ବି ଗର୍ଭବତୀଙ୍କ ଭରସା ଖଟିଆ ଓ ଷ୍ଟ୍ରେ​‌ଚର୍

କାଶୀପୁର:କେବଳ କାଗଜ କଲମରେ ସୀମିତ ଲୋକଙ୍କ ବିକାଶ। ଏହାର କେନ୍ଦ୍ର ସ୍ଥଳି ପାଲଟିଛି ରାୟଗଡା ଜିଲାର କାଶୀପୁର ବ୍ଲକ। ଗତ ପ୍ରାୟ ୩୦ବର୍ଷ ହେବ ଅନାହାର ଓ ଅଖାଦ୍ୟ ଜନିତ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାଶୀପୁର ବ୍ଲକ କୁଖ୍ୟାତି ଅର୍ଜନ କରିଛି। ତଥାପି ବଦଳୁ ନାହିଁ ଏହି ବ୍ଲକର ଭାଗ୍ୟ।  ଏବେ ଗତ କିଛି ମାସ ଧରି ଗ୍ରାମକୁ ନିତିଦିନିଆ ରାସ୍ତା ନଥିବାରୁ ଗର୍ଭବତୀଙ୍କ ପାଇଁ ସାହା ଭରସା ପାଲଟିଛି ଖଟିଆ ଏବଂ ଷ୍ଟ୍ରେ​‌ଚର। ଫଳରେ କେତେକ ଗର୍ଭବତୀ ରାସ୍ତାକଡରେ ଏବଂ ବୁଦା ମୂଳେ ପ୍ରସବ କରୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜନନୀ ଯନ୍ତ୍ରଣା କାଶୀପୁର ବ୍ଲକରେ ଗତ କିଛି ମାସ ମଧ୍ୟରେ ୧୦ରୁ ଅଧିକ ଘଟଣା ଘଟିଥିବା ବେଳେ ଏବେ କାଶୀପୁର ବ୍ଲକରେ ଜନନୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏଭଳି ଘଟଣା ପୁଣିଥରେ ଆଜି ଦେଖିବାକୁ ମିଳିଛି କାଶୀପୁର ବ୍ଲକ ସିନ୍ଦୁର ଘାଟି ପଞ୍ଚାୟତ ଅନ୍ତର୍ଗତ ଗଜାପଦର ଗ୍ରାମରେ। ମିଳିଥିବା ସୂଚନା ଅନୁଯାଇ ଗଜାପଦର ଗ୍ରାମର ଅଭିମନ୍ୟୁ ପୂଜାରିଙ୍କ ସ୍ତ୍ରୀ ଯଶୋଦା (୩୦) ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଏନେଇ ପରିବାର ଲୋକେ ଆଶା ଦିଦିଙ୍କୁ ଖବର ଦେଇଥିଲେ। ଖବର ପାଇ ଆଶା ଦିଦି ଘରକୁ ଯିବା ସହ ପ୍ରସବ ବେଦନାରେ ଛଟପଟ ହେଉଥିବାରୁ ତୁରନ୍ତ ୧୦୨ କୁ ଫୋନ କରିଥିଲେ।ଏହାପରେ ୧୦୨ ଆମ୍ବୁଲାନ୍ସ ଗ୍ରାମକୁ ଯିବାକୁ ପକ୍କା ରାସ୍ତା ନଥିବାରୁ କାଦୁଅ ରାସ୍ତାରେ ଗଜାପଦର ଗ୍ରାମକୁ ପହଞ୍ଚିନପାରି ସିନ୍ଦୁରଘାଟି ଗ୍ରାମର ଗୁଡିଘର ନିକଟରେ ଅଟକି ରହିଥିଲା। ଫଳରେ ୧୦୨ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତ ନାଏକ, ଆଶାଦିଦି ସୁଶାନ୍ତି ନାଏକ ଏବଂ ପରିବାର ଲୋକଙ୍କ ସହାୟତାରେ  ଯଶୋଦାଙ୍କୁ ଷ୍ଟ୍ରେଚର ଯୋଗେ ପ୍ରାୟ ୪ କିମି କାଦୁଅ ରାସ୍ତାରେ ପାରକରି ଆମ୍ବୁଲାନସ ନିକଟକୁ ଅଣାଯାଇଥିଲା। ଏହାପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା କରାଯିବା ସହିତ ତାଙ୍କୁ ମା ଗୃହରେ ରଖାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।
ସରକାରଙ୍କର କେବିକେ ଅଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କାଶୀପୁର ବ୍ଲକକୁ ପ୍ରଶାସନ ନିଜ ଦୃଷ୍ଟି ଅଢୁହାଳରେ ରଖିଛି। ଏନେଇ ବାରମ୍ବାର ଏଭଳି ଜନନୀ ଯନ୍ତ୍ରଣା ଖବର ଗଣ ମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ନିଘୋଡ ନିଦ୍ରାରେ ଶୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Comments are closed.