MEllora 950×100

ଜାମା ମସ୍‌ଜିଦକୁ ବାଳିକାଙ୍କ ପ୍ରବେଶ ନିଷେଧ

ବିରୋଧ ପରେ ଉଠିଲା କଟକଣା

ନୂଆଦିଲ୍ଲୀ : ଦିଲ୍ଲୀ ଐତିହାସିକ ଜାମା ମସ୍‌ଜିଦ ମଧ୍ୟକୁ ବାଳିକା (ଅବିବାହିତ ଝିଅ)ଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜଣେ ବାଳିକା ଏକାକୀ ମସ୍‌ଜିଦ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସେହିପରି ଏକାଧିକ ବାଳିକାଙ୍କୁ ମଧ୍ୟ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଯଦି ଜଣେ ବାଳିକା ତାର ପରିବାର ସହିତ ମସ୍‌ଜିଦ ଆସିବ ତେବେ ତାକୁ ଅନୁମତି ଦିଆଯିବ। ବାଳିକାଙ୍କ ଉପରେ ପ୍ରବେଶ କଟକଣା ସମ୍ପର୍କରେ ମସଜିଦ ବାହାରେ ନୋଟିସ୍ ଲଗାଯାଇଛି। କଟକଣା ସମ୍ପର୍କରେ ସୂଚନା ଦେଇ ମସଜିଦ ଜନସମ୍ପର୍କ ଅଧିକାରୀ (ପିଆରଓ) କହିଛନ୍ତି ଯେ ବାଳିକାମାନେ ଏକାକୀ ଆସି ଏଠାରେ ପୁରୁଷ ବନ୍ଧୁଙ୍କ ସହିତ ବିଭିନ୍ନ ଅନୈତିକ କାର୍ଯ୍ୟ କରୁଛନ୍ତି। ଯେପରିକି ଗପସପ କରିବା, ଭିଡିଓ ସୁଟିଂ କରିବା, ସେଲଫି ନେବା ଇତ୍ୟାଦି। ତେଣୁ ଏପରି ଅନୈତିକ କାର୍ଯ୍ୟକୁ ରୋକିବା ଲାଗି କଟକଣା ଲାଗୁ କରାଯାଇଛି। କେବଳ ମସ୍‌ଜିଦ ନୁହେଁ ପ୍ରତ୍ୟେକ ଧାର୍ମିକ ପୀଠରେ ଏପରି କଟକଣା ଲାଗୁ ହେବା ଉଚିତ୍। ତେବେ ବିବାହିତା ମହିଳା କିମ୍ବା ପରିବାର ସଦସ୍ୟଙ୍କ ସହିତ ଆସୁଥିବା ବାଳିକାଙ୍କୁ ମସ୍‌ଜିଦରେ ପ୍ରବେଶ ନେଇ କୌଣସି କଟକଣା ଲାଗୁ କରାଯାଇ ନାହିଁ।
ବାଳିକାଙ୍କ ପ୍ରବେଶ ଉପରେ ମସ୍‌ଜିଦ ପ୍ରଶାସନ ଲାଗୁ କରିଥିବା ଏପରି କଟକଣାକୁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ନାପସନ୍ଦ କରିଛନ୍ତି। ଏନସିଡବ୍ଲ୍ୟୁ ମୁଖ୍ୟ ସ୍ବାତୀ ମାଲିୱାଲ କହିଛନ୍ତି ଯେ ମସ୍‌ଜିଦ ପ୍ରଶାସନର ଏହା ମୌଳବାଦ ଚିନ୍ତାଧାରା। ମହିଳାଙ୍କ ଉପରେ କଟକଣା ଲଗାଇବାକୁ କାହାର ଅଧିକାର ନାହିଁ। ପୁରୁଷଙ୍କ ଭଳି ମହିଳାଙ୍କର ମଧ୍ୟ ଧାର୍ମିକ କାର୍ଯ୍ୟ କରିବାର ଅଧିକାର ରହିଛି। ତେଣୁ ମସ୍‌ଜିଦ ପ୍ରଶାସନର କଟକଣା ସମ୍ପର୍କରେ ଜବାବ ଦେବାକୁ ଏନସିଡବ୍ଲ୍ୟୁ ନୋଟିସ ଜାରି କରିଛନ୍ତି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଏହି ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛି। ଜାମା ମସ୍‌ଜିଦର କଟକଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ମସ୍‌ଜିଦ ପ୍ରଶାସନ ଏହାକୁ ପ୍ରତ୍ୟାହାର କରିନେଇଥିବା ଜଣାଯାଇଛି।

Comments are closed.