ମଞ୍ଜୁର ହେଉନି ଶହେ କୋଟି, ପୁଣି ଉଜାଡ଼ିବ ସୁବର୍ଣ୍ଣରେଖା!

କେନ୍ଦ୍ର ହଜାରେ କୋଟି ନ ଦେବାରୁ କାର୍ଯ୍ୟକାରୀ ହୋଇପାରିଲାନି ସଂସ୍କାର ଯୋଜନା

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀ ଉଛୁଳିଲେ ବାଲେଶ୍ୱର ଜିଲା, ଉତ୍ତରାଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ଆଖିରୁ ନିଦ ହଜିଯାଏ। ଜିଲାର ୪ଟି ବ୍ଲକରେ ହାହାକାର ପଡ଼ିଯାଏ। ପ୍ରାୟ ପ୍ରତି ବର୍ଷ ନଦୀରେ ଛୋଟ ବନ୍ୟା ଆସୁଥିବାବେଳେ ମଝିରେ ମଝିରେ ଆସିଥାଏ ବଡ଼ ବନ୍ୟା। ଆଉ ବଡ଼ ବନ୍ୟା ଆସିଲେ ପ୍ରଳୟ ସୃଷ୍ଟି ହୁଏ। ହଜାର ହଜାର ଘର ଭାଙ୍ଗେ ତ କେଉଁଠି ଭାସିଯାଏ। ହଜାର ହଜାର ହେକଟର ଜମିର ଧାନ ଫସଲ ପାଣିରେ ଯାଏ। ବିସ୍ତୃତ ଅଞ୍ଚଳ ଜଳବନ୍ଦୀ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ମାସ ମାସ ଧରି ଲୋକେ ଦୁର୍ଦଶା ଭୋଗନ୍ତି। ବନ୍ୟାର ପ୍ରତିକାର ପାଇଁ ନଦୀର ସଂସ୍କାର ନିମନ୍ତେ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କା ମଞ୍ଜୁର ନ କରିବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରିଲାନି। ସେହିପରି ରାଜ୍ୟ ଜଳ ସମ୍ପଦ ବିଭାଗର ବୈଷୟିକ ପରାମର୍ଶଦାତା କମିଟି(ଟିଏସି)୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଚୂଡ଼ାନ୍ତ କରିଥିଲେ ହେଁ ଅର୍ଥ ମଞ୍ଜୁର ହେଉ ନାହିଁ। ଫଳରେ ଲକ୍ଷ ଲକ୍ଷ ଲୋକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଆସୁଛନ୍ତି। ଚଳିତ ବର୍ଷ ବର୍ଷା ଋତୁ ଆସିଯାଇଥିବାବେଳେ ପଥର ପେକିଂ ଆଦି କାର୍ଯ୍ୟ ହୋଇପାରି ନ ଥିବାରୁ ନଦୀ ତଟବର୍ତ୍ତୀ ଲୋକେ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି।
ସୁବର୍ଣ୍ଣରେଖା ନଦୀ ଓଡ଼ିଶାରେ ୬୦ କିମି ବାଟ ପ୍ରବାହିତ ହେବା ପରେ ବଙ୍ଗୋପସାଗରରେ ପଡ଼ିଛି। ନଦୀର କୂଳେ କୂଳେ ସୁରକ୍ଷିତ ବନ୍ଧ ନ ଥିବା ବେଳେ ମାତ୍ର ୮୦ କିମିର ଟେଷ୍ଟ ରିଲିଫ ବନ୍ଧ ରହିଛି। ୧୫ କିମି ସ୍ଥାନରେ ଫ୍ଲଡ ଏମ୍ବାକମେଣ୍ଟ ଥିବା ବେଳେ ପ୍ରାୟ ୩୦ କିମି ସ୍ଥାନରେ ଆଦୌ ବନ୍ଧ ନାହିଁ। ଫଳରେ ବନ୍ୟା ବେଳେ ଜଳେଶ୍ୱର, ବାଲିଆପାଳ, ଭୋଗରାଇ ଓ ବସ୍ତା ବ୍ଲକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ। ବନ୍ୟା ପ୍ରତିକାର ନିମନ୍ତେ ବହୁ ବର୍ଷ ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ ବୈଷୟିକ କମିଟି ସୁବର୍ଣ୍ଣରେଖା ନଦୀ ଲାଗି ୧୫ଟି ପ୍ରକଳ୍ପର ଅନୁମୋଦନ କରିଥିଲେ। ଏଥି ପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଗତ ୨୦୧୮-୧୯ରେ କମିଟି ପୁଣି ଥରେ ସେହିସବୁ ପ୍ରକଳ୍ପକୁ ଅନୁମୋଦନ କରିଛି। ମାତ୍ର ଏ ବର୍ଷ ବର୍ଷା ଋତୁ ଆସିଯାଇଥିଲେ ହେଁ ଏଥି ଲାଗି ଟଙ୍କାଟିଏ ବି ଜଳ ସମ୍ପଦ ବିଭାଗକୁ ମିଳି ନାହିଁ।

କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ହେଲା, ନଦୀର ଗୋବରଘଟାଠାରେ ପଥର ପେକିଂ-୬ କୋଟି ୭୨ ଲକ୍ଷ ୭୦ ହଜାର, ଝାଡ଼େଶ୍ୱରପୁରରେ ପଥର ପେକିଂ-୧୦ କୋଟି ୬୪ ଲକ୍ଷ ୯୨ ହଜାର, ସେକ ବଜାର, ସେକ ସରାଇ ଟେଷ୍ଟ ରିଲିଫ ବନ୍ଧ-୯ କୋଟି ୮୧ ଲକ୍ଷ ୬୫ ହଜାର, ଲକ୍ଷ୍ମଣନାଥ ପୀରହାଟ ଟେଷ୍ଟ ରିଲିଫ ବନ୍ଧ-୮ କୋଟି ୬୧ ଲକ୍ଷ ୩୫ ହଜାର, କୋଟସାହିଠାରେ ପଥର ପେକିଂ-୪ କୋଟି ୭୪ ଲକ୍ଷ, ରାଜପୁରଠାରେ ପଥର ପେକିଂ-୩ କୋଟି ୬୯ ଲକ୍ଷ ୮୪ ହଜାର, ବଳରାମପୁର ବତିଘରଠାରେ ୪ଟି ସ୍ପର ନିର୍ମାଣ-୪ କୋଟି ୧୦ ଲକ୍ଷ ୫୬ ହଜାର, ଏକତାଳିଠାରେ ପଥର ବନ୍ଧ-୧ କୋଟି ୩୯ ଲକ୍ଷ ୪୫ ହଜାର, ନାରାୟଣପୁର ଓ ଶ୍ରୀକଣ୍ଠପୁର ନଦୀ ବନ୍ଧ-୭ କୋଟି ୬୨ ଲକ୍ଷ ୬୫ ହଜାର, ମହମ୍ମଦନଗରପାଟଣା ପଥରବନ୍ଧ-୭ କୋଟି ୯୯ ଲକ୍ଷ ୮୫ ହଜାର, ପାଳସାହି ପଥର ବନ୍ଧ-୩ କୋଟି ୭୫ ଲକ୍ଷ ୫୨ ହଜାର, ଜମାଳପୁର ଓ ସାନରାଉତପଡା ପଥର ବନ୍ଧ-୬ କୋଟି ୬୬ ଲକ୍ଷ ୪୮ ହଜାର, ଭୁଷଣ୍ଡେଶ୍ୱର ମନ୍ଦିର ନିକଟ ପଚାଖାଳି ନାଳ ପଥର ବନ୍ଧ-୩ କୋଟି ୯୬ ଲକ୍ଷ ୪୮ ହଜାର, କୀର୍ତ୍ତନିୟା ମତ୍ସ୍ୟ ଜେଟିର ଚନ୍ଦ୍ରବାଲିରେ ୧ କିମି ପଥର ବନ୍ଧ-୧୬ କୋଟି ୯୧ ଲକ୍ଷ ୭୪ ହଜାର ଓ ଉଲୁଡା-ଖଳାବାଡିଆ ଟେଷ୍ଟ ରିଲିଫ ବନ୍ଧର ପଥର ପେକିଂ-୩ କୋଟି ୧୬ ଲକ୍ଷ ୭୮ ହଜାର ଟଙ୍କା।
୨ ବର୍ଷ ତଳେ ଶେଷ ଥର ପାଇଁ ଟିଏସି ଏହିସବୁ ପ୍ରକଳ୍ପକୁ ମଂଜୁରି ଦେଇଥିବା ବେଳେ କାର୍ଯ୍ୟ ହେଉ ନାହିଁ। ଫଳରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଜନଅସନ୍ତୋଷ ଦେଖା ଦେଉଛି। ବର୍ଷା ଦିନେ ବନ୍ୟା ପରିସ୍ଥିତି ଜଟିଳ ହେବାର ଆଶଙ୍କା ଦେଖା ଦେଇଛି। ନଦୀର ମାକିଡ଼ିଆଠାରେ ୧୭ କୋଟି ଟଙ୍କା ବ୍ୟୟବରାଦରେ ୮ଟି ସ୍ପର ଓ ୮୮୫ ମିଟର ପଥର ପେକିଂ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ୩ଟି ସ୍ପର କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଛି।

