ପୁରୁଷ ହକି : ଭାରତର ସର୍ବବୃହତ୍ ବିଜୟ

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ହକି ବିଭାଗରେ ବୁଧବାର ଖେଳାଯାଇଥିବା ପୁଲ୍‍ ଏ’ର ଏକ ମ୍ୟାଚ୍‍ରେ ହଂକଂକୁ ୨୬-୦ ଗୋଲ୍‍ରେ ପରାସ୍ତ କରିଛି ଭାରତ । ଭାରତୀୟ ହକି ଇତିହାସରେ ଏହା ସର୍ବବୃହତ ବିଜୟ। ପୂର୍ବରୁ ୧୯୩୨ ଅଲିମ୍ପିକ୍‍ସରେ ଭାରତୀୟ ହକି ଦଳ ଆମେରିକାକୁ ସର୍ବାଧିକ ୨୪-୧ ଗୋଲ୍‍ ବ୍ୟବଧାନରେ ପରାସ୍ତ କରିଥିଲା। ତେବେ ଅନ୍ତର୍ଜାତୀୟ ସ୍ତରରେ ସର୍ବବୃହତ ବ୍ୟବଧାନରେ ବିଜୟୀ ହେବା ରେକର୍ଡ ନ୍ୟୁଜିଲାଣ୍ଡ ନିକଟରେ ରହିଛି। ୧୯୯୪ରେ ନ୍ୟୁଜିଲାଣ୍ଡ ହକି ଦଳ ସାମୋଏ ଦଳକୁ ୩୬-୧ ଗୋଲ୍‍ରେ ପରାସ୍ତ କରିଥିଲା।
ବୁଧବାର ଏସୀୟ କ୍ରୀଡ଼ାରେ ଖେଳାଯାଇଥିବା ମ୍ୟାଚ୍‍ରେ ଭାରତୀୟ ଦଳ ମୂଳରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ଗୋଲ୍‍ ସ୍କୋର କରି ଚାଲିଥିଲା। ପ୍ରଥମ ୫ ମିନିଟ୍‍ ମଧ୍ୟରେ ଭାରତୀୟ ଦଳ ୪ଟି ଗୋଲ୍‍ ସ୍କୋର କରିଥିଲା। ପ୍ରଥମ କ୍ୱାର୍ଟର ଶେଷ ବେଳକୁ ଭାରତୀୟ ଦଳ ୧୪ଟି ଗୋଲ୍‍ ସ୍କୋର କରିଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତୀୟ ଦଳ ୨୨ଟି ଗୋଲ୍‍ ସ୍କୋର କରିଥିଲା। ଖେଳରେ ହଂକଂ ଦଳ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଥିଲା। ଏହି ଦଳର ଖେଳାଳିମାନେ ଭାରତୀୟ ଗୋଲପୋଷ୍ଟ ଉପରେ ଥରେ ବି ଆକ୍ରମଣ କରିବାରେ ସକ୍ଷମ ହୋଇପାରିନଥିଲେ। ଭାରତ ପକ୍ଷରୁ ଖେଳର ୩ୟ, ୫ମ, ୩୦ତମ, ୪୫ତମ ଓ ୫୯ ମିନିଟ୍‍ରେ ରୁପିନ୍ଦରପାଲ୍‍ ସିଂହ, ୨୯ତମ, ୫୨ତମ, ୫୩ତମ ଓ ୫୪ ମିନିଟ୍‍ରେ ହରମନ୍‍ପ୍ରୀତ ସିଂହ, ୨ୟ, ୩୨ତମ, ଓ ୩୫ତମ ମିିନିଟ୍‍ରେ ଆକାଶଦୀପ ସିଂହ ଗୋଲ୍‍ ସ୍କୋର କରି ହାଟ୍ରିକ ଅର୍ଜନ କରିଥିଲେ। ଏମାନଙ୍କ ବ୍ୟତୀତ ମନଦୀପ ସିଂହ, ଲଳିତ ଉପାଧ୍ୟାୟ, ବରୁଣ କୁମାର ଦୁଇଟି ଲେଖାଏଁ ଗୋଲ୍‍ ସ୍କୋର କରିଥିବା ବେଳେ ଏସ୍‍ଭି ସୁନୀଲ, ବିବେକ ସାଗର ପ୍ରସାଦ, ମନଦୀପ୍‍ ସିଂହ, ଅମିତ ରୋହିଦାସ, ଦିଲପ୍ରୀତ ସିଂହ, ଚିଙ୍ଗଲେନ୍‍ସାନା ସିଂହ, ସିମରନ୍‍ଜିତ ସିଂହ ଓ ସୁରେନ୍ଦ୍ର କୁମାର ଗୋଟିଏ ଲେଖାଏଁ ଗୋଲ୍‍ ସ୍କୋର କରିଥିଲେ। ସୂଚନାଥାଉକି ଭାରତୀୟ ଦଳ ପ୍ରଥମ ମ୍ୟାଚ୍‍ରେ ଇଣ୍ଡୋନେସିଆକୁ ୧୭-୦ ଗୋଲ୍‍ରେ ପରାସ୍ତ କରିଥିଲା। ଆସନ୍ତା ଶୁକ୍ରବାର ଭାରତର ମୁକାବିଲା ଜାପାନ ସହ ହେବ।

Leave A Reply