ଦୈନିକ ୮ ହଜାରରୁ ଅଧିକ ଟ୍ରିପ୍‌ ବାଲି ଉଠାଣ; ବିପଦ ମୁହଁରେ ସୁବର୍ଣ୍ଣରେଖା ତଟର ୧୭୦ରୁ ଊର୍ଦ୍ଧ୍ବ ଗାଁ

ଜଳେଶ୍ୱର : ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ବେଆଇନ ଭାବେ ଅବାଧ ବାଲି ଉଠାଣ ଚାଲିଛି। ଡମ୍ପର ଓ ଟ୍ରାକଟର ଆଦିରେ ପ୍ରତିଦିନ ୮ ହଜାର ଟ୍ରିପରୁ ଅଧିକ ବାଲି ବାହାରକୁ ଚାଲାଣ ହେଉଛି। ଫଳରେ ନଦୀ ତଟରୁ ଅତଡ଼ା ଖସୁଥିବାରୁ ୧୭୦ରୁ ଅଧିକ ଗାଁ ଅଛନ୍ତି ବିପଦ ମୁହଁରେ। ନଦୀ କୂଳ ଖାଇ ଖାଇ ଚାଲିଥିବାରୁ କେତେକ ଗାଁ ବି ଏହା ଗର୍ଭରେ ଲୀନ ହେବା ସ୍ଥିତିରେ ଅଛନ୍ତି। ନଦୀ ଶଯ୍ୟା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଚାଲିଛି।ଏନଜିଟିର ନିର୍ଦ୍ଦେଶକ୍ରମେ ସମ୍ପ ପମ୍ପ ଯୋଗେ ତଥା ନଦୀଗର୍ଭର ୫୦ ଫୁଟ ତଳୁ ବାଲି ଉଠାଣ ବନ୍ଦ ଥିବାବେଳେ ଏସ୍କାଭେଟରଦ୍ୱାରା ବାଲିମିଶା ପାଣି ଉଠାଯାଉଛି। ଏହି ବେଆଇନ ବାଲି ଉଠା ଘଟଣା ନେଇ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ବଢୁଛି। ଉଲ୍ଲେଖଯୋଗ୍ୟ ଯେ ଉଭୟ ଓଡ଼ିଶା ଓ ପଶ୍ଚିମ ବଙ୍ଗର ବାଲି ମାଫିଆ ଏହି ନଦୀରୁ ବାଲି ଉଠାଇ ମାଲାମାଲ ହେଉଥିବାବେଳେ ସରକାର ବିପୁଳ ରାଜସ୍ୱ ହରାଉଛନ୍ତି।
ସୁବର୍ଣ୍ଣରେଖା ନଦୀ ବାଲେଶ୍ୱର ଜିଲାର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକ ଦେଇ ପ୍ରବାହିତ ହେଉଛି। ଜଳେଶ୍ୱର ବ୍ଲକରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶାର ସୀମା ଭାବେ ଚିହ୍ନଟ ହୋଇଛି। ନଦୀଟି ସମୟକ୍ରମେ ଓଡ଼ିଶା ପଟକୁ ବେଶି ମାଡ଼ିଆସି ତଟର ବିସ୍ତୃତ ଅଂଶକୁ ଗର୍ଭରେ ମିଶାଇଦେଇଛି। ଫଳରେ ନଦୀ ଶଯ୍ୟାରେ ଓଡ଼ିଶାର ଭାଗ ବେଶି। ମାତ୍ର ବଙ୍ଗ ବାଲି ମାଫିଆ ଅବାଧରେ ନଦୀରୁ ବାଲି ଉଠାଇଚାଲିଛନ୍ତି। ଜଳେଶ୍ୱର ବ୍ଲକରେ ନଦୀରେ ୨୩ଟି ବାଲି ସୈରାତ ରହିଛି। ଏନଜିଟି ଓ ହାଇକୋର୍ଟର ନିର୍ଦ୍ଦେଶକ୍ରମେ ୧୭ଟି ସୈରାତ ବନ୍ଦ ଥିବା ବେଳେ ୬ଟିରୁ ବାଲି ଉତ୍ତୋଳନ ହେଉଛି।
ଏହାବ୍ୟତୀତ ବିଭିନ୍ନସ୍ଥାନରୁ ବେଆଇନ ଭାବେ ପ୍ରତିଦିନ ବାଲି ଉଠାଯାଇ ଟ୍ରକ, ଟ୍ରାକ୍ଟର ଓ ଡମ୍ପରଦ୍ୱାରା ପରିବହନ ହେଉଛି। ପ୍ରାୟ ୬ ହଜାର ଟ୍ରିପ୍‌ ବାଲି ବାହାରକୁ ଚାଲାଣ ହେଉଛି। ଏସ୍କାଭେଟରଦ୍ୱାରା ବାଲି ଉତ୍ତୋଳନ ବେନିୟମ ହୋଇଥିବାବେଳେ ଏଥିରେ ବି ବାଲିମିଶା ପାଣି ଉଠାଯାଇ ବାହାରକୁ ପରିବହନ ହେଉଛି। ସେହିପରି ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକର