ଜାକିରଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ

0

କ୍ୱାଲାଲମପୁର : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ବିବାଦୀୟ ମୁସଲମାନ ପ୍ରବକ୍ତା ଭାରତ ସରକାରଙ୍କ ଦ୍ୱାରା ଆତଙ୍କବାଦ କାର୍ଯ୍ୟକଳାପରେ ଅଭିଯୁକ୍ତ ଜାକିର ନାଇକଙ୍କୁ ସାକ୍ଷାତ କରିଛନ୍ତି। ମହାଥିର କହିଛନ୍ତି ଯେ ଜାକିରଙ୍କୁ ଭାରତ ପ୍ରତ୍ୟର୍ପଣ ନ କରିବାକୁ ନିଆଯାଇଥିବା ଯଥାର୍ଥ। ଜାକିର ମାଲେସିଆ ଆଇନକୁ ଉଲ୍ଲଙ୍ଘନ ନ କରିବା ପର୍ଯ୍ୟନ୍ତ ତାଙ୍କୁ କୌଣସି ପରିସ୍ଥିତିରେ ଭାରତ ପ୍ରତ୍ୟର୍ପଣ କରାଯିବ ନାହିଁ। ଜାକିରଙ୍କୁ ମହାଥିରଙ୍କ ସାକ୍ଷାତକୁ ଭାରତ ସରକାର ସହଜରେ ଗ୍ରହଣ କରିପାରି ନାହାନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଓ ବିବାଦୀୟ ଭାଷଣ ପାଇଁ ଭାରତ ସରକାର ଜାକିରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ତାଙ୍କର ପ୍ରତ୍ୟର୍ପଣ ଲାଗି ମାଲେସିଆ ସରକାରଙ୍କୁ ନିବେଦନ କରିଥିଲେ। ତେବେ ଭାରତର ଏହି ନିବେଦନକୁ ମାଲେସିଆ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଭାରତ ଓ ମାଲେସିଆ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର ହୋଇଥିବା ସତ୍ତ୍ବେ ଭାରତର ଏପରି ନିବେଦନକୁ ଅଗ୍ରାହ୍ୟ କରାଯାଇଛି।
ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଓ ଏପରି କାର୍ଯ୍ୟ ଲାଗି ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଜାକିରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏପରି କି ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବା ସହ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନକୁ ନିଷିଦ୍ଧ କରାଯାଇଛି। ଏନଆଇଏର ମାମଲା ରୁଜୁ ପରେ ୨୦୧୬ରୁ ଜାକିର ଭାରତ ଛାଡି ଚାଲିଯାଇଥିଲେ। ବିଭିନ୍ନ ଦେଶ ଗସ୍ତ କରିବା ପରେ ସେ ଏବେ ମାଲେସିଆରେ ରହୁଛନ୍ତି। ମାଲେସିଆ ସରକାର ତାଙ୍କୁ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିଛନ୍ତି। ଗତ ଜାନୁଆରୀରେ ଭାରତ ସରକାର ଜାକିରଙ୍କ ପ୍ରତ୍ୟର୍ପଣ ଲାଗି ମାଲେସିଆ ସରକାରଙ୍କୁ ନିବେଦନ କରିଥିଲେ।

Leave A Reply