କଟକଣାରେ ପାଳନ ହେବ ସାଧାରଣତନ୍ତ୍ର ଦିବସ

ସାମିଲ ହେବେନି ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ

ଭୁବନେଶ୍ବର:ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୬ରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଇଁ କଟକଣା ଜାରି କରାଯାଇଛି। ସାଧାରଣତନ୍ତ୍ର ଦିବସ ପ୍ରାୟତଃ ନିରାଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ। ଏମିତିକି ବିଦ୍ୟାର୍ଥୀ କିମ୍ବା ସମର ଶିକ୍ଷାର୍ଥୀ ବାହିନୀଙ୍କୁ ସାମିଲ କରାଯିବ ନାହିଁ। ଏସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ସବୁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶନାମା ଜାରି ହୋଇଛି।
ଏନେଇ ଗୃହ ବିଭାଗ ଉପସଚିବ ନୃସିଂହ ପ୍ରସାଦ ରାୟଗୁରୁ ଦର୍ଶାଇଛନ୍ତି ଯେ ରାଜ୍ୟରେ ଓମିକ୍ରନ’ ଓ କରୋନା ସଂକ୍ରମଣ ବଢ଼ୁଥିବାରୁ ସାଧାରଣତନ୍ତ୍ର ଦିବସ ଚଳିତବର୍ଷ କଟକଣା ଭିତରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ସକାଳ ସାଢ଼େ ୮ଟା ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ସୁରକ୍ଷା ଦୃଷ୍ଟିରୁ ସମାରୋହରେ କେବଳ ପୁଲିସ ଦଳ ଭାଗ ନେଇ ପାରିବେ। ସାଧାରଣ ଲୋକଙ୍କୁ ସମାରୋହକୁ ବାରଣ କରାଯାଇଛି। କେବଳ କିଛି ନିର୍ଦିଷ୍ଟ ଅତିଥି ଉତ୍ସବରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ। ଏହାବାଦ୍ ପୁରସ୍କୃତ ହେବାକୁ ଥିବା କରୋନା ଯୋଦ୍ଧା(ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ପରିମଳ କର୍ମୀ) ପ୍ରମୁଖ ଉତ୍ସବକୁ ଯାଇପାରିବେ। ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ କରୋନା କଟକଣାକୁ କଡାକଡି ପାଳନ କରାଯିବ। ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହିତ ତୁଣ୍ଡି ପିନ୍ଧିବା ଇତ୍ୟାଦିକୁ ଗୁରୁତ୍ବ ଦେବାକୁ ଗୃହବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡା କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନକୁ ବିଶୋଧନ କରିବା, ପ୍ରବେଶ ସ୍ଥାନରେ ବିଶୋଧନ ସାମଗ୍ରୀ ରଖିବାକୁ ନିର୍ଦେଶନାମାରେ ଶ୍ରୀ ରାୟଗୁରୁ ଦର୍ଶାଇଛନ୍ତି।

Comments are closed.