ଜାମିଆମିଲିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସରେ ପଶିଥିଲା ପୁଲିସ, ଏତଲା ଦେବେ କୁଳପତି

ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଗତ ରବିବାର ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଏହି ସମୟରେ ପୁଲିସ ସହିତ ଛାତ୍ରଛାତ୍ରୀଙ୍କୁ ମୁହାଁମୁହିଁ ହୋଇଥିଲା, ଯେଉଁଥିପାଇଁ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ପୁଲିସ ଛାତ୍ରଛାତ୍ରୀଙ୍କୁ ଲାଠିମାଡ଼ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏଥିରେ ୩୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ପୁଲିସର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଦିଲ୍ଲୀ ପୁଲିସ ନାଁରେ ଥାନାରେ ଏତଲା ଦିଆଯିବ ବୋଲି କୁହାଯାଇଛି। କାରଣ ପୁଲିସ ବିନା ଅନୁମତିରେ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା କର୍ତ୍ତୃପକ୍ଷ କହିଛନ୍ତି।

ସୋମବାର ବିଶ୍ଵବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୁଳପତି ନଜମା ଅଖତର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରବିବାର ଘଟଣା ଯୋଗୁ ଅନୁଷ୍ଠାନର ବହୁ କ୍ଷତି ହୋଇଛି। ଆମର ଆତ୍ମବିଶ୍ଵାସ ଏବଂ ଭାବାବେଗ ପ୍ରତି ଆଘାତ କରାଯାଇଛି। ଏହାର କ୍ଷତିପୂରଣ କିଏ କରିବ। ଛାତ୍ରଛାତ୍ରୀଙ୍କ ନାଁ​‌ରେ ମିଥ୍ୟା ପ୍ରଚାର କରାଯାଉଛି। ଜାମିଆରେ ଯେଉଁ ବିକ୍ଷୋଭ ହୋଇନାହିଁ ତାହାକୁ ବି ଜାମିଆ ନାଁ​ରେ ଯୋଡ଼ାଯାଉଛି। ଏହା ଦ୍ବାରା ବିଶ୍ଵବିଦ୍ୟାଳୟ ଛବି ଖରାପ ହେଉଛି। ପୁଲିସ ବିନା ଅନୁମତିରେ କ୍ୟାମ୍ପସ ଭିତରେ ପଶି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଛି। ଏ ନେଇ ପୁଲିସ ବିରୋଧରେ ଏତଲା ଦିଆଯିବ ବୋଲି କୁଳପତି କହିଛନ୍ତି।

Comments are closed.