ଜମି ଠକେଇ ଅଭିଯୋଗରେ ବାପ-ପୁଅ ଗିରଫ

0

ପିପିଲି : ଜମି ବିକ୍ରି କରିବାକୁ ଚୁକ୍ତି କରି ଜମି ବିକ୍ରି ନକରିବା ଓ ଅଗ୍ରୀମ ଟଙ୍କା ନଫେରାଇବା ଭଳି ଠକାମୀ ଘଟଣାରେ ପିପିଲି ପୁଲିସ ଶନିବାର ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରି ପିପିଲି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପିପିଲି ଥାନା ଅନ୍ତର୍ଗତ ଭାରତୀପୁର ଗ୍ରାମର ଭିକାରୀ ଚରଣ ଦାସ (୬୨) ଓ ତାଙ୍କ ପୁଅ ତାରାପ୍ରସାଦ ଦାସ(୨୭)।
ଅଭିଯୋଗ ଅନୁଯାଇ, ହସନପୁର ମୌଜାରେ ଥିବା ଏକ ୫୦ ଡିସିମିଲ ଜମିକୁ ବିକ୍ରି କରିବା ପାଇଁ ଭିକାରୀ ଚରଣ ଦାସ ଗତ ଜାନୁଆରୀ ୧୭ ତାରିଖରେ ହସନପୁର ଗ୍ରାମର ଅଜିତ ପରିଡାଙ୍କ ସହ ଚୁକ୍ତି କରି ତାଙ୍କ ଠାରୁ ୨୩ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଭିକାରୀ ନିଜ ପୁଅ ତାରାପ୍ରସାଦଙ୍କ ସହ ଅଜିତଙ୍କ ଠାରୁ ଏହି ଟଙ୍କା ନେଇଥିଲେ। ତେବେ ସେ ବିଭିନ୍ନ ଆଳ ଦେଖାଇ ଅଜିତଙ୍କୁ ଜମି ରେଜେଷ୍ଟ୍ରି କରିନଥିଲେ। ଉକ୍ତ ଜମିକୁ ରେଜେଷ୍ଟ୍ରି କରିବା ପାଇଁ ଅଜିତ କହିବାରୁ ଭିକାରୀ ଓ ତାଙ୍କ ପୁଅ ଅଜିତଙ୍କୁ ଗାଳିଗୁଲଚ କରିବା ସହ ବିଭିନ୍ନ ଧମକ ଦେଇଥିବା ନେଇ ସେ ପିପିଲି ପୁଲିସରେ ଅଭିଯୋଗ କରିଥିଲେ। ଏନେଇ ପୁଲିସରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଏଏସ୍‍ଆଇ ବିନୟ କୁମାର ଦାସ ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରିି କୋର୍ଟ ଚାଲାଣ କରିଥିଲେ।

Leave A Reply