ରଜୌରୀରେ ଗୁଳିବିନିମୟ: ୨ ଆତଙ୍କୀ ନିପାତ, ୩ ଯବାନ ସହିଦ

ଜମ୍ମୁ-କାଶ୍ମୀର: ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ରଜୌରୀ ସ୍ଥିତ ସେନା କ୍ୟାମ୍ପରେ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁଳିବିନିମୟ ବେଳେ ଘଟଣାସ୍ଥଳରେ ୩ଜଣ ଯବାନ ସହିଦ ହୋଇଥିବା ମଧ୍ୟ ସୂଚନା ମିଳିଛି । କୁହାଯାଉଛି କି ଆତଙ୍କବାଦୀ ମାନେ ଅଗଷ୍ଟ ୧୫ ପୂର୍ବରୁ କିଛି ବଡ଼ ଷଡ଼ଯନ୍ତ୍ର କରୁଥିଲେ । ଯାହାକୁ ସୁରକ୍ଷାକର୍ମୀ ମାନେ ପଣ୍ଡ କରିଛନ୍ତି । ଏବେ ବି ଘଟଣାସ୍ଥଳରେ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରଜୌରୀର ଦାରହଲ ଅଞ୍ଚଳର ପାରଗାଲରେ ସେନାର କ୍ୟାମ୍ପରେ ପ୍ରବେଶ କରିବାକୁ ଆତଙ୍କବାଦୀ ମାନେ ଚେଷ୍ଟା କରିଥିଲେ । ସୁରକ୍ଷାକର୍ମୀ ମାନେ ଏହା ଜାଣିପାରି ସନ୍ଦିଗ୍ଧ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଆତଙ୍କବାଦୀମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ ।

ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ତିନିଜଣ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଛନ୍ତି । ଘଟଣାକୁ ନେଇ ଏଡିଜିପି ମୁକେଶ ସିଂ କହିଛନ୍ତି ଯେ ଦାରହଲ ପୁଲିସ ଷ୍ଟେସନଠାରୁ ୬କିମି ଦୂରରେ ଥିବା ଅନ୍ୟ ଦଳ ମଧ୍ୟ କ୍ୟାମ୍ପ ଆଡକୁ ପଠାଯାଇଛି । ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି |

Comments are closed.