ନାଁ ‘ଫକିର’, ଚାଷରେ ଏକ ନମ୍ବର

ଯାଜପୁର: କଥାରେ ଅଛି ‘ଚାଷ କାମ ଯାହାର କେଡେ ସୁଖ ତାହାର’। ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ଚାଷୀ ଫକିର। ଯେଉଁଥି ପାଇଁ ସେ ଜିଲାରେ ନମ୍ବର ୱାନ। ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ରମୁଁ ପଞ୍ଚାୟତର ଜଗନ୍ନାଥପୁର ଗାଁ । ବର୍ଷାଋତୁରେ ବନ୍ୟା, ଖରାଦିନେ ମରୁଡ଼ି ଏହି ଗାଁର ଚିରସାଥୀ । ଗାଁର ଚାଷୀ ଫକିର ବେହେରା ପ୍ରକୃତିର ଦାଉକୁ କେବେ ବି ଡରି ନାହାନ୍ତି। ୬୪ ବର୍ଷ ଧରି ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଆଜି କୃଷିକ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛନ୍ତି। ତାଙ୍କ କହିବା ଅନୁଯାୟୀ ଦୃଢ଼ଇଚ୍ଛା ଶକ୍ତି ଥିଲେ ମଣିଷ ଅସମ୍ଭବକୁ ସମ୍ଭବ କରିପାରିବ।
ଫକିରଙ୍କ କାହାଣୀ କୌଣସି ସିନେମାଠାରୁ କମ୍ ନୁହେଁ। ଫକିର ବୟସ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପା କହ୍ନେଇ ବେହେରା ଆଖି ବୁଜି ଦେଇଥିଲେ। ମା’ ସୋଲି ବେହେରା ପର ଘରେ ମୁଲ ଲାଗି ଫକିରଙ୍କୁ ବଡ଼ କରିଥିଲେ। ଆର୍ଥିକ ଅନଟନ ଯୋଗୁଁ ଫକିର ବାଲ୍ୟକାଳରେ ପାଠ ପଢି ପାରି ନଥିଲେ ସତ ହେଲେ ଆଜି ତାଙ୍କର ସଫଳତା ବହୁ ପାଠଆଙ୍କୁ ପଛରେ ପକାଇ ଦେଇଛି। ୧୩ ବର୍ଷ ବୟସରୁ ଫକିରଙ୍କୁ ପର ବିଲବାଡ଼ିରେ କାମଧନ୍ଦା କରିବାକୁ ପଡୁଥିଲା। ସମୟକ୍ରମେ ସେ ଗାଈ, ଛେଳି ପାଳି ସେଥିରୁ ମିଳୁଥିବା ଅର୍ଥକୁ ସଞ୍ଚିତ କରି ଖଣ୍ଡେ ଖଣ୍ଡେ ଜମି କିଣିବା ଆରମ୍ଭ କରିଥିଲେ ା ବାଲ୍ୟକାଳରେ ତାଙ୍କର ମାତ୍ର ୨୨ ଗୁଣ୍ଠ ଜମି ଥିବା ବେଳେ ଏବେ ଏହି ଜମିର ପରିମାଣ ୪୦ ଏକରରେ ପହଞ୍ଚିଛି। ସେଥିମଧ୍ୟରୁ ୨୫ ଏକର ଜମିରେ ଧାନ ଚାଷ କରୁଥିବା ବେଳେ ୧୫ ଏକର ଜମିରେ ପନିପରିବା ଚାଷ କରନ୍ତି। ବିରି, ମୁଗ ଓ ଚିନାବାଦମ ଚାଷ ମଧ୍ୟ ସେ କରନ୍ତି। ନିଜଜମିରେ ବିଭିନ୍ନ ପନିପରିବା ଯଥା ବାଇଗଣ, କୋବି, ଭେଣ୍ଡି, ଲଙ୍କା, ବିଲାତି, ଝୁଡଙ୍ଗ, ଜହ୍ନି, ପୋଟଳ, କଲରା ଆଦି ପ୍ରଚୁର ପରିମାଣରେ ପରିବା ଅମଳ କରି ସମଗ୍ର ଯାଜପୁର ଜିଲାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ପନିପରିବାକୁ ସେ ଯାଜପୁର ଟାଉନ, ସିଂହପୁର, ବାଳମୁକୁଳି, କଣ୍ଡିଆ ହାଟକୁ ପଠାଇଥାନ୍ତି। ରାତିପାହିବା ବେଳକୁ ତାଙ୍କ କ୍ଷେତ ନିକଟରେ ବେପାରି ଗାଡ଼ି ଲଗାଇ ପରିବା ନେବାକୁ ଅପେକ୍ଷା କରି ରହିଥାନ୍ତି।

ଫକିରଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ବର୍ଷ ସେ ୩୦୦ ବସ୍ତା ଧାନ, ୧୫୦ ବସ୍ତା ବାଦାମ, ୪୦ କୁଇଣ୍ଟାଲ ବିରି ଓ ମୁଗ ଅମଳ କରନ୍ତି। ତରୁଭୂଜ ଫସଲ ରାଜ୍ୟ ବାହାରକୁ ରପ୍ତାନି କରି ଭଲ ପଇସା ରୋଜଗାର କରନ୍ତି। ଫକିରଙ୍କୁ ଏବେ ୭୬ ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଥକି ପଡ଼ି ନାହାନ୍ତି। ଦିନକୁ ୧୨ ଘଣ୍ଟାରୁ ଅଧିକ ସମୟ ଚାଷ ଜମିରେ ଖଟିବାକୁ ସେ ଦିନେ ବି କୁଣ୍ଠାବୋଧ କରି ନାହାନ୍ତି।
କେବଳ ଚାଷ ଜମି ନୁହେଁ, ଘରେ ୨୫ଟି ଦୁଧିଆଳି ଗାଇ, ଗଣ୍ଡେ ବଳଦ ଓ ୨୫ରୁ ଅଧିକ ଛେଳି ପାଳିଛନ୍ତି। ଛେଳି ରଖିଥିବାରୁ ସେ ବର୍ଷକୁ ଭଲ ଦୁଇ ପଇସା ରୋଜଗାର କରନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ୧୦ କେଜିରୁ ଅଧିକ ଛେନା ଜଳଖିଆ ଦୋକାନୀଙ୍କୁ ବିକିଥାନ୍ତି। ଏତେ ଚାଷ ଜମି ଥିଲେ ମଧ୍ୟ ଫକିର ଆଜି ପର୍ଯ୍ୟନ୍ତ ଟ୍ରାକ୍ଟର କିମ୍ବା ପାୱାର ଟିଲରଟିଏ କିଣି ନାହାନ୍ତି। ଘରେ ପାଳିଥିବା ଦୁଇଯୋଡ଼ା ବଳଦ ସହାୟତାରେ ସେ ନିଜର ଚାଷ କାର୍ଯ୍ୟ ଏବେବି ଅବ୍ୟାହତ ରଖିଛନ୍ତି। ଚାଷ ପାଇଁ ବିଲରେ ୨ଟି ମଟର ପମ୍ପ ବ୍ୟବହାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ପମ୍ପ କୃଷି ବିଭାଗ ପକ୍ଷରୁ ରିଆତିରେ ପାଇଥିବା ବେଳେ ଅନ୍ୟଟି ବଜାର ଦରରେ କିଣିଛନ୍ତି। ଫକିର ନିଜର ୪ ପୁଅଙ୍କୁ ଚାଷ କାର୍ଯ୍ୟରେ ନିୟୋଜିତ କରି ଦିନେ ବି ପଶ୍ଚାତାପ କରି ନାହାନ୍ତି। ଚାଷରେ ତାଙ୍କର ଆୟ ସମ୍ପର୍କରେ ପଚାରିବାରେ ଘରଖର୍ଚ୍ଚ, ଚାଷଖର୍ଚ୍ଚ ଓ ଅନ୍ୟ ଖର୍ଚ୍ଚକୁ ବାଦ ଦେଇ ସେ ପ୍ରତ୍ୟେକ ବର୍ଷ ୮ରୁ ୧୦ ଲକ୍ଷ ଟଙ୍କା ଲାଭ କରିଆନ୍ତି ବୋଲି କହନ୍ତି। ଚାଷ ପାଇଁ ସେ ସରକାରୀ କିମ୍ବା ବ୍ୟାଙ୍କ ପାଖରେ ଆଜି ପର୍ଯ୍ୟନ୍ତ ହାତ ପତାଇ ନାହାନ୍ତି। ଚାଷ କାର୍ଯ୍ୟରେ ଉଲ୍ଲେଖନୀୟତା ପାଇଁ ତାଙ୍କୁ ଜିଲା କୃଷି ବିଭାଗ ପୁରସ୍କୃତ କରିଛି।

Comments are closed.