ପ୍ରତୀକ୍ଷାର ଅନ୍ତ, ପାଣିକୋଇଲିରେ ଆରମ୍ଭ ହେଲା ଟ୍ରମା କେୟାର କାର୍ଯ୍ୟ

ଯାଜପୁର: ପ୍ରତୀକ୍ଷାର ଘଟିଛି ଅନ୍ତ। ପାଣିକୋଇଲିବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ପାଣିକୋଇଲିବାସୀଙ୍କୁ ରାଜ୍ୟ ସରକାର ଭେଟି ଦେଇଥିଲେ ଟ୍ରମା କେୟାର ସେଂଟର। ହେଲେ ଏହାର ବିଳମ୍ବ ସାଧାରଣରେ ସନ୍ଦେହ ହୋଇଥିଲା। ଏବେ ଟ୍ରମା କେୟାର କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ଜମି ଉପରେ ରାଜସ୍ୱ ବିଭାର ପୁନଃ ଚିହ୍ନଟ ଓ ସରଜମିନ ତଦନ୍ତ ପରେ ସେଥିଲାଗି ସୀମା ନିର୍ଦ୍ଧାରଣ କରାଯାଇ ଖୁଂଟ ପୋତା ହେବା ସହ ଜାତୀୟ ରାଜପଥରୁ ଆପ୍ରୋଚ ରୋଡ ଆରମ୍ଭ ହୋଇଛି। ଏଥିପାଇଁ ଜଳ ନିଷ୍କାସନକୁ ଗୁରୁତ୍ୱ ଦେଇ ହ୍ୟୁମ ପାଇପ ପଡିବା ସହ ଆସ୍ଥାୟୀ କ୍ୟାମ୍ପ ପାଇଁ ଅସ୍ଥାୟୀ ବିଦ୍ୟୁତ ସଂଯୋଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପାଣିକୋଇଲି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ବର୍ତମାନ ୬୫ କୋଟିର ଟେଣ୍ଡର ହୋଇଛି। କଟକର ଡିଭାଇନ କନଷ୍ଟ୍ରକସନ ଏହି କାର୍ଯ୍ୟ ପାଇଁ ଟେଣ୍ଡର ନେଇ କାମ ଆରମ୍ଭ କରିଛି ବୋଲି ସୂଚନା ଦେଇଥିଲେ।

ଆପ୍ରୋଚ ରୋଡ ନିର୍ମାଣ ପରେ ଚିହ୍ନଟ ଜମିକୁ ପୋତା କାର୍ଯ୍ୟ ଆରମ୍ଭ କରାଯିବ। ଦୁଇ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଛି ବୋଲି କହିଥିଲେ। ପାଣିକୋଇଲିରେ ଟ୍ରମା କେୟାର ସେଂଟର (ଦୁର୍ଘଟଣା ସେବା ଚିକିତ୍ସାଳୟ) କରାଯିବାକୁ ପ୍ରତିଶୃତି ଦେଇଥିଲେ ଓ ପୂରଣ କରୁଛନ୍ତି ଯାଜପୁର ବିଧାୟକ ତଥା ଏବେର ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏନେଇ ୨୦୧୯ ମାର୍ଚ୍ଚ ୭ ତାରିଖରେ ଟ୍ରମା କେୟାର ସେଂଟରର ଶୁଭ ଶିଳାନ୍ୟାସ କରାଯାଇଥିଲା। ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ କୁମାର ଜେନା, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଅତିଥି ଭାବେ ଉତ୍ସବରେ ଯୋଗଦେଇଥିଲେ। ୨୦୨୦ ଅକ୍ଟୋବର ୯ତାରିଖ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପାଣିକୋଇଲିରେ ଶହେ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଂଟର ପାଇଁ ପ୍ରାୟ ୭୦କୋଟି ବ୍ୟୟ ଅଟକଳ କରି ଅର୍ଥ ମଂଜୁର କରିଥିଲେ। ଏଥି ସହିତ ଟ୍ରମା କେୟାର ନକ୍ସା ମଧ୍ୟ ପ୍ରସ୍ତୁତ ହୋଇଥିଲା। ପାଣିକୋଇଲି ଠାରେ ଦୁଇଟି ରାଜପଥର ସଂଯୋଗ ଓ ଜିଲ୍ଲାର ମଧ୍ୟସ୍ଥଳ ହୋଇଥିବାରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ବଂଚିବାରେ ଏହା ସହାୟକ ହେବ ବୋଲି ସମସ୍ତେ ଅନୁଭବ କରିଥିଲେ। ସେ ଯାହା ବି ହେଉ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। କଟକ ସର୍କଲ ଅଧିକ୍ଷଣ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ବାରମ୍ବାର ଗସ୍ତ ଓ କାର୍ଯ୍ୟ ଆରମ୍ଭ ନେଇ ସମୀକ୍ଷା କରିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇଛନ୍ତି।

Comments are closed.