ଜାଲିଆନାୱାଲାବାଗର ଯନ୍ତ୍ରଣା

ବିଂଶ ଶତାବ୍ଦୀରେ ଅନେକ ଦୁଃଖଦ ଘଟଣା ଓ ଦୁର୍ଘଟଣା ମଧ୍ୟରେ ପଞ୍ଜାବରେ ୧୩ ଏପ୍ରିଲ, ୧୯୧୯ର ବୈଶାଖୀ ପର୍ବରେ ଘଟିଯାଇଥିବା ନରସଂହାରକୁ ପଞ୍ଜାବ ଓ ଭାରତବାସୀ କେବେ ଭୁଲି ପାରିବେ ନାହିଁ। ୧୧ ସେପ୍ଟେମ୍ବର, ୧୯୧୮ରେ ପ୍ରଥମ ବିଶ୍ବଯୁଦ୍ଧର ବିରତି ପରେ ପଞ୍ଜାବର ଜାଲିଆନାୱାଲାବାଗ ନରସଂହାର ହେଉଛି ଭାରତ ସ୍ବାଧୀନତାର ଅୟମାରମ୍ଭ କାଳ। ଦ୍ବିତୀୟ ବିଶ୍ବଯୁଦ୍ଧରେ ବ୍ରିଟିଶ ସୈନ୍ୟବାହିନୀରେ ୩,୫୫,୦୦୦ ପଞ୍ଜାବୀ ସୈନ୍ୟଙ୍କର ଯୋଗଦାନ ଓ ଚାରିବର୍ଷର ଯୁଦ୍ଧ ଅବଧିରେ ସେମାନଙ୍କର ଭୂମିକାକୁ ବ୍ରିଟିଶ ସରକାର ମାତ୍ର ୧୦ ମିନିଟରେ ସମାପ୍ତ କରିଦେଇଥିଲା। ଯୁଦ୍ଧ ପରିସମାପ୍ତି ପରେ ଯେତେବେଳେ ପଞ୍ଜାବର ସୈନ୍ୟମାନେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ବ୍ରିଟିଶ ସରକାର ସମସ୍ତ ତ୍ୟାଗକୁ ଭୁଲିଯାଇ ଶ୍ରମ ଅଭାବରୁ ନଷ୍ଟ ହୋଇଯାଇଥିବା ପଞ୍ଜାବର କ୍ଷେତ ଦ୍ବାରା କ୍ଷତି ସହୁଥିବା ତଥା ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରି ଫେରିଥିବା ପଞ୍ଜାବର ଜନସାଧାରଣଙ୍କ ଉପରକୁ ନିର୍ମମ ଗୁଳି ଚାଳନା କଲେ।
ସମଗ୍ର ଭାରତବର୍ଷରେ ରାୱଲତ ବିଲ୍‌ ବିପକ୍ଷରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ଯାହା ପଞ୍ଜାବରେ ମଧ୍ୟ ହେଉଥିଲା; ମାତ୍ର ସେଠାରେ ଏହା ଏକ ନାଟକୀୟ ଘଟଣାକ୍ରମରେ ରୂପାନ୍ତରିତ ହୋଇ ଭାରତର ସ୍ବାଧୀନତାର ଅଙ୍କୁର ହୋଇଥିଲା। ବ୍ରିଟିଶ ଶାସନର ପଞ୍ଜାବ ପ୍ରଦେଶର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜେନେରାଲ ଡାୟର ୧୮୫୭ର ସିପାହି ବିଦ୍ରୋହର ଦୃଷ୍ଟାନ୍ତକୁ ଆଖି ଆଗରେ ରଖି ଅତ୍ୟନ୍ତ ଚତୁରତାର ସହ ଭାରତୀୟଙ୍କ ଉପରେ ଅତ୍ୟାଚାର କରିଚାଲିଲେ। ବିଶ୍ବଯୁଦ୍ଧ ପରେ ପଞ୍ଜାବର ଆର୍ଥିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୟନୀୟ ହୋଇଯାଇଥିଲା ଓ ଉକ୍ତ ବର୍ଷ ମଧ୍ୟ ବର୍ଷାଭାବ, ପ୍ରତିକୂଳ ଜଳବାୟୁ ଓ ଶ୍ରମ ଶକ୍ତିର ଅଭାବ ହେତୁ ଚାଷ କାର୍ଯ୍ୟ ମଧ୍ୟ ବ୍ୟଘାତ ହୋଇଥିଲା। ଫଳ ସ୍ୱରୂପ ଉକ୍ତ ବର୍ଷ ଅମଳ ମଧ୍ୟ ଯଥେଷ୍ଟ କମ ଥିଲା ଯାହା ନିଜ ନିଜର ପରିବାର ପୋଷଣ କରିବାକୁ ଅଞ୍ଚଳର ବାସିନ୍ଦାମାନେ ସକ୍ଷମ ନଥିଲେ। ତେଣୁ ଜାଲିଆନାୱାଲାବାଗଠାରେ ପଞ୍ଜାବର ନିରୀହ ଜନସାଧାରଣ ଏକତ୍ର ହୋଇ ଭବିଷ୍ୟତର ଏକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ସମବେତ ହୋଇଥିଲେ। ଇତିମଧ୍ୟରେ ନିରୀହ ଜନସାଧାରଣଙ୍କୁ ବ୍ରିଟିଶ ସରକାର କୌଣସି କାରଣ ନଥାଇ ବନ୍ଦୀ କରିନେଉଥିଲେ ଓ ୧୯୧୯ ମସିହା ୧୦ ଏପ୍ରିଲରେ ପଞ୍ଜାବର ଜନସାଧାରଣ ଭାରତୀୟ ମୁକ୍ତି ସଂଗ୍ରାମର ସାହସୀ ନେତା ସତ୍ୟପାଲ ଓ ସାଇଫୁଦ୍ଦିନ କିଚେବଙ୍କୁ ବନ୍ଦୀ ମୁକ୍ତ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖ ରବିବାର ଜେନେରାଲ ଡାୟର ପଞ୍ଜାବରେ ସଭାସମିତିକୁ ବେଆଇନ ଘୋଷଣା କରି ଏକ ଏକଛତ୍ରବାଦୀ ଶାସନର ପରାକାଷ୍ଠା ପ୍ରଦର୍ଶନ କରିଥିଲେ।
ବ୍ୟକ୍ତି ସ୍ବାଧୀନତାକୁ କ୍ଷୁଣ୍ଣ କରି ଡାୟର ଉକ୍ତ ଘୋଷଣାକୁ ଜନସାଧାରଣଙ୍କ ଅବଗତି ନିମନ୍ତେ ନଜଣାଇ ସମରସଜ୍ଜାରେ ବ୍ୟସ୍ତ ରହିଥିଲେ। ଯେତେବେଳେ ପଞ୍ଜାବର ଜନସାଧାରଣ ସେମାନଙ୍କର ବାର୍ଷିକ ବୈଶାଖୀ ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିବାକୁ ଜାଲିଆନାୱାଲାବାଗର ଗର୍ଭକେନ୍ଦ୍ରରେ ଏକତ୍ର ହୋଇଥିଲେ, ଭୟ ଓ ଆଶଙ୍କାରେ ମର୍ମାହତ ହୋଇ ଜେନେରାଲ ଡାୟର କୌଣସି ପ୍ରାକ୍‌ ସୂଚନା ନଦେଇ ୧୩ ଏପ୍ରିଲ ୧୯୧୯ରେ ଏକତ୍ର ହୋଇଥିବା ଜନତାଙ୍କ ଉପରକୁ ଗୁଳି ବର୍ଷଣ କରି ଇତିହାସର ପୃଷ୍ଠାକୁ ରକ୍ତରଞ୍ଜିତ କରିଦେଇଥିଲେ। ଜାଲିଆନାୱାଲାବାଗ ଥିଲା ୨୦୦ ଦୈର୍ଘ୍ୟ ଓ ୨୦୦ ପ୍ରସ୍ଥ ବିଶିଷ୍ଟ ଏକ ଖୋଲା ସ୍ଥାନ ଯାହା ୧୦ ଫୁଟର ପ୍ରାଚୀର ଦ୍ବାରା ବେଷ୍ଟିତ ହୋଇଥିଲା। ଉକ୍ତ ସ୍ଥାନଟି ଚତୁର୍ଦ୍ଦିଗରୁ ବେଷ୍ଟିତ ହୋଇ ଗୋଟିଏ ମାତ୍ର ଦ୍ବାର ରହିଥିଲା। ମାତ୍ର ନିର୍ମମ ଡାୟାର ଉକ୍ତ ଦ୍ବାର ନିକଟକୁ ଲକ୍ଷ୍ୟକରି ଅଧିକ ଗୁଳି ବର୍ଷଣ କରୁଥିଲେ ଯେଉଁଥିପାଇଁ ଲୋକେ ପଳାୟନ କରୁଥିବା ଅବସ୍ଥାରେ ଗୁଳିବିଦ୍ଧ ହେଉଥିଲେ। ଦଶ ମିନିଟର ଅନବରତ ଗୁଳି ବର୍ଷଣରେ ଜେନେରାଲ ଡାୟରଙ୍କ ସୈନ୍ୟମାନେ ବ୍ରିଟିଶ ରାଜତ୍ବର ୨୦୦ ବର୍ଷର ଆଧିପତ୍ୟର ସାଦୃଶ୍ୟକୁ ଅନାବରଣ କରିଥିଲେ। ହିଂସା ହେଉଛି ଏକ ଏଭଳି ଉତ୍କଟ ଭୂତାଣୁ ଯାହାଠାରେ ମଣିଷ ହୃଦୟରେ ପ୍ରବେଶ କରିଥାଏ ତାହା ସମାପ୍ତିରେ ଅନ୍ୟ ଏକ ପରିକଳ୍ପନାର ସୃଷ୍ଟି ହୋଇଥାଏ। ଜେନେରାଲ ଡାୟାରଙ୍କର ହିଂସାର ପ୍ରକୋପ ଏତେ କଠୋର ଥିଲା ଯେ ୨୦,୦୦୦ ଜନତାଙ୍କୁ ଏକ ସ୍ୱଳ୍ପ ସ୍ଥାନ ମଧ୍ୟରେ ରୁନ୍ଧିଦେଇ ନିଜର ରକ୍ତ ପିପାସୁ ପ୍ରବୃତ୍ତିର ଚରିତାର୍ଥ କଲେ। ଉକ୍ତ ଘଟଣାରେ ୧୩୭୯ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୧୦୦୦ ଲୋକ ଆହତ ହୋଇଥିଲେ। ଯେତେବେଳେ ଉକ୍ତ ମର୍ମନ୍ତୁଦ ଘଟଣା ପାଇଁ ସମଗ୍ର ବିଶ୍ବ ସ୍ତବ୍ଧ ହୋଇଯାଇଥିଲା ସେତେବେଳେ ବ୍ରିଟିଶ ସରକାର ଡାୟାରଙ୍କୁ ଉପଢୌକନ ଓ ଉପହାର ସ୍ୱରୂପ ୨୬,୦୦୦ ପାଉଣ୍ଡ ପ୍ରଦାନ କରି ସମ୍ମାନିତ କରିଥିଲେ। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ବ୍ରିଟିଶ ସରକାର ଭାରତରେ କେବଳ ଲୁଣ୍ଠନ ଓ ଅତ୍ୟାଚାର ପାଇଁ ଉଦ୍ଦିଷ୍ଟ ଥିଲା; କିନ୍ତୁ ଉକ୍ତ ଦୁର୍ଘଟଣା ପ୍ରତ୍ୟେକ ଭାରତୀୟଙ୍କ ଉପରେ ରେଖାଙ୍କିତ ହୋଇ ବ୍ରିଟିଶ ଶାସନରୁ ଭାରତକୁ ସ୍ବାଧୀନ କରିବା ପାଇଁ ଏକ ସଂକଳ୍ପର ମଞ୍ଚ ଗଢି ଉଠିଲା। ଜାଲିଆନାୱାଲାବାଗ ନରସଂହାର ଥିଲା ଭାରତ ଓ ବ୍ରିଟିଶ ମଧ୍ୟରେ ଏକ ଚିରସ୍ଥାୟୀ କ୍ଷତ ଯାହାର ପ୍ରତିଷେଧ ହୋଇଥିଲା ଗାନ୍ଧୀଙ୍କର ଜାତୀୟତାବାଦୀ ସଂକଳ୍ପ ଓ ସ୍ବାଧୀନତା।
