ଜାମ୍ମୁ-କାଶ୍ମୀର ପ୍ରଶାସନର ନୂଆ ପ୍ରୟାସ, ବନ୍ଦ ପ୍ରତ୍ୟାହାର ପାଇଁ ବିଜ୍ଞାପନ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସମ୍ପୂର୍ଣ୍ଣ ବନ୍ଦ ପାଳନ କରିବା ଲାଗି ଆତଙ୍କବାଦୀମାନଙ୍କ ଧମକ କାରଣରୁ ଏଠାକାର ଲୋକେ ଏକପ୍ରକାର ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ଏଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣା ପ୍ରତ୍ୟାହାର ପରେ ମଧ୍ୟ ଏଠାକାର ବଜାର ଘାଟରେ ବିଶେଷ ଗହଳ ଚହଳ ନାହିଁ। ଏଠାରେ ସାଧାରଣ ଲୋକଙ୍କ ଆଡୁ ଏକପ୍ରକାର କର୍ଫ୍ୟୁ ଲାଗି ରହିଛି। ଏହାକୁ ସମାପ୍ତ କରିବା ନିମନ୍ତେ ଜାମ୍ମୁ କାଶ୍ମୀର ପ୍ରଶାସନ ସାଧାରଣ ଲୋକଙ୍କୁ ନିବେଦନ କରିଛି। ଏ ସମ୍ବନ୍ଧରେ ସ୍ଥାନୀୟ ଗଣମାଧ୍ୟରେ ଏକ ପୃଷ୍ଠା ସମ୍ବଳିତ ବିଜ୍ଞାପନ ପ୍ରକାଶ ପାଇଛି। ଲୋକେ ଭୟରେ ଅଥବା କ୍ରୋଧରେ ଘରୁ ବାହାରୁ ନାହାନ୍ତି ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ। ଜାମ୍ମୁ-କାଶ୍ମୀରରେ ସ୍ଥିତି ସ୍ବାଭାବିକ ହୋଇଛି ବୋଲି ସରକାରଙ୍କ ଦାବି କରୁଥିବାବେଳେ ଏଠାକାର ଶୂନଶାନ ରାସ୍ତା, ବନ୍ଦ ବଜାର ଏବଂ ଖାଲି ପ୍ରତିଷ୍ଠାନଗୁଡିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ଇଂରାଜୀ ଦୈନିକ ଖବରକାଗଜରେ ପ୍ରକାଶିତ ବିଜ୍ଞାପନରେ ପ୍ରଶାସନ ଏଥିନେଇ ଆତଙ୍କବାଦୀଙ୍କୁ ଦାୟୀ କରିଛି। ଆତଙ୍କବାଦୀମାନେ ଲୋକମାନଙ୍କୁ ବିଭ୍ରାନ୍ତ କରି ଏଭଳି ବନ୍ଦ ଜାରି ରଖିଛନ୍ତି ବୋଲି ସେଥିରେ ଦର୍ଶାଯାଇଛି। ଅନ୍ୟପଟେ ଜାମ୍ମୁ କାଶ୍ମୀର ବନ୍ଦର ୬୮ ଦିନ ପରେ ଶନିବାର ଏଠାରେ ପୋଷ୍ଟପେଡ ମୋବାଇଲ ଫୋନ ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମ ହେବ; କିନ୍ତୁ ଇଣ୍ଟରନେଟ ସେବା ହାସଲ କରିବା ଲାଗି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି।

Comments are closed.