ସେହିପରି ମନୁନଗରଠାରେ ୧୦ଟି ସ୍ପର ଓ ୯୯୫ ମିଟର ପଥର ପେକିଂ ଲାଗି ୧୩ କୋଟି ଟଙ୍କାର କାର୍ଯ୍ୟ ଶେଷ ହେବାକୁ ବସିଥିବା ବେଳେ ୨ଟି ସ୍ଥାନରେ ବ୍ୟବହୃତ ପଥର ଓ ସ୍ପରଗୁଡ଼ିକର ଲମ୍ବ ନେଇ ସ୍ଥାନୀୟ ଲୋକେ ବହୁ ଅଭିଯୋଗ କରି ଆସୁଛନ୍ତି। ନିକଟରେ ହୋଇଥିବା ସ୍ପରଗୁଡିକରେ ‘ଆରମୋରି’ ଷ୍ଟୋନ ବ୍ୟବହାର କରାଯାଇଛି।
ଏ ସମ୍ପର୍କରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର କହନ୍ତି, କେବଳ ଟିଏସି ନୁହେଁ, ହାଇ ପାୱାର କମିଟି ମଧ୍ୟ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଛି। ୨୦୧୯ର ନିର୍ବାଚନ ଓ ୨୦୨୦ରେ କରୋନା ପାଇଁ ଅର୍ଥ ମଞ୍ଜୁର ହୋଇପାରିନି। ଚଳିତ ବର୍ଷ ଜୁନ ୮ରେ ଭୁବନେଶ୍ୱରର ଗୀତ ଗୋବିନ୍ଦ ଭବନରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ମନ୍ତ୍ରୀ, କମିଶନର ପ୍ରମୁଖ ଏ ବିଷୟରେ ଆଲୋଚନା କରିଥିବାରୁ ବର୍ଷା ଋତୁ ପରେ କାମ ଆରମ୍ଭ ହେବାର ସମ୍ଭାବନା। ସେହିପରି ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରିୟବ୍ରତ ସିଂ କହନ୍ତି, ଖରସ୍ରୋତା ସୁବର୍ଣ୍ଣରେଖାର ଦୁଇ ପଟେ ବ୍ୟାପକ ଅତଡ଼ା ଖସେ ଓ ନଦୀ ମଧ୍ୟ ଗତିପଥ ବଦଳାଏ। ନଦୀର ସଂସ୍କାର ହେଉ ନ ଥିବାରୁ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ରହିଛି। ଅର୍ଥ ମଞ୍ଜୁର ହେଲେ ଅନୁମୋଦିତ ୧୫ଟି ପ୍ରକଳ୍ପର କାର୍ଯ୍ୟ ହେବ। ତେବେ ବିଭାଗ ତୁରନ୍ତ ଅର୍ଥ ମଞ୍ଜୁର କରିବାର ଆବଶ୍ୟକତା ରହିଛି।

Comments
Loading...