ଅପହୃତ ଯୁବକଙ୍କୁ ନିର୍ମମ ହତ୍ୟା ; ଭିଡିଓ ଜାରି କଲା ହିଜବୁଲ୍‍

0

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ପୁଲୱାମାରୁ ଅପହୃତ ଜଣେ ଯୁବକଙ୍କୁ ହତ୍ୟା କରାଯିବାର ଭିଡିଓ ଜାରି କରିଛି ଆତଙ୍କବାଦୀ ସଂଗଠନ ହିଜ୍‍ବୁଲ୍‍ ମୁଜାହିଦ୍ଦିନ। ଜଘନ୍ୟ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ନଦିମ୍‍ ମଞ୍ଜୁର ଓ ସାଫନଗରୀ ସୋପିଆନ୍‍ଠାରୁ ତାଙ୍କୁ ଅପହରଣ କରିନିଆଯାଇଥିଲା। ଶୁକ୍ରବାର ତାଙ୍କର ଗୁଳିବିଦ୍ଧ ମୃତଦେହ ପୁଲୱାମା ନିକଟ ନିକ୍‍ଲୋରା ନିକଟରୁ ଉଦ୍ଧାର କରାଯାଇଛି। ମୃତଦେହ ମିଳିବା ପରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଦୁଇଟି ଭିଡିଓ ପ୍ରସାରିତ ହୋଇଛି। ଏଥିରେ ଅତି ନିକଟରୁ ନଦିମ୍‍ଙ୍କୁ ଗୁଳି କରାଯାଉଥିବା ଓ ଛଟପଟ କରି ମରାଯାଉଥିବାର ଦୃଶ୍ୟ ରହିଛି। ଗୋଟିଏ ଭିଡିଓରେ ଛଟପଟ ହେଉଥିବା ନଦିମ୍‍ଙ୍କୁ ଆତଙ୍କବାଦୀମାନେ ସେମାନଙ୍କୁ ନ ଦେଖିବା ପାଇଁ ନିର୍ଦେଶ ଦେଉଥିବା ଲକ୍ଷ୍ୟ କରାଯାଉଛି। ନଦିମ୍‍ଙ୍କୁ ଜଣେ ଲୁଚି ରହିଥିବା ଆତଙ୍କବାଦୀ କିଛି କହୁଥିବାର ମଧ୍ୟ ଶୁଣାଯାଉଛି।
ଅନ୍ୟ ଏକ ଭିଡିଓରେ ହିଜବୁଲ କମାଣ୍ଡର ରିଆଜ ନାଇକୋ ନଦିମ୍‍ଙ୍କୁ ପୁଲିସ ଖବରଦାତା ବୋଲି କହୁଥିବା ଶୁଣିବାକୁ ମିଳୁଛି। ନଦିମ୍‍ଙ୍କ ଯୋଗୁଁ ସାଫନଗରୀରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିବା ସେ କହୁଛି। କେବଳ ସେତିକି ନୁହେଁ; ଗୁରୁବାର ଅପହରଣ ପରେ ନଦିମ୍‍ ଆତଙ୍କବାଦୀଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିବା ସ୍ୱୀକାର କରିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ରିଆଜ କହୁଛି। ଏହା ପୂର୍ବରୁ ହିଜବୁଲ୍‍ର ‘ମାର ଅବା ମର’ ବାହିନୀ ଏ ସମ୍ପର୍କରେ ଅନୁସନ୍‍ଧାନ କରିଥିଲେ ଓ ସେମାନଙ୍କର ଦୁଇ ସାଥୀଙ୍କ ମୃତ୍ୟୁ ପଛରେ ନଦିମ୍‍ଙ୍କର ହାତ ଥିବା ପ୍ରମାଣିତ ହୋଇଥିଲା। ପୁଲିସ ଟଙ୍କା ଲୋଭ ଦେଖାଇ ନଦିମ୍‍ଙ୍କଠାରୁ ସୂଚନା ହାସଲ କରିଥିଲା; କିନ୍ତୁ ଟଙ୍କା ଦେଇ ନଥିଲା ବୋଲି ମଧ୍ୟ ରିଆଜ କହୁଥିବା ଶୁଣାଯାଉଛି। ଏହି ପରିପ୍ରେକ୍ଷୀରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ଗତିବିଧି ଉପରେ ଧ୍ୟାନ ରଖିବାକୁ ରିଆଜ ପରାମର୍ଶ ଦେଉଛି। ‘ଆମେ ପିଲାଙ୍କୁ ମାରିବାକୁ ଚାହୁଁନାହୁଁ; ଯିଏ ଏମିତି ସୁରକ୍ଷାକର୍ମୀଙ୍କୁ ଅର୍ଥ ଲୋଭରେ ସାହାଯ୍ୟ କରିବ ତା’ର ପରିଣତିୁ ନଦିମ୍‍ ଭଳି ହେବ’ ବୋଲି ମଧ୍ୟ ସେ ଚେତାବନୀ ଶୁଣାଇଛି।

Leave A Reply