ଗାଁରେ ରାତି କାଟିଲେ ବିଧାୟକ: ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଲେ

ଯାଜପୁର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଞ୍ଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି। ଶନିବାର ସଂଧ୍ୟାରେ ବିଧାୟକ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସରକାରୀ ଯୋଜନା ଗାଁରେ କେତେ ପହଞ୍ଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ଗ୍ରାମବାସୀଙ୍କ ସହ ଜନଶୁଣାଣୀ କରି ସୁଖ ଦୁଃଖ ବୁଝିବା ସହ ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ଅନେକ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।
ଏହାପରେ ଗାଁ ମହିଳାଙ୍କ ହାତ ତିଆରି ରୁଟି ତରକାରି ଓ ଭଜା ଖାଇ ବିଧାୟକ ପ୍ରଣବ ରାତ୍ରୀ ଯାପନ କରିଥଲେ। ସକାଳୁ ଉଠି ଗ୍ରାମବାସୀଙ୍କ ସହ ମିଶି ଗ୍ରାମ ସଫେଇ କରିଥିଲେ। ବିଧାୟକଙ୍କର ଗାଁରେ ଏଭଳି ରାତ୍ରିଯାପନ ଓ ସାଧାରଣ ଲୋକଙ୍କ ନିକଟତର ହେବା ଦ୍ବାରା ଅନେକ ସମସ୍ୟାର ସମାଧାନ ଶୀଘ୍ର ହୋଇପାରିବ ବୋଲି ଲୋକେ ଆଶା ବ୍ୟକ୍ତ କରିଛନ୍ତି।