୧୯୧୫ରେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ୬ ଏପ୍ରିଲ ୧୯୧୯ରେ ବ୍ରିଟିଶ ସରକାରଙ୍କ ବିରୋଧରେ ହରତାଳର ଘୋଷଣା କରିଥଲେ ଯାହା ଥିଲା ଅହିଂସାର ଯୁଦ୍ଧ। ବିଶ୍ବଯୁଦ୍ଧରେ ରାଜନୈତିକ ଜୟ ହୋଇ ଅର୍ଥନୈତିକ ଓ ନୈତିକ ପରାଜୟ ବରଣ କରିଥିବା ବ୍ରିଟିଶ ସରକାର ଶେଷରେ ମହାତ୍ମା ଗାନ୍ଧୀଙ୍କର ଯୁଦ୍ଧଡାକରାରେ ପରାଜୟ ବରଣ କରି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା ଓ ଭାରତ ସ୍ବାଧୀନ ହୋଇଥିଲା। ଅନ୍ୟପକ୍ଷରେ ପ୍ରତିଶୋଧର ବହ୍ନିରେ ଆତଯାତ ହେଉଥିବା ପଞ୍ଜାବର ୩୭ ବର୍ଷର ଉଦ୍ଦାମ ସିଂ ଲଣ୍ଡନଠାରେ ୧୩ ମାର୍ଚ୍ଚ ୧୯୪୦ରେ ଡାୟାରଙ୍କୁ ଏକ ସଭାରେ ହତ୍ୟା କରିଥିଲେ। ପରାକ୍ରମୀ ଡାୟାରଙ୍କୁ ହତ୍ୟାକରି ଉଦ୍ଦାମ ସିଂ ଦେଶପ୍ରୀତିର ଦୃଷ୍ଟାନ୍ତ ହୋଇଗଲେ ଓ ୩୧ ଜୁଲାଇ ୧୯୪୦ରେ ବ୍ରିଟିଶ ସରକାର ଉଦ୍ଦାମ ସିଂଙ୍କୁ ଲଣ୍ଡନଠାରେ ଫାଶୀ ଦେଇଥିଲେ। ଦେଶର ସ୍ବାଧୀନତା ପାଇଁ ସହିଦ ହୋଇଥିବା ବୀର ଉଦ୍ଦାମ ସିଂ ଜାତିପ୍ରୀତିର ଏକ ନିଦର୍ଶନ। ବିଶ୍ବଯୁଦ୍ଧର ପରିସମାପ୍ତିରୁ ଆରମ୍ଭ ହୋଇଥିବା ଜାଲିଆନାୱାଲାବାଗର ଲୋମହର୍ଷଣକାରୀ ଦୁର୍ଘଟଣା ଭାରତର ସ୍ବାଧୀନତାରେ ପୂର୍ଣ୍ଣଚ୍ଛେଦ ହୋଇଥିଲା। ତେଣୁ ଆଜିର ଦିନରେ ଉକ୍ତ ସହିଦମାନଙ୍କୁ ଶ୍ରଦ୍ଧା ସୁମନ ଅଜାଡ଼ି ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ।

ସତ୍ୟ ନାରାୟଣ ମିଶ୍ର

ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର
ୟୁନିଟ-୪, ଭୁବନେଶ୍ବର
ମୋ -୯୯୩୭୩୪୫୯୦୦

Comments are closed.