ଭିନ୍ନକ୍ଷମ ହେଲେ ବି ସକ୍ଷମ ; ଦିବ୍ୟାଙ୍ଗ ମହିଳା ବାସନ୍ତୀ ରଣାଙ୍କ ସଫଳତାର କାହାଣୀ

ଯାଜପୁର : ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଜାଣନ୍ତୁ ଜଣେ ଦିବ୍ୟାଙ୍ଗ ମହିଳା ବାସନ୍ତୀ ରଣାଙ୍କ ସଫଳତାର କାହାଣୀ ।
ଏ ହେଉଛନ୍ତି ଯାଜପୁର ଜିଲ୍ଲା ଜାରକା କୁମାରୀ ଗ୍ରାମର ଦିବ୍ୟାଙ୍ଗ ମହିଳା ବାସନ୍ତୀ ରଣା । ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ସେ ନିଜର ଦୁଇଟି ଗୋଡ଼ ହରାଇଛନ୍ତି। ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସିଲେଇ ଶିକ୍ଷା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା । ଦାରିଦ୍ର୍ୟ ଓ ଆର୍ଥିକ ଅନଟନ ଭିତରେ କାଳ କାଟୁଥିବା ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲାଗି ସେ ଆଗେଇ ଆସିଥିଲେ । ନିଜର ଇଚ୍ଛାଶକ୍ତି ବଳରେ ସିଲେଇ ପ୍ରଶିକ୍ଷଣ ନେଇ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ତାଙ୍କର ସ୍ୱପ୍ନ ଥିଲା । ଗୋଟିଏ ମେସିନରୁ ସିଲେଇ ଶିକ୍ଷା ଆରମ୍ଭ କରିଥିବା ବାସନ୍ତୀ ଏବେ ୮ଶହରୁ ଅଧିକ ଯୁବତୀ ଓ ମହିଳାଙ୍କୁ ସିଲେଇ ଶିକ୍ଷା ପ୍ରଦାନ କରିସାରିଲେଣି । ତାଙ୍କର ଲକ୍ଷ୍ୟ ପ୍ରତ୍ୟେକ ମହିଳା ନିଜ ଗୋଡରେ ଠିଆ ହୋଇପାରିବ ଏବଂ ନିଜର ପରିବାର ପ୍ରତିପୋଷଣ କରିପାରିବ । ଦୃଢ ଇଛାଶକ୍ତି ଓ ଆତ୍ମ ବିଶ୍ୱାସ ରହିଲେ ଜଣେ ମହିଳା ନିଜ ପରିବାରାର ଆର୍ଥିକ ସ୍ଥିତିକୁ ବଦଳାଇ ପାରିବ ବୋଲି ବାସନ୍ତୀ କହିଛନ୍ତି ।
ବିବାହ ପରେ ଶ୍ୱଶୁର ଘର ଲୋକଙ୍କ ସମର୍ଥନ ମିଳିବାରୁ ସେ ଘରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୧୧ମସିହାରୁ ଆରମ୍ଭ କରିଥିବା ଏହି କେନ୍ଦ୍ରରେ ଏବେ ୨୫ରୁ ଅଧିକ ଯୁବତୀ କାମ କରି ସେମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି । ଏହି କେନ୍ଦ୍ର ମହିଳା ମାନଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ଡିଜାଇନର ଡ୍ରେସ ଉପକରଣ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଉଛି । ଆଖପାଖ ଅଞ୍ଚଳରେ ଘରେ ବସି ରହିଥିବା ଅନେକ ଯୁବତୀ ଏଠାରେ ପ୍ରଶିକ୍ଷଣ ନେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ସିଲେଇ ଶିକ୍ଷାକୁ ବାଦ୍ ଦେଲେ ସେ ଘରେ ପୂଜା ପାଠ ହେଉ ଅବା ରୋଷେଇ ହେଉ ସବୁ କାର୍ଯ୍ୟରେ ସେ ବେଶ ତତ୍ପର । ତେବେ ବାସନ୍ତୀଙ୍କ ଇଚ୍ଛାଶକ୍ତି ଓ କାର୍ଯ୍ୟରେ ପରିବାର ଲୋକେ ବେଶ ଗର୍ବ ଅନୁଭବ କରୁଛନ୍ତି ।
ବାସନ୍ତୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରସ୍କାର ଲାଭ କରିଛନ୍ତି । ବାସନ୍ତୀ ଏବେ ସମଗ୍ର ଯାଜପୁର ଜିଲ୍ଲାରେ ମହିଳା ମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ପାଲଟିଛନ୍ତି ।

Comments are closed.