ତେଲକୋଇରେ ପୁଣି ଜନନୀ ଯନ୍ତ୍ରଣା, ୨ କିଲୋମିଟର ଚାଲି ଆମ୍ବୁଲାନ୍ସରେ ଚଢିଲେ ଆଦିବାସୀ ପ୍ରସୂତୀ

ତେଲକୋଇ : ତେଲକୋଇରେ ପୁଣି ଜନନୀ ଯନ୍ତ୍ରଣା । ସାହିକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରସବ ପରେ ଡାକ୍ତରଖାନା ଆସିବା ପାଇଁ ନଵଜାତ ସହ ଦୁଇ କିଲୋମିଟର ଚାଲିଲେ ପ୍ରସୂତୀ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ପଙ୍ଗା ଗ୍ରାମ ମୁଣ୍ଡା ସାହିରେ । ଗୁରୁବାର ଅପରାହ୍ନରେ ପଙ୍ଗା ଗ୍ରାମ ମୁଣ୍ଡା ସାହିର ରାଜକାନ୍ତ ମୁଣ୍ଡାଙ୍କ ସ୍ତ୍ରୀ ଇନ୍ଦିରା ମୁଣ୍ଡା (୨୨) ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଇନ୍ଦିରାଙ୍କୁ ମେଡିକାଲ ନେବାପାଇଁ ଆଶା ଦିଦି ଆମ୍ବୁଲାନ୍ସକୁ ସମ୍ପର୍କ କରିଥିଲେ । ତେବେ ତେଲକୋଇରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ପାଲ୍ଲଲହଡା ଉପଖଣ୍ଡ ଜମରଡିହିରୁ ଆମ୍ବୁଲାନ୍ସ ଆସିଥିଲା । ପଙ୍ଗା ଗ୍ରାମର ଗର୍ଭବତୀ ମହିଳା ଇନ୍ଦିରାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ସନ୍ଧ୍ୟା ୫ଟା ବେଳେ ପଙ୍ଗା ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ଥିଲା।ସେତେବେଳକୁ ଇନ୍ଦିରା ମୁଣ୍ଡା ଗାଁ ମହିଳାଙ୍କ ସହାୟତା ରେ ଅସୁରକ୍ଷିତ ଅବସ୍ଥାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇ ସାରିଥିଲେ । ମା ଓ ଶିଶୁକୁ ଆଶାଦିଦି ଅଧିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ମେଡିକାଲ ଆଣିଥିଲେ । ତେବେ ମୁଣ୍ଡା ସାହିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ପ୍ରସୂତୀ ମହିଳା ଆମ୍ବୁଲାନ୍ସ ପାଖକୁ ଆସିବା ପାଇଁ ତାଙ୍କୁ ୨ କିଲୋମିଟର ରାସ୍ତା ଚାଲିବାକୁ ପଡିଥିଲା । ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କୁ ଧରି ଗାଡି ପାଖକୁ ଆଣିଥିଲେ ।

ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାଙ୍କ ପାଇଁ ମା ଗୃହର ସୁବିଧା ରହିଛି । ପ୍ରସବ ସମୟ ଆଗରୁ ସେମାନଙ୍କୁ ସୁରକ୍ଷିତ ମାତୃତ୍ବ ଦେବାପାଇଁ ମା ଗୃହରେ ରଖିବାର ବ୍ୟବସ୍ଥା ମଧ୍ୟ ଅଛି । ତେବେ କାହିଁକି ସେମାନଙ୍କୁ ସେ ସୁବିଧାରୁ ବଞ୍ଚିତ କରାଯାଉଛି ତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.