ଜଳଦ ତ୍ରିପାଠୀ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ

ଭୁବନେଶ୍ବର :  ତାମିଲନାଡ଼ୁର ପୂର୍ବତନ ପୁଲିସ ମହାନିର୍ଦେଶକ ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା(ଆଇପିଏସ୍) ଅଧିକାରୀ ଜଳଦ କୁମାର ତ୍ରିପାଠୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ନିଯୁକ୍ତି ହୋଇଛନ୍ତି। ଏନେଇ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଦର୍ଶାଇଛନ୍ତି ଯେ ସୂଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ଯାଞ୍ଚ କମିଟିର ସୁପାରିସକ୍ରମେ ରାଜ୍ୟ ସରକାର ଶ୍ରୀ ତ୍ରିପାଠୀଙ୍କୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଥିବା ସୁନିଲ କୁମାର ମିଶ୍ର ଅଗଷ୍ଟ ୧୫ରେ ଅବସର ଗ୍ରହଣ କରିଥିଲେ। ଏହାପୂର୍ବରୁ ବିଭାଗ ପକ୍ଷରୁ ଖାଲିପଦରେ ନିଯୁକ୍ତି ଲାଗି ଜୁନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ବିଭିନ୍ନ ବର୍ଗର ବିଶିଷ୍ଟ ଲୋକ ଆବେଦନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୂଡାନ୍ତ କମିଟିରେ ଶ୍ରୀ ତ୍ରିପାଠୀଙ୍କ ନାମକୁ ଅନୁମୋଦନ ଲାଗି ରାଜ୍ୟପାଳଙ୍କ ନିକଟକୁ ସୁପାରିସ କରାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଜି ସରକାରଙ୍କ ପକ୍ଷରୁ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ତାମିଲନାଡୁ କ୍ୟାଡ଼ରର ଓଡ଼ିଆ ଆଇପିଏସ୍ ଶ୍ରୀ ତ୍ରିପାଠୀ ୨୦୨୧ ଜୁନ୍ ୩୦ତାରିଖରେ ପୁଲିସ ମହାନିର୍ଦେଶକ ପଦରୁ ଅବସର ନେଇଥିଲେ। ସେ ଚେନ୍ନଇ ପୁଲିସ ଆୟୁକ୍ତ ଭାବେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ୨୦୦୮ ମସିହାରେ ସେ ପ୍ରଥମ ପୁଲିସ୍ ଭାବେ ସାଧାରଣ ପ୍ରଶାସନରେ ଉଲ୍ଲେଖନୀୟ ସେବା ପାଇଁ ‘ପ୍ରଧାନମନ୍ତ୍ରୀ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ। ଶ୍ରୀ ତ୍ରିପାଠୀଙ୍କ ଘର କଟକ ଜିଲାର ସାଲେପୁର ବ୍ଲକର ଭେଡ଼ା ଗାଁରେ ବୋଲି ସୂଚନା ମିଳିଛି। ଏବେ ଆୟୋଗରେ ବରିଷ୍ଠ ଆୟୁକ୍ତ ବାଳକୃଷ୍ଣ ମହାପାତ୍ରଙ୍କ ସମେତ ବିକ୍ରମ କୁମାର ସେନାପତି, ଦିଲୀପ କୁମାର ବିଶୋୟୀ ଓ ସଞ୍ଜୟ କେଶରୀ ସ୍ୱାଇଁ କାର୍ଯ୍ୟରତ ଅଛନ୍ତି।
ଜଳଦ ତ୍ରିପାଠୀ…

Comments are closed.