ପନ୍ତେଇ, ବିଷ୍ଣୁପୁର, ଇକଡପାଳ, କୁଦମାନସିଂ, ସୂର୍ଯ୍ୟପୁର, ବଢ଼ାପାଳ, ଅସ୍ତି, ପାରୁଳିଆ, ପାଳମ୍ପେଇ, ଛୋଟଖାନପୁର ପାଳପଡ଼ା, ମାଳପୁର, ମଝିପଡ଼ା ଆଦିସ୍ଥାନରୁ ବେଆଇନ ଭାବେ ବାଲି ଉଠାଯାଉଛି। ଏସବୁ ସ୍ଥାନରୁ ପ୍ରତିଦିନ ପ୍ରାୟ ୨ ହଜାର ଟ୍ରିପ ବାଲି ଉଠାଯାଉଛି। ଫଳରେ ପ୍ରତିଦିନ ନଦୀର ବିଭିନ୍ନ ସ୍ଥାନରୁ ପ୍ରତିଦିନ ବେଆଇନ ଭାବେ ୮ ହଜାରରୁ ଊର୍ଦ୍ଧ୍ବ ଟ୍ରିପ ବାଲି ଉଠାଯାଇ ବାହାରକୁ ଚାଲାଣ ହେଉଛି।
ଅବାଧ ବାଲି ଉଠାଣ ପାଇଁ ସୁବର୍ଣ୍ଣରେଖା ନଦୀକୂଳବର୍ତ୍ତୀ ଜଳେଶ୍ୱର ବ୍ଳକର ୭୦ଟି ଗାଁ ନିକଟରୁ ଅତଡା ଖସି ଚାଲିଛି। ଅତଡ଼ା ଖସୁଥିବା ବିଭିନ୍ନ ପଞ୍ଚାୟତର ଗାଁ ସଂଖ୍ୟା ହେଲା ଗୋବରଘଟା-୪, ଲକ୍ଷ୍ମଣନାଥ-୨, ଜଳେଶ୍ୱର ପୌରପାଳିକା-୩, ମହମ୍ମଦନଗର ପାଟଣା-୩, ରାଜପୁର- ୫, ରାୟାଁରାମଚନ୍ଦ୍ରପୁର-୭, କୋଟସାହି-୩, ପାଇକସିଦା-୪, ଗଡସାହିବାଲିଆପାଳ-୪, ପଶ୍ଚିମବାର୍ଡ- ୩, ଝାଡପିମ୍ପଳ-୩, ବାଇଗଣବାଡିଆ-୪, ଖୁଦିଆମାଝିସାହି-୪, ମାକିଡିଆ- ୪, ଓଲମରାର ୩, ଶିଖରପୁର-୭, ଶ୍ରୀରାମପୁର-୬ଟି ଗାଁ। ଜଳସେଚନ ବିଭାଗପକ୍ଷରୁ କୋଟି କୋଟି ଟଙ୍କାର ପଥର ବନ୍ଧ ଓ ସ୍ପର ନିର୍ମାଣ କରାଯାଇଥିଲେ ହେଁ ସବୁ ସ୍ଥାନରେ ତାହା ହୋଇ ନ ଥିବାରୁ ସେହିସବୁ ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ଭୋଗରାଇ ବ୍ଲକର ୩୦ରୁ ଊର୍ଦ୍ଧ୍ବ, ବସ୍ତା ବ୍ଲକର ୬ଟି ପଞ୍ଚାୟତର ୧୮ରୁ ଊର୍ଦ୍ଧ୍ବ ଗାଁ ନିକଟରେ ନଦୀ ତଟରୁ ଅତଡ଼ା ଖସୁଛି। ନଦୀ କୂଳ ଖାଇ ଖାଇ ଚାଲିଥିବାରୁ ବାଲିଆପାଳ ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ବନ୍ୟାରେ ପ୍ରଭାବିତ ହୋଇଥାଏ। ଏହି ୧୦ ପଞ୍ଚାୟତର ୫୨ରୁ ଅଧିକ ଗାଁ ବିପଦ ମୁହଁରେ ଅଛନ୍ତି। ବିଷ୍ଣୁପୁର ପଞ୍ଚାୟତର ସମସ୍ତ ଗାଁ ପାଣି ଘେରରେ ରହିଥାଏ।
ସେହିପରି ଅସ୍ତି, ନିଖିରା, କୁମ୍ଭାରୀ, ଶ୍ରୀରାମପୁର, ଘଣ୍ଟୁଆ, ବାଲିଆପାଳ, ଜାମକୁଣ୍ଡା, ମଧୁପୁରା, ଚଉମୁଖ ପଞ୍ଚାୟତର କେତେକ ଗାଁ ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ହୋଇଥାଏ। ବିଭିନ୍ନ ବର୍ଷର ବନ୍ୟାରେ ବିଷ୍ଣୁପୁର ପଞ୍ଚାୟତର ୨ ଶହରୁ ଅଧିକ ପରିବାରର ଘର ସୁବର୍ଣ୍ଣରେଖା ନଦୀରେ ମିଶିଯାଇଛି। ଚଉମୁଖ ପଞ୍ଚାୟତର କଙ୍କଡାପାଳ ଗାଁର ୪୦ରୁ ଅଧିକ ଘର ନଦୀରେ ଲୀନ ହୋଇସାରିଛି। ଏ ପରିପ୍ରେକ୍ଷୀରେ ନଦୀରୁ ବେଆଇନ ବାଲି ଉଠାଣ ବନ୍ଦ କରିବାକୁ ବାଲେଶ୍ୱର ଜିଲା ପ୍ରଶାସନ ବିହିତ ଆଶୁ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

Comments are